Home Covid ଚାରି ଦିନରେ ୪୭୬ ଶିଶୁ ସଂକ୍ରମିତ

ଚାରି ଦିନରେ ୪୭୬ ଶିଶୁ ସଂକ୍ରମିତ

ଭୁବନେଶ୍ୱର : ଚାରି ଦିନ ମଧ୍ୟରେ ରାଜ୍ୟରେ ୪୭୬ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ବୟସ ୧୮ମଧ୍ୟରେ ହୋଇଥିବା ସରକାରୀ ସୂଚନାରୁ ଜଣାପଡିଛି ।

ଅଗଷ୍ଟ ୧୪ତାରିଖରୁ ରାଜ୍ୟ ସରକାର ସଂକ୍ରମିତ ହେଉଥିବା ଶିଶୁଙ୍କ ତାଲିକା ଜାରି କରୁଛନ୍ତି । ୧୪ତାରିଖରେ ରାଜ୍ୟରେ ମୋଟ୍‍ ୧୦୫୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ୧୩୮ ରହିଥିଲା । ୧୫ତାରିଖରେ ୮୬୮ ସଂକ୍ରମିତଙ୍କ ମଧ୍ୟରୁ ୧୦୪ଜଣ ଶିଶୁ ଥିବାବେଳେ ୧୬ତାରିଖରେ ୭୨୦ ସଂକ୍ରମିତଙ୍କ ମଧ୍ୟରେ ୯୬ ଜଣ ଏବଂ ୧୭ ତାରିଖରେ ୯୯୩ ସଂକ୍ରମିତଙ୍କ ମଧ୍ୟରୁ ୧୩୮ଜଣ ଶିଶୁ ରହିଛନ୍ତି । ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ବଢିବା ଏବଂ ଏହା ପ୍ରାୟ ୨୦ ପ୍ରତିଶତ ଆଖପାଖରେ ରହୁଥିବା ଲକ୍ଷ୍ୟ କରାଯାଉଛି ।

ସେହିଭଳି ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ କରୋନାରେ ଆଉ ୬୫ଜଣ ପ୍ରାଣ ହରାଇଥିବା ସହିତ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୦୮୬ରେ ପହଞ୍ଚିଛି । ମୃତକ ୬୫ଜଣଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୫ଜଣ ଥିବାବେଳେ ଜଗତସିଂହପୁର ଜିଲ୍ଲାରୁ ୧୧ଜଣ ରହିଛନ୍ତି ।

ଅନ୍ୟ ପକ୍ଷରେ ସଂକ୍ରମିତ ମୋଟ୍‍ ୯୯୩ଜଣଙ୍କ ମଧ୍ୟରୁ ସର୍ବାଧିକ ୪୧୯ଜଣ ଖୋରଧା ଜିଲ୍ଲାରୁ ହୋଇଥିବାବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୯୫, ଯାଜପୁରରୁ ୬୦, ଜଗତ୍‍ସିଂହପୁରରୁ ୫୧, ମୟୁରଭଞ୍ଜରୁ ୪୨ ଓ ପୁରୀରୁ ୨୫ଜଣ ରହିଛନ୍ତି । ନୂଆପଡା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଗଜପତି ବୌଦ ଜିଲ୍ଲାରୁ ମାତ୍ର ଜଣେ କରି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫୩୬ରେ ପହଞ୍ଚି ଥିବାବେଳେ ଏଥିରୁ ସର୍ବାଧିକ ୩୫୬୪ ଖୋରଧା ଜିଲ୍ଲାରୁ ଓ ୧୨୯୯ଜଣ କଟକ ଜିଲ୍ଲାରୁ ରହିଛନ୍ତି । ଖୋରଧା ଜିଲ୍ଲା ଏବେ ବି ରେଡ୍‍ ଜୋନ୍‍ ତାଲିକାରେ ରହିଛି । ସବୁଠାରୁ କମ୍‍ ମାତ୍ର ୯ଜଣ ସକ୍ରିୟ ରୋଗୀ ନବରଙ୍ଗପୁର ଜିଲ୍ଲାରେ ରହିଛନ୍ତି ।