Home General ଚାଷୀଙ୍କୁ ମିଳୁନି ଦରବୃଦ୍ଧି ଲାଭ

ଚାଷୀଙ୍କୁ ମିଳୁନି ଦରବୃଦ୍ଧି ଲାଭ

ଭୁବନେଶ୍ୱର : ରାଜ୍ୟରେ ଏକେ କୁକୁଡା ମାଂସ କିଲୋ ଦର ବଢି ୨୫୦ ଟଙ୍କା ଟପିଥିବାବେଳେ କୁକୁଡା ଫାର୍ମ କରିଥିବା ଚାଷୀମାନେ କିନ୍ତୁ ସେଭଳି ଲାଭ ପାଉନାହାନ୍ତି । ଲାଭର ସିଂହଭାଗ କୁକୁଡା ଚାଷରେ ମୋଟା ଅଙ୍କର ଅର୍ଥ ଖଟାଇଥିବା କମ୍ପାନୀ ନିକଟକୁ ଚାଲିଯାଉଥିବା ଚାଷୀମାନେ କହିଛନ୍ତି ।

ଚାଷୀଙ୍କ କହିବାକଥା ଯେ ଅନ୍ୟ ରାଜ୍ୟ ବିଶେଷକରି ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ବଡ ବଡ କୁକୁଡା ବ୍ୟବସାୟୀମାନେ ଓଡିଶାରେ ଅର୍ଥ ଖଟାଇଛନ୍ତି । ଓଡିଶାର ବି ଗୋଟିଏ ଦୁଇଟି କମ୍ପାନୀ ଏହି କାରବାରରେ ଅଛନ୍ତି । ଗାଁ ଗହଳର ଛୋଟ ଠାରୁ ଆରମ୍ଭକରି ବଡ ବଡ କୁକୁଡାଫାର୍ମ ଏମାନଙ୍କ ନିୟନ୍ତ୍ରଣରେ । କୁକୁଡା ଚାଷ ପାଇଁ ଏମାନେ ଚିଆଁ ଠାରୁ ଆରମ୍ଭକରି ଦାନା, ଔଷଧ ଆଦି ଯୋଗାଇଥାନ୍ତି । ଚାଷୀଟି ଫାର୍ମଘର ସାଙ୍ଗକୁ ବିଜୁଳି, ପାଣି ଓ ମାନବସମ୍ବଳ ଯୋଗାଇଥାଏ ।

ଫଳରେ କୁକୁଡା ଫାର୍ମରେ ଚାଷ ହେଉଥିବା କୁକୁଡାର କିଲୋପ୍ରତି କିଛି ଟଙ୍କା ଚାଷୀମାନେ ପାଇଥାନ୍ତି । ଉପକୂଳ ଓଡିଶାର ଚାଷୀମାନେ କିଲୋପ୍ରତି ୩ରୁ ୫ଟଙ୍କା ପର୍ଯ୍ୟନ୍ତ ପାଇଥାନ୍ତି । କୁକୁଡା ଚିଆଁଙ୍କୁ ଦାୟିତ୍ୱର ସହ ବଡ କରିବାର କାମ ହେଉଛି ଚାଷୀର । ଅର୍ଥ ଖଟାଇଥିବା କମ୍ପାନୀ ଠିକଣା ସମୟରେ ଦାନା ଓ ଔଷଧ ଆଦି ଯୋଗାଇ ଦେଇଥାନ୍ତି । କୁକୁଡା ପ୍ରାୟ ଦେଢ କିଲୋ ଓଜନର ହେଲା ମାତ୍ରେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି । ଚାଷୀକୁ କୁକୁଡା ବିକ୍ରି ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଅନୁମତି ଦିଅନ୍ତି ନାହିଁ ।

ତେବେ ଚାଷୀଙ୍କ କହିବାକଥା ଯେ ବଜାରରେ କୁକୁଡା ଦର ବଢୁ କି କମୁ ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ । ତେବେ କୁକୁଡା ଦର ଅତି ଅଧିକ ହେଲେ କମ୍ପାନୀମାନେ ଚାଷୀଙ୍କୁ କିଛି ପରିମାଣରେ ଲାଭାଂଶ ଦେଇଥାନ୍ତି । ତାହା ହିଁ ହେଉଛି ସେମାନଙ୍କର ଲାଭ । ନଚେତ୍‍ କୁକୁଡାର ସାଧାରଣ ଦର ସମୟରେ ସେମାନେ ଯେତିକି ପାଇଥାନ୍ତି ଦର ବଢିଲେ ବି ସେତିକି ମିଳିଥାଏ ।

ମୋଟାମୋଟି ଭାବେ ଓଡିଶାର କୁକୁଡା ମାଂସ ବଜାର ଏବେ ରାଜ୍ୟ ବାହାରର ବଡ ବଡ କୁକୁଡା ବ୍ୟବସାୟୀଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି । ସରକାରଙ୍କର ଏମାନଙ୍କ ଉପରେ କୌଣସି କର୍ତ୍ତୃତ୍ୱ ପ୍ରାୟ ନାହିଁ । ଏହି କମ୍ପାନୀଗୁଡିକ ଚାହିଁଲେ ଓଡିଶାବାସୀ ଶସ୍ତା କିମ୍ବା ମହରଗରେ କୁକୁଡାମାଂସ କିଣିବାକୁ ବାଧ୍ୟ । ଏପରିକି କୁକୁଡାଚାଷ କରି ଆତ୍ମନିର୍ଭର ହେବାପାଇଁ ଯେଉଁମାନେ ସରକାରୀ ରିହାତି ପାଇ କୁକୁଡାଫାର୍ମ କରିଛନ୍ତି ସେମାନେ ବି ଏହି କୁକୁଡାଚାଷୀଙ୍କ କବଳରେ । କାରଣ ଯିଏ ସେମାନଙ୍କ ନିୟନ୍ତ୍ରଣକୁ ନଯିବ ସିଏ ଚଢା ଦରରେ ଚିଆଁ ଓ ଦାନା କିଣିବାକୁ ବାଧ୍ୟ ।

ତେଣୁ ମୋଟା ମୋଟି ଭାବେ ରାଜ୍ୟରେ ହୁ ହୁ ହୋଇ ବଢୁଥିବା କୁକୁଡାମାଂସ କାରବାରରୁ ଯେଉଁ ଲାଭ ବାହାରୁଛି ତାହା ମୁଖ୍ୟତଃ ରାଜ୍ୟ ବାହାରକୁ ଚାଲିଯାଉଛି । ଦିନ ରାତି କୁକୁଡାଫାର୍ମରେ ଖଟୁଥିବା ଗାଁ ଗହଳର ଚାଷୀଟି ବଜାର ଚାହିଦା ଅନୁଯାୟୀ ଲାଭ ପାଇପାରୁ ନାହିଁ । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ କୁକୁଡାଚାଷୀମାନେ ମତ ଦେଇଛନ୍ତି । (ତଥ୍ୟ)