Home General ଚାକିରି କ୍ଷେତ୍ରରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ଦ୍ୱନ୍ଦ

ଚାକିରି କ୍ଷେତ୍ରରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣକୁ ସୁପ୍ରିମ୍‍କୋର୍ଟ ଅଗ୍ରାହ୍ୟ କରିଥିବାବେଳେ ମେଡିକାଲ କଲେଜ ନାମଲେଖାରେ କିନ୍ତୁ ଓବିସି ଓ ଇବିସି ପାଇଁ ସଂରକ୍ଷଣ ସପକ୍ଷରେ ମତ ଦେଇଛନ୍ତି । ତେବେ ସରକାରୀ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଏ ପରିପ୍ରେକ୍ଷୀରେ ରହିବ କି ନରହିବ ସେଥିଘେନି ଦ୍ୱନ୍ଦ ଉପୁଜିଛି ।

ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମାମଲାରେ ହସ୍ତକ୍ଷେପ କରି ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଦିଆଯାଇ ପାରିବନାହିଁ ବୋଲି ସୁପ୍ରିମ୍‍କୋର୍ଟ କହିବାପରେ ମଧ୍ୟପ୍ରଦେଶରେ ନିର୍ବାଚନ ବାତିଲ ହୋଇଛି ଏବଂ ମହାରାଷ୍ଟ୍ର ସରକାର ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଭିମୁଖ୍ୟ ପୂର୍ବରୁ ଓଡିଶା ସରକାର ପଛୁଆବର୍ଗଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ୨୭ପ୍ରତିଶତ ଆସନ ସଂରକ୍ଷଣ ରଖି ସ୍ୱତନ୍ତ୍ର ଆଇନ୍‍ କରିଥିଲେ ।

ଫଳରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ମିଶାଇ ମୋଟ ସଂରକ୍ଷଣ ସୀମା ୬୫ ପ୍ରତିଶତକୁ ଟପିଗଲା । ତେବେ ସୁପ୍ରିମ୍‍କୋର୍ଟ ପୂର୍ବରୁ ଅନ୍ୟ କେତେକ ରାୟରେ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିବାକୁ କହିବାରେ ରାଜ୍ୟ ସରକାର ବିଧାନସଭାରେ ସ୍ୱତନ୍ତ୍ର ବିଲ୍‍ ଆଣି ପୂର୍ବ ଆଇନ୍‍କୁ ସଂଶୋଧନ କରି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ୨୭ରୁ ୧୧.୨୫ ପ୍ରତିଶତକୁ ହ୍ରାସ କରିଥିଲେ ।

ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରିପ୍ରେକ୍ଷୀରେ ସୁପ୍ରିମ୍‍କୋର୍ଟ ଦେଇଥିବା ରାୟ ଆଧାରରେ ପୁଣିଥରେ ରାଜ୍ୟ ସରକାର ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ ଆଣି ଚଳିତ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ସଂରକ୍ଷଣ କାଟି ଦେଇ କେବଳ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ସଂରକ୍ଷଣ ରଖିବାକୁ ବାଧ୍ୟ ହୋଇଥିଲେ ।

ମହାରାଷ୍ଟ୍ରରେ କଂଗ୍ରେସ, ଏନ୍‍ସିପି ଓ ଶିବସେନା ମେଣ୍ଟ ସରକାର ଏବଂ ମଧ୍ୟପ୍ରଦେଶରେ ବିଜେପି ସରକାର ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟଙ୍କ ରାୟ ମାନି ନେଇଥିବାବେଳେ ଓଡିଶାରେ କିନ୍ତୁ ବିଜେପି ଓ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ପ୍ରମୁଖ ପ୍ରସଙ୍ଗ କରୁଛନ୍ତି । ତେବେ ବିଜେଡି ସର୍ବୋଚ୍ଚ ନ୍ୟାୟାଳୟର ରାୟ ଆଧାରରେ ସଂରକ୍ଷଣକୁ ମାନି ନେଇଥିବାବେଳେ ଦଳୀୟ ସ୍ତରରେ କିନ୍ତୁ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗର ଅତି କମ୍‍ରେ ୪୦ ପ୍ରତିଶତଙ୍କୁ ପ୍ରାର୍ଥୀ କରିବାର ଘୋଷଣା କରିଥିଲା ।

କେନ୍ଦ୍ର ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ମୋଟ୍‍ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବାବେଳେ ସଂରକ୍ଷଣସୀମା ୫୦ ପ୍ରତିଶତରେ ସୀମିତ ରଖିବାକୁ ସୁପ୍ରିମ୍‍କୋର୍ଟଙ୍କ ରାୟ ଆଧାରରେ ପଛୁଆବର୍ଗଙ୍କ ପାଇଁ ଚାକିରିରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଛନ୍ତି । ଅନ୍ୟ ପକ୍ଷରେ ଓଡିଶାରେ ଚାକିରି କ୍ଷେତ୍ରରେ ଏସ୍‍ସି ଓ ଏସଟିଙ୍କ ଲାଗି ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୩୮.୭୫ ପ୍ରତିଶତ ସଂରକ୍ଷିତ ଥିବାବେଳେ ପଛୁଆବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ରଖିବାକୁ ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି ।

୨୦୦୮ ମସିହାରେ ସ୍ୱତନ୍ତ୍ର ଆଇନ୍‍ ଆଣି ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ସଂରକ୍ଷଣ ୧୧.୨୫ ରୁ ୨୭ପ୍ରତିଶତକୁ ବଢାଯାଇଥିଲେ ମଧ୍ୟ ଆଇନ୍‍ ଅଦାଲତରେ ଏହା ଅଗ୍ରାହ୍ୟ ହୋଇଯିବାରୁ ରାଜ୍ୟ ସରକାର ପୁଣି ପଛୁଆବର୍ଗଙ୍କ ପାଇଁ ଚାକିରିରେ ସଂରକ୍ଷଣ ୧୧.୨୫ପ୍ରତିଶତକୁ କମାଇଛନ୍ତି । ଏବେ ସୁପ୍ରିମ୍‍କୋର୍ଟ ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ସଂରକ୍ଷଣକୁ ମନାକରି ଦେଇଥିବାବେଳେ ଡାକ୍ତରୀ ପଢିବାପାଇଁ କିନ୍ତୁ ଏହି ବର୍ଗଙ୍କ ପାଇଁ ସଂରକ୍ଷଣକୁ ହଁ କରିଥିବା ପରିପ୍ରେକ୍ଷୀରେ ସରକାରୀ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କେତେ ପ୍ରତିଶତ କରି ସଂରକ୍ଷଣ ରଖିବେ ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here