Home Agriculture ଚାଷୀଙ୍କ ମୁହଁରେ ହସ ଫୁଟାଇଲା ଟମାଟୋ

ଚାଷୀଙ୍କ ମୁହଁରେ ହସ ଫୁଟାଇଲା ଟମାଟୋ

ଭୁବନେଶ୍ୱର : ଟମାଟୋ ଦର ବୃଦ୍ଧି ଏବେ ଦଶପଲ୍ଲା ଚାଷୀଙ୍କ ମୁହଁରେ ହସ ଫୁଟାଇଛି । ସେମାନଙ୍କ ଅଞ୍ଚଳରେ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ପରେ ସେମାନେ ଚଳିତବର୍ଷ ଗୋଟିଏ କିଲୋ ଟମାଟୋରେ ହାରାହାରି ୫୦ଟଙ୍କା ଲାଭ କରିଛନ୍ତି । ଚାଷୀମାନେ ସେମାନଙ୍କ ଏଭଳି ଲାଭ ପାଇଁ ରାଜ୍ୟରେ ପ୍ରଥମ ସୌର ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଜେଆରପି ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି ।

ଚଳିତବର୍ଷ ଟମାଟୋ ଅମଳ ସମୟରେ ରାଜ୍ୟରେ ଚାଷୀମାନେ ଅତି ବେଶିରେ ୫ଟଙ୍କା ଦରରେ ବିକ୍ରି କରୁଥିଲେ । ପରିବା ଚାଷ ପାଇଁ ପ୍ରସିଦ୍ଧ ଥିବା ଦଶପଲ୍ଲା ଅଞ୍ଚଳରେ ଚାଷୀମାନେ ବିଭିନ୍ନ ପନିପରିବା ସହିତ ବ୍ୟାପକ ଟମାଟୋ ଚାଷ କରିଥିଲେ । ଟମାଟୋ ଅମଳ ସମୟରେ ସେମାନେ କିଲୋ ପ୍ରତି ୫ଟଙ୍କା କିମ୍ବା ଏହାଠାରୁ କମ୍‍ ଦରରେ ବେପାରୀମାନଙ୍କୁ ବିକ୍ରି କରୁଥିଲେ । ସେମାନଙ୍କ ଉତ୍ପାଦିତ ଟମାଟୋ ଭୁବନେଶ୍ୱର ବଜାରରେ ସେତେବେଳେ ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିଲେ ମଧ୍ୟ ସେମାନଙ୍କୁ ସେତେଟା ଲାଭ ମିଳୁନଥିଲା ।

ତେବେ ଏହି ସମୟରେ ସ୍ୱେଚ୍ଛାସେବୀ ସଂସ୍ଥା ଜେଆରପି ପକ୍ଷରୁ ଦଶପଲ୍ଲା ବ୍ଲକର ଓଡସରା ଗାଁରେ ନିର୍ମାଣ ହୋଇଲା ରାଜ୍ୟର ପ୍ରଥମ ସୌରଚାଳିତ ଶୀତଳଭଣ୍ଡାର । ବ୍ରିଟେନର ବ୍ରୁନେଇ ବିଶ୍ୱବିଦ୍ୟାଳୟର ମିଳିତ ସହାୟତାରେ ଜେଆରପି ଏଠାରେ ୧୦ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ନିର୍ମାଣ କରିଛି ।

ଶୀତଳଭଣ୍ଡାର ପ୍ରତିଷ୍ଠା ପରିବାଚାଷୀମାନେ ସେମାନଙ୍କ ଉତ୍ପାଦିତ ପନି ପରିବାକୁ ଶାଗମାଛ ଦରରେ ବିକ୍ରି ନକରି ଏହି ଶୀତଳଭଣ୍ଡାରରେ ରଖିଥିଲେ । ଚାଷୀମାନେ ଏଠାରେ ଟମାଟୋ ସହିତ ବାଇଗଣ, ଭେଣ୍ଡି, ବନ୍ଧାକୋବି ଆଦି ରଖିଥିଲେ । ତେବେ ଏହି ସମୟରେ ବଜାରରେ ହଟାତ୍‍ ଟମାଟୋ ଦର ବୃଦ୍ଧି ପାଇପାରୁ ଚାଷୀମାନେ ଶୀତଳଭଣ୍ଡାରରେ ଥିବା ନିଜର ଟମାଟୋକୁ ତର ତର ହୋଇ ବଜାରକୁ ଛାଡି ନଥିଲେ ।

ଟମାଟୋ ଅତି ବେଶିରେ ୨୨ ଦିନ ପର୍ଯ୍ୟନ୍ତ ରହିବାର ବ୍ୟବସ୍ଥା ଥିବାବେଳେ ଚାଷୀମାନେ ନିଜ ଆଡୁ ରିସ୍କ ନେଇ ଆଉ କିଛି ଅଧିକ ଦିନ ରଖିଥିଲେ । ଏଥିଯୋଗୁଁ ସେମାନଙ୍କର ଯଦିଓ ଅଳ୍ପ ମାତ୍ରାରେ ଟମାଟୋ ନଷ୍ଟ ହୋଇଥିଲା, କିନ୍ତୁ ସେମାନେ ଅଧିକ ଦରରେ ବିକ୍ରି କରିପାରିଥିଲେ । ୫ଟଙ୍କା ଦର ବେଳେ ଶୀତଳଭଣ୍ଡାରରେ ରଖିଥିବା ଟମାଟୋକୁ ଚାଷୀମାନେ ୫୦ରୁ ୬୦ଟଙ୍କା ଦରରେ ବିକ୍ରି କରିଥିବା ସୂଚନା ଦେଇଛନ୍ତି ଜେଆରପିର କାର୍ଯ୍ୟ ର୍ନିବାହୀ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର ।

ଚଳିତ ବର୍ଷ ଟମାଟୋରୁ ହଠାତ୍‍ ଏଭଳି ଆକାଶଛୁଆଁ ଲାଭ ପାଇବାପରେ ଏବେ ସେମାନଙ୍କ ଅଞ୍ଚଳରେ ଉତ୍ପାଦିତ ଅନ୍ୟ ପନିପରିବାକୁ ଶୀତଳଭଣ୍ଡାରରେ ରଖିବାପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେବା ସହିତ ଏଭଳି ଶୀତଳଭଣ୍ଡାର ଅଧିକ ସଂଖ୍ୟାରେ ପ୍ରତିଷ୍ଠା ପାଇଁ ଦାବି କରୁଛନ୍ତି । ଯେହେତୁ ଏହି ଶୀତଳଭଣ୍ଡାରଟି ବିଦ୍ୟୁତ୍‍ ଉପରେ ନିର୍ଭରଶୀଳ ହେଉନାହିଁ ତେଣୁ ବିଦ୍ୟୁତ୍‍ ବିଭ୍ରାଟ ଜନିତ ଭୟ ନାହିଁ ଏବଂ ପନିପରିବା ଧାର୍ଯ୍ୟ ସମୟ ଠାରୁ ଅଧିକ ଦିନ ରହିପାରୁଛି ।