Home Finance ଚାରି ଆକାଂକ୍ଷୀ ଜିଲ୍ଲାକୁ୧୪ କୋଟି

ଚାରି ଆକାଂକ୍ଷୀ ଜିଲ୍ଲାକୁ୧୪ କୋଟି

ଉଲ୍ଲେଖନୀୟ ପ୍ରଦର୍ଶନୀ ଲାଗି ରାଜ୍ୟର ୪ ଆକାଂକ୍ଷୀ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ଢେଙ୍କାନାଳକୁ ନୀତି ଆୟୋଗ ୧୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ନୀତି ଆୟୋଗ ଅତିରିକ୍ତ ଭାବେ ଅର୍ଥ ପ୍ରଦାନ କରୁଥିବା ବେଳେ ଓଡ଼ିଶାର ୪ଟି ଜିଲ୍ଲା ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ରାଜ୍ୟର ଏହି ୪ ଜିଲ୍ଲା କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଓ ପାନୀୟ ଜଳ ଏବଂ ପରିମଳ ଆଦି ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହିସବୁ ଜିଲ୍ଲାର କାର୍ଯ୍ୟ ସମୀକ୍ଷା ପରେ ଅର୍ଥ ମଞ୍ଜୁର କରାଯାଇଛି ।

ନବରଙ୍ଗପୁର ଜିଲ୍ଲାକୁ ମିଳିଛି ୫ କୋଟି ଟଙ୍କା । ଏହି ଜିଲ୍ଲା କୃଷି ପ୍ରକଳ୍ପ ବିଶେଷ କରି ଶୁଷ୍କ ଅଞ୍ଚଳରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥାପନ ଏବଂ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ବ୍ୟବସ୍ଥା ଓ ଇ-ନାମ୍‍ ପରୀକ୍ଷାଗାର ସ୍ଥାପନ ପାଇଁ ଏହି ଅର୍ଥ ପାଇପାରିଛି । ଅନୁରୂପ ଭାବେ ନବରଙ୍ଗପୁର ଇ-ସ୍ମାର୍ଟ ଶ୍ରେଣୀ କକ୍ଷ ସ୍ଥାପନ ଏବଂ ରକ୍ତହୀନତା ମୁକ୍ତ ବ୍ଲକ୍‍ ଯୋଜନା ପାଇଁ ତାଲିକାରେ ସ୍ଥାନ ପାଇଛି ।

ନୂଆପଡ଼ା ଜିଲ୍ଲା ଭିତ୍ତିଭୂମି ଉନ୍ନୟନ ଲାଗି ଡେଲ୍‍ଟା ର୍ୟାଙ୍କିଙ୍ଗ୍‍ରେ ପ୍ରଥମ ସ୍ଥାନ ପାଇ ୩ କୋଟି ଟଙ୍କା ହାତେଇଥିବାବେଳେ ଏଥିରେ ୨୫ଟି ସରକାରୀ ବିଦ୍ୟାଳୟ ବିଶେଷ କରି ବାଳିକା ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯିବ । ଏହି ଜିଲ୍ଲାରେ ବାଳିକା ଶିକ୍ଷାର ବିକାଶ ଲାଗି ଅର୍ଥ ଯୋଗାଇ ଦିଆଯାଉଛି ।

ମାଲକାନଗିରି ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ ଲାଗି ନୀତି ଆୟୋଗଙ୍କଠାରୁ ପାଖାପାଖି ୩ କୋଟି ଟଙ୍କା ପାଇଛି । ଏହି ଜିଲ୍ଲାରେ କୃଷି ପ୍ରକଳ୍ପ ବିଶେଷକରି ଆଗ୍ରୋ ଇକୋଲୋଜି ଏବଂ ଆଗ୍ରୋ ବାୟୋ ଡାଇଭର୍ସିଟି ବିକାଶ ଲାଗି ଅର୍ଥ ବ୍ୟୟ କରାଯିବ ।

ନୀତି ଆୟୋଗ ଯୋଗାଇ ଦେଇଥିବା ଅର୍ଥରେ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‍ରୁମ୍‍, ଗ୍ରାମାଞ୍ଚଳ ପରିବାରକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଣ ହେବ ବୋଲି ଅଧିକାରୀମାନେ କହିଛନ୍ତି । ଆକାଂକ୍ଷୀ ଜିଲ୍ଲା ଦୟିତ୍ୱରେ ଥିବା କେନ୍ଦ୍ରୀୟ ଓ ରାଜ୍ୟ ପ୍ରଭାରୀ ଅଧିକାରୀମାନେ ଏହିସବୁ ପ୍ରକଳ୍ପକୁ ଅନୁମୋଦନ କରିଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ପଛୁଆ ଜିଲ୍ଲାଗୁଡ଼ିକ ଲାଗି ପାଣ୍ଠି ମଞ୍ଜୁର କରିଛନ୍ତି ।

ନୀତି ଆୟୋଗଙ୍କ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାପାଳମାନଙ୍କୁ ପ୍ରଶଂସା କରାଯାଇଛି । ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି । ରକ୍ତହୀନତା ମୁକ୍ତ ବ୍ଲକ୍‍ରେ ପିଲାମାନଙ୍କ କୃମିନାଶକ ସାମିଲ ସହିତ ପୁରୁଷମାନଙ୍କ ରକ୍ତହୀନତା ଅନୁଧ୍ୟାନ କରାଯିବ ବୋଲି ସୂଚନା ମିଳିଛି ।