Home Agriculture ଚାଷୀଙ୍କୁ ତୁରନ୍ତ ବିହନ,ସାର ଓ ଋଣ ଦିଅ

ଚାଷୀଙ୍କୁ ତୁରନ୍ତ ବିହନ,ସାର ଓ ଋଣ ଦିଅ

ସୁନ୍ଦରଗଡ : ଚଳିତ ଖରିଫ ଚାଷ ପାଇଁ ଜିଲ୍ଲାର ଚାଷୀମାନେ ବିହନ, ସାର ସହିତ ଋଣ ପାଉନଥିବାରୁ ହା ହାକାର ଅବସ୍ଥା ସୃଷ୍ଟି ହେଲାଣି । ତେଣୁ ଚାଷ ପାଇଁ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ।

ଶ୍ରୀମତୀ ଟେଟେ ଏ ସଂକ୍ରାନ୍ତରେ ସମବାୟ ସଚିବଙ୍କୁ ପତ୍ରଲେଖି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ବିଧାୟିକା ଦର୍ଶାଇଛନ୍ତି ଯେ ଅକ୍ଷୟ ତୃତୀୟା ପରେ ପରେ ଚାଷୀମାନେ ମାନେ ଜମିକୁ ଓହ୍ଲାଇଥାନ୍ତି । ଏହି ସମୟରେ ସେମାନେ ଋଣ ସହତ ଆବଶ୍ୟକ କିସମର ବିହନ ଓ ସାର ଆଦି ଆବଶ୍ୟକ କରିଥାନ୍ତି ।

ଚଳିତବର୍ଷ ମଇ ୧୫ତାରିଖରୁ ଅକ୍ଷୟତୃତୀୟା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍‍ସଗୁଡିକ ଏ ନେଇ ନିରବ । ଚାଷୀଙ୍କ କଥା ଶୁଣାଯାଉ ନାହିଁ । ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ର ଅନୁମୋଦନ ପରେ ଲ୍ୟାମ୍ପସଗୁଡିକ ଚାଷୀଙ୍କୁ ଏହା ଯୋଗାଇଥାନ୍ତି । ହେଲେ ଚଳିତବର୍ଷ ଏହି ବ୍ୟାଙ୍କ କେବଳ ନିରବଦ୍ରଷ୍ଟ ସାଜିଛି ।

ଅନ୍ୟ ପକ୍ଷରେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ର ସଚିବ ଯିଏ କି ସମବାୟ ନିବନ୍ଧକ ଓ ରାଜ୍ୟ ସମବାୟ ବିଭାଗର ବିନାନୁମତିରେ ନିଯୁକ୍ତି ପାଇଥିଲେ ତାଙ୍କ ହାତରୁ ଆର୍ଥିକ କ୍ଷମତାକୁ କାଢି ନିଆଯାଇଛି । କିନ୍ତୁ ସରକାରୀ ଆଦେଶକୁ ନମାନି ଏବେ ବି ସଚିବ ମହାଶୟ ପୂର୍ବଭଳି କାମ କରିବାରେ ଲାଗିଛନ୍ତି ।

ଫଳରେ ଚାଷୀମାନେ ଚଳିତ ଖରିଫ ଋତୁରେ ବର୍ତ୍ତମାନ ସୁଦ୍ଧା ଋଣ ପାଇପାରୁ ନାହାନ୍ତି । ତେଣୁ ଜିଲ୍ଲାରେ ଚାଷୀମାନେ ସମ୍ମୁଖୀନ ହୋଇଥିବା ଏଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ଡିଆରସିଏସ୍‍ଙ୍କୁ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ର ସିଇଓ ଦାୟିତ୍ୱ ସହିତ ଆର୍ôଥକ କ୍ଷମତା ପ୍ରଦାନ କରିବାକୁ ବିଧାୟିକା ଶ୍ରୀମତୀ ଟେଟେ ଦାବି କରିଛନ୍ତି ।

ଅନ୍ୟ ପକ୍ଷରେ ସୁନ୍ଦରଗଡର ଚାଷୀମାନେ ଆବଶ୍ୟକ ମୁତାବକ ଧାନବିହନ, ସାର ଓ ଋଣ ପାଇବା ପ୍ରସଙ୍ଗରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଚାଷୀମାନେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ମଇ ୧୫ରୁ ଅକ୍ଷୟତୃତୀୟା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନିକଟରେ ବିଭିନ୍ନ କିସମର ଧାନବିହନ, ଡିଏପି ସାର, କୃଷି ଯନ୍ତ୍ରପାତି ଓ ଋଣ ଅର୍ଥ ପହଞ୍ଚି ପାରୁନାହିଁ । ଲ୍ୟାମ୍ପସ୍‍ ସମ୍ପାଦକମାନେ ଏ ନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରୁ ନାହାନ୍ତି । ତେଣୁ ଜିଲ୍ଲାପାଳ ମହୋଦୟ ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦେକ୍ଷପ ନେବାପାଇଁ କୃଷକମାନେ ଦାବି କରିଛନ୍ତି ।