Home Administration ମିଳୁନି ନିୟମିତ ପେନସନ : ଶିକ୍ଷକ ହନ୍ତସନ୍ତ

ମିଳୁନି ନିୟମିତ ପେନସନ : ଶିକ୍ଷକ ହନ୍ତସନ୍ତ

ଭୁବନେଶ୍ୱର : ପେନସନ ଗଣ୍ଡାକ ନମିଳିବାରୁ ପତ୍ନୀଙ୍କ ଚିକିତ୍ସା ହୋଇପାରିଲା ନାହିଁ । ଅବସର ଗ୍ରହଣର ଦେଢବର୍ଷ ପରେ ବି ସରକାର ପୂର୍ଣ୍ଣ ପେନସନ ଦେଲେନାହିଁ । ପତ୍ନୀଙ୍କ ମୃତ୍ୟୁପରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ପତିଙ୍କ କାଗଜପତ୍ରକୁ ଭୁବନେଶ୍ୱର ପଠାଇଛନ୍ତି । ଏହି ହତଭାଗ୍ୟ ଶିକ୍ଷକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକର ପ୍ରଧାନ ଶିକ୍ଷକ ଅବସରପ୍ରାପ୍ତ ନରୋତ୍ତମ ବେହେରା ।

ଶ୍ରୀ ବେହେରା ୨୦୨୦ ଜୁନ୍‍ ମାସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲେ । ବିଭିନ୍ନ ବିଦ୍ୟାଳୟରେ ୩୯ବର୍ଷ ୩ମାସ ୧୯ ଦିନ ଶିକ୍ଷାଦାନ କରିବାପରେ ପାଳଗାଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଅବସଗର ଗ୍ରହଣ କରିଥିଲେ । ଅବସର ଗ୍ରହଣ ପରେ ପେନସନ ଗଣ୍ଡାକ ପାଇଁ ଶିକ୍ଷକ ଜଣଙ୍କ ଶିକ୍ଷା ବିଭାଗ ଅଧିକାରୀଙ୍କୁ ନେହୁରା ହେଲେ ତାଙ୍କ କାଗଜପତ୍ର କଣ୍ଟ୍ରୋଲର ଅଫ୍‍ ଆକାଉଣ୍ଟସକୁ ପଠାଇବା ପାଇଁ ।

ବାରମ୍ବାର ଅନୁରୋଧ ପରେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କର କାଗଜାତପତ୍ର ପଠାଇନଥିଲେ । ତେବେ କିଛିଦିନ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରୋଭିଜନାଲ ପେନ୍‍ସନ ମିଳିଥିଲା । ତେବେ ଏହି ଅର୍ଥରେ ପତ୍ନୀଙ୍କ କର୍କଟ ଚିକିତ୍ସା କରିବା ସହଜ ନଥିଲା । ଶେଷରେ ଚଳିତ ମାସ ୧୩ ତାରିଖରେ ଶ୍ରୀ ବେହେରାଙ୍କ ପତ୍ନୀ କର୍କଟ ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିଲେ । ପ୍ରଧାନ ଶିକ୍ଷକଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବ୍ଲକ ଶିକ୍ଷା ଅଧିକାରୀ ତର ତର ହୋଇ ସମ୍ପୃକ୍ତ ଶିକ୍ଷକଙ୍କ ଚାକିରି ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର କଣ୍ଟ୍ରୋଲର ଅଫ ଆକାଉଣ୍ଟସ୍‍କୁ ପଠାଇଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଅବସର ଗ୍ରହଣ ଦିନ ସରକାରୀ କର୍ମଚାରୀଙ୍କୁ ପେନ୍‍ସନ ପ୍ରଦାନ ପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶ ଗଲା କୁଆଡେ ? କିଛି ସରକାରୀ ଅଧିକାରୀମାନଙ୍କ ପାଇଁ ନରୋତ୍ତମ ସାର୍‍ଙ୍କ ଭଳି ଅନେକ ବ୍ୟକ୍ତି ପେନ୍‍ସନ ଗଣ୍ଡାକ ପାଇବାପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି ।

ନିୟମ ଅନୁଯାୟୀ ଅବସର ଗ୍ରହଣ କରିବାର ଛଅ ମାସ ପୂର୍ବରୁ ସରକାରୀ କର୍ମଚାରୀମାନଙ୍କର ସମସ୍ତ କାଗଜପତ୍ର ପସ୍ତୁତ ହେବା କଥା । ଯାହା ଫଳରେ ଅବସରଗ୍ରହଣ ଦିନ ହିଁ ସମ୍ପୃକ୍ତ କର୍ମଚାରୀ ତାଙ୍କର ପେନ୍‍ସନ ଗଣ୍ଡାକ ପାଇପାରିବେ । ତେବେ ଅଧିକାଂଶ କ୍ଷେତ୍ରରେ ଏହା ହେଉନାହିଁ । ଏଭଳି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । (ତଥ୍ୟ)