Home Covid ଘରୋଇ ଡାକ୍ତରଖାନାରେ ସରକାରୀ ଟିକା ମନା

ଘରୋଇ ଡାକ୍ତରଖାନାରେ ସରକାରୀ ଟିକା ମନା

ଭୁବନେଶ୍ୱର : ଘରୋଇ ଡାକ୍ତରଖାନାରେ କେନ୍ଦ୍ର ସରକାର ଯୋଗାଉଥିବା ଟିକା ଦିଆଯାଇ ପାରିବ ନାହିଁ । ଯଦି ଘରୋଇ ଡାକ୍ତରଖାନାମାନେ ଚାହିଁବେ ତେବେ ସେମାନେ ସିଧାସଳଖ ଟିକା କିଣି ଦେଇପାରିବେ । ଯଦି କୌଣସି ଡାକ୍ତରଖାନାକୁ ଯୋଗାଯାଇଥିବା ଟିକା ଥାଏ ତେବେ ତାହାକୁ ଫେରାଇ ଆଣିବାକୁ କୁହାଯାଇଛି ।

ଆଜି ଏହି ମର୍ମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନଙ୍କୁ ପତ୍ର ଲେଖିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ଖରିଦ କରୁଥିବା ଟିକାକୁ ରାଜ୍ୟର କେତେକ ଘରୋଇ ଡାକ୍ତରଖାନାରେ କ୍ୟାମ୍ପ କରି ଦିଆଯିବାଲାଗି ଅନୁମତି ପ୍ରଦାନ କରାଯାଇଥିଲା । ଏଥିରେ କେବଳ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ଟିକାର ଦେବାର ବ୍ୟବସ୍ଥା ଥିଲା ।

ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ୧୮ବର୍ଷରୁ ଉର୍ଦ୍ଧ ସମସ୍ତଙ୍କ ପାଇଁ ଟିକା ମାଗଣାରେ ଯୋଗାଣ କରୁଥିବାରୁ ତୁରନ୍ତ ଘରୋଇ ଡାକ୍ତରଖାନାରେ କ୍ୟାମ୍ପକୁ ବାତିଲ କରାଯିବା ସହିତ ଯଦି କାହାରି ନିକଟରେ ଟିକା ରହିଥାଏ ତେବେ ତାହାକୁ ଫେରାଇ ଅଣାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରିବର୍ତ୍ତିତ ନିର୍ଦ୍ଦେଶ ଅନୁଯାୟୀ ଯଦି କୌଣସି ଡାକ୍ତରଖାନା ଟିକାକରଣ କରିବାକୁ ଚାହିଁବେ ତେବେ ସିଏ ସିଧାସଳଖ ଟିକା ଉତ୍ପାଦନକାରୀଙ୍କ ଠାରୁ ଏହା ଖରିଦ କରିପାରିବେ ।