Home General ଚର୍ଚ୍ଚାରେ ଦୁଇଟି ପ୍ରସଙ୍ଗ

ଚର୍ଚ୍ଚାରେ ଦୁଇଟି ପ୍ରସଙ୍ଗ

ଭୁବନେଶ୍ୱର : କରୋନା ମହାମାରୀରେ ନିରାଡମ୍ବର ଭାବେ ସ୍ୱାଧୀନତା ଦିବସ ପାଳିତ ହେଉଥିବାବେଳେ ଏଥର ଦୁଇଟି ପ୍ରସଙ୍ଗ ସାଧାରଣ ଲୋକଙ୍କ ମଧ୍ୟରେ ଛାଇହୋଇ ଯାଇଛି । ଗୋଟିଏ ହେଲା ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କଂଗ୍ରେସନାଲ ଗୋଲ୍ଡ ମେଡାଲ’ ମରଣତ୍ତୋର ଭାବେ ମହାତ୍ମାଗାନ୍ଧୀଙ୍କୁ ପ୍ରଦାନ କରିବାଲାଗି ସେଠାକାର କଂଗ୍ରେସରେ ପ୍ରସ୍ତାବ ଆଗତ ପ୍ରସଙ୍ଗ ।

ଅନ୍ୟଟି ହେଲା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଅହମ୍ମଦାବାଦ ନିକଟରେ ଥିବା ଗାନ୍ଧୀଜୀଙ୍କ ସାବରବତି ଆଶ୍ରମକୁ ଭାଙ୍ଗିଦେଇ ସେଠାରେ ୧୨୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଗାନ୍ଧୀ ଆଶ୍ରମ ମେମୋରିଆଲ ଆଣ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ନିର୍ମାଣ କରିବାପାଇଁ ଥିବା ସରକାରଙ୍କ ପ୍ରସ୍ତାବ ।

ଆମେରିକାର କଂଗ୍ରେସନାଲ ଗୋଲ୍ଡ ମେଡାଲ ପୂର୍ବରୁ ଜର୍ଜ ୱାଶିଂଟନ, ନେଲସନ ମାଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ (ଜୁନିୟର), ମଦର ଟେରେସା ଓ ରୋଜା ପାର୍କସ୍‍ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଛି । ଅତୀତରେ ବି ଗାନ୍ଧୀଙ୍କୁ ଏହି ସମ୍ମାନ ମରଣତ୍ତୋର ଭାବେ ପ୍ରଦାନ କରିବାଲାଗି ଉଦ୍ୟମ ହୋଇଛି । ସ୍ୱାଧୀନତା ଦିବସ ପୂର୍ବରୁ ଆମେରିକା କଂଗ୍ରେସରେ କ୍ୟାରୋଲିନ୍‍ ବି ମାଲୋନି ନାମକ ସେଠାକାର ହାଉସ ଅଫ୍‍ ରିପ୍ରେଜେଣ୍ଟିଭର ସଦସ୍ୟ ଏହି ପ୍ରସ୍ତାବ ଆଗତ କରିଛନ୍ତି ।

କେବଳ ଭାରତର ସ୍ୱାଧୀନତା ନୁହେଁ ସମଗ୍ର ବିଶ୍ୱକୁ ଗାନ୍ଧୀଜୀ ଯେଭଳି ସତ୍ୟ, ଅହିଂସା ଓ ସତ୍ୟାଗ୍ରହର ବାର୍ତ୍ତା ଦେଇ ବର୍ଣ୍ଣବୈଷମ୍ୟ, ଅତ୍ୟାଚାର ଓ ପରାଧିନତାରୁ ମୁକ୍ତି ଲାଗି ନୂଆ ଆଲୋକ ଦେଖାଇଛନ୍ତି ତାହା ବିଶ୍ୱକୁ କାଳ କାଳ ଲାଗି ଉଦ୍‍ଭାସିତ କରି ରଖୁଥିବ ବୋଲି କାରୋଲିନ୍‍ ମତବ୍ୟକ୍ତ କରିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟୁନ ୩୫ଟି ସହରରେ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତି ରହିଛି । ୱାଶିଂଟନ, ସାନଫ୍ରାନସିସ୍କୋ, ନ୍ୟୁୟର୍କ ଓ କାଲିଫର୍ଣ୍ଣିଆ ସମେତ ମିଳିତ ଜାତିସଂଘ ମୁଖ୍ୟାଳୟରେ ବି ଗାନ୍ଧୀମୂର୍ତ୍ତି ରହିଛି । ବିଶ୍ୱର ଅନ୍ୟୁନ ତିନି ଚତୁର୍ଥାଂଶ ଦେଶରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଥିବାବେଳେ ଲଣ୍ଡନରେ ପାର୍ଲାମେଣ୍ଟ ସ୍କୋୟାରରେ ମଧ୍ୟ ଏକ ବିଶାଳ ଗାନ୍ଧୀମୂର୍ତ୍ତି ରଖାଯାଇଛି । ଗାନ୍ଧୀଜୀଙ୍କ ଜନ୍ମଦିନ ଅକ୍ଟୋବର ୨କୁ ଜାତିସଂଘର ପ୍ରସ୍ତାବ କ୍ରମେ ଆର୍ନ୍ତଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ବସ୍ତୁତଃ ସମଗ୍ର ବିଶ୍ୱରେ ଗାନ୍ଧୀଜୀ ଭାରତର ପରିଚିତି ବୋଲି ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ କହିଛନ୍ତି ।

ବିଶ୍ୱରେ ଗାନ୍ଧୀ ଦର୍ଶନର ଆଦର ବଢୁଥିବାବେଳେ ସ୍ୱାଧୀନତା ଆନ୍ଦୋଳନବେଳେ ସେ ପ୍ରତିଷ୍ଠା କରିଥିବା ସାବରବତି ଆଶ୍ରମର ପୁନଃ ନିର୍ମାଣ ଆଳରେ ଏହାକୁ ଧ୍ୱଂସ କରିବାଲାଗି ଷଡଯନ୍ତ୍ର ଚାଲିଥିବା ଘେନି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି । ବିଶେଷକରି ସ୍ୱାଧୀନତା ଦିବସ ଅବସରରେ ଅନେକ ସ୍ଥାନରେ ପତାକା ଉତ୍ତୋଳନ ପରେ ବକ୍ତାମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ଦିଲ୍ଲୀରେ ଯେଉଁ ସଂସ୍ଥା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କରୁଛି ସେହି ସଂସ୍ଥା ହାତରେ ସାବରମତି ଗାନ୍ଧୀ ଆଶ୍ରମର ପୁନଃ ନିର୍ମାଣ ପାଇଁ ଉଦ୍ୟମ ଚାଲିଛି । ଗାନ୍ଧୀଜୀ ମିତବ୍ୟୟିତା, ସରଳ ଜୀବନ ଯାପନ, ସତ୍ୟ ଓ ଅହିଂସା ଉପରେ କେବଳ ବିଶ୍ୱାସ କରୁନଥିଲେ, ସଂସ୍ଥାମୁକ୍ତ ଓ ନିଧିମୁକ୍ତ ହୋଇ ସ୍ୱେଚ୍ଛାକୃତ ଦାରିଦ୍ର‌୍ୟ ବରଣ ସହ ଦେଶରେ ସ୍ୱାଧୀନତା ଆନ୍ଦୋଳନ ସଂଗେ ସଂଗେ ସାମାଜିକ, ରାଜନୈତିକ, ଆର୍ଥିକ, ନୈତିକ, ଅଧ୍ୟାତ୍ମିକ କ୍ଷେତ୍ରରେ ବିକାଶ ପାଇଁ ନିରନ୍ତର ସଂଘର୍ଷ କରୁଥିଲେ । ଏଠାରେ ସରଳ ପରିବେଶକୁ ନଷ୍ଟକରି ବ୍ୟୟବହୁଳ ଅଟାଳିକା ର୍ନିମାଣ କରିବା ଗାନ୍ଧୀଦର୍ଶନ ପ୍ରତି ଅପମାନ ବୋଲି ଶ୍ରୀ ସିଂହ କହିଛନ୍ତି । (ତଥ୍ୟ)