Home Education ଚଳ ଚଞ୍ଚଳ ଅଙ୍ଗନବାଡ଼ି କେନ୍ଦ୍ର

ଚଳ ଚଞ୍ଚଳ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : କରୋନା ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନାବଡି କେନ୍ଦ୍ର ଖୋଲିବାକୁ ଅନୁମତି ଦେବାପରେ ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡିକ ଚଳଚଞ୍ଚଳ ହୋଇ ଉଠିଛି । ପ୍ରାୟ ୧୦ମାସ ପରେ କୁନି କୁନି ପିଲାଙ୍କ କୋଳାହଳରେ ଏହା ପୂରି ଉଠିଛି ।

ମହିଳା ଓ ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଏସ୍‌ଓପି ଅନୁସାରେ ଗତ ଦୁଇଦିନ ଧରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଶୋଧନ କରାଯାଇଥିଲା । ପ୍ରତ୍ୟହ ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଅଙ୍ଗନବାଡ଼ି ଖୋଲିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ହାତ ପରିଷ୍କାର କରି ଧୋଇବା ସହ ପାରମ୍ପରିକ ରୀତିନୀତିରେ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା । ପିଲାମାନେ ବହୁ ଦିନ ପରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ ପାଇଁ କେନ୍ଦ୍ରକୁ ଆସିଥିବାରୁ ଅତ୍ୟନ୍ତ ଖୁସି ଥିଲେ । ସେମାନଙ୍କୁ କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା ।

ଏହାବ୍ୟତୀତ ଆଜି ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗର୍ଭବତୀ, ପ୍ରସୂତୀ ମହିଳା ତଥା ଶିଶୁମାନଙ୍କ ପାଇଁ ଟେକ୍‌ ହୋମ୍‌ ରାସନ ବଣ୍ଟନ କରାଯାଇଥିଲା । କେତେକ ସ୍ଥଳରେ ପୂର୍ବାହ୍ନ ୧୧ଟା ପରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ପହଞ୍ଚି ଶୁଖିଲା ରାସନ୍‌ ବଣ୍ଟନ କରିଥିଲେ । ଏହିସବୁ କାର୍ଯ୍ୟକ୍ରମ ସମୟରେ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଦର ମହକୁମା ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଲି ଦେଖିବା ସହ ଏହାର ପରିଚାଳନା ବ୍ୟବସ୍ଥାକୁ ତଦାରଖ କରିଛନ୍ତି । ଅନେକଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସ୍ୱାଗତ କରିବା ନିମେନ୍ତ ସାଜସଜ୍ଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି ।