Home Judiciary ଗଡ଼ୁଛି ମଦମୃତ୍ୟୁ ମାମଲା

ଗଡ଼ୁଛି ମଦମୃତ୍ୟୁ ମାମଲା

ଭୁବନେଶ୍ୱର : ପ୍ରାୟ ହଜାରେ ଲୋକଙ୍କ ଜୀବନ ନେଇଥିବା କଟକ ମଦମୃତ୍ୟୁ ଦୁର୍ଘଟଣାକୁ ଆଜି ଆଉ ବର୍ଷେ ପୁରୁଛି । ୨୯ ବର୍ଷ ତଳେ ଘଟିଥିବା ଏହି ଗଣନରସଂହାର ମାମଲାର ବିଚାର ଏପର୍ଯ୍ୟନ୍ତ ସରିନାହିଁ । ଏହି ଭୟଙ୍କର କାଣ୍ଡରେ ଆଜୀବନ ବିକଳାଙ୍ଗ ହୋଇଥିବା ଅନେକ ଲୋକଙ୍କର ଇତିମଧ୍ୟରେ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ଏବେ ବି ପଙ୍ଗୁ ଅବସ୍ଥାରେ ପରିବାର ପାଇଁ ବୋଝ ହୋଇ ରହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୨ ମଇ ମାସର ୭/୮ ତାରିଖରେ ବିଷାକ୍ତ ମଦ୍ୟପାନ କରି କଟକ ଓ ଭୁବନେଶ୍ୱରର ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ସେତେବେଳେ ଦେଶ ବିଦେଶରେ ଏହି ଲୋମଟାଙ୍କୁରା ବିଭତ୍ସ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ଏହି ପ୍ରସଙ୍ଗରେ ବ୍ୟାପକ ଗଣଆନ୍ଦୋଳନ ହେବାରୁ ସରକାର ଦୀର୍ଘମାସ ପାଇଁ କଟକର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ । ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ତତ୍କାଳୀନ ସମ୍ପାଦକ ପ୍ରହଲାଦ କୁମାର ସିଂହ ଏବଂ ଓଡ଼ିଶା ହାଇକୋର୍ଟର ଆଉ ଦୁଇଜଣ ଆଇନ୍‍ଜୀବୀ ଜନମୋହନ ଦାସ ଓ ଅନୁକୂଳ ଚନ୍ଦ୍ର ଦାସ ଏ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାକୁ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଭାବେ ଗ୍ରହଣ କରି ସେତେବେଳର ମୁଖ୍ୟ ବିଚାରପତି ବି.ଏଲ୍‍ ହଂସାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଦ ପାଇଁ ଘଟିଥିବା ନରସଂହାର ଘେନି ଉଦ୍‍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହାର ବିଚାର ବିଭାଗୀୟ ତଦନ୍ତ ଏବଂ ମୃତାହତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟ ମଧ୍ୟ ଯାଇଥିଲେ । ସେତେବେଳେ ମନମୋହନ ଚୌଧୁରୀ, ବିଶ୍ୱନାଥ ପଣ୍ଡିତ, ତ୍ରିଲୋଚନ କାନୁନ୍‍ଗୋ ଆଦିଙ୍କ ନେତୃତ୍ୱରେ ବ୍ୟାପକ ଗଣଜାଗରଣ ସୃଷ୍ଟି କରାଯାଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ କଟକ ମଦମୃତ୍ୟୁର ପ୍ରଶାସନିକ ତଦନ୍ତ କରି ତତ୍କାଳୀନ ଆର୍‍ଡିସି ଚୋରା ମଦ ବେପାରୀଠାରୁ ସରକାର ଚଳାଉଥିବା ବ୍ୟକ୍ତିବିଶେଷ, ଥାନା ଫାଣ୍ଡି ଓ ଅନ୍ୟମାନେ ନିୟମିତ ବଟି ନେଉଥିବା ଦର୍ଶାଇଥିଲେ । କ୍ରାଇମ୍‍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତାଙ୍କ ରିପୋର୍ଟରେ ଖାକି ପୋଷାକ ପରିହିତ ଅବକାରୀ ଓ ପୁଲିସର କିଛି କର୍ମଚାରୀ ଚୋରା ମଦ ବେପାରୀର ପୋଷା କୁକୁର ଭଳି କାମ କରୁଥିବାରୁ ଏହି ବେଆଇନ୍‍ କାର୍ଯ୍ୟକଳାପ ବଢୁଥିବା ବେଳେ ଏମାନଙ୍କ ଉପସ୍ଥିତି ଅନୁଭୂତ ହେଉନଥିବା କଥା ଉଲ୍ଲେଖ କରିଥିଲେ ।

ପରେ ବିଧାନସଭାରେ ଏକ ସଂକଳ୍ପ ପାରିତ କରାଇ ରାଜ୍ୟ ସରକାର ଜଷ୍ଟିସ୍‍ ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ । ଜନସାଧାରଣଙ୍କ ପକ୍ଷରୁ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଶ୍ରୀ ସିଂହ ମୂଳରୁ ଶେଷ ପର୍ଯ୍ୟନ୍ତ କମିଶନରେ ଲଢ଼ିଥିଲ । ଏହି କମିଶନ ଦେଇଥିବା ୪୬୨ ପୃଷ୍ଠାର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଥିଲା ।

ଏଥିରେ ଚୋରା ମଦ ବେପାରୀ ବେଲୁକୁ ଚାରିଜଣ ରାଜନେତା ପୃଷ୍ଠପୋଷକତା ଓ ସହାୟତା ଦେଇଥିବା ଉଲ୍ଲେଖ କରାଯାଇଛି । ଏହି ନେତାମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇସାରିଲାଣି । ଏହି ମଦମୃତ୍ୟୁ ରାଜନୀତିର ଅପରାଧୀକରଣ ନୁହେଁ ତେବେ କ’ଣ ଅପରାଧର ରାଜନୀତିକରଣ କି ବୋଲି କମିଶନ ପ୍ରଶ୍ନ ଉଠାଇବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ କଟକ ମଦମୃତ୍ୟୁରେ ୧୩୪ ଜଣ ଲୋକ ମୃତ୍ୟୁବରଣ କରିଥିବା ସରକାରୀ ଭାବେ ସ୍ୱୀକାର କରାଯାଉଥିବା ବେଳେ ସେତେବେଳେ ଯେତେ ମଦୁଆଙ୍କ ଜୁଇ ଦିନରାତି ୨୪ ଘଣ୍ଟା ଧରି ଜଳୁଥିଲା ଓ ବିଭିନ୍ନ ଡାକ୍ତରଖାନାରେ ଯେତେ ମୃତଦେହ ଗଦା ହୋଇ ରହିଥିଲା ଏବଂ ଆଉ ଯେତେ ଲୋକ ଘରେ ଓ ଘରୋଇ ଡାକ୍ତରଖାନାମାନଙ୍କରେ ମରିଥିଲେ ଏବଂ ଏଥିରେ ରୁଗ୍‍ଣ ହୋଇ ପରେ ଯେତେ ଲୋକଙ୍କ ପ୍ରାଣ ଯାଇଥିଲା ସେ ସବୁର ସଂଖ୍ୟା ହଜାରେରୁ ଅଧିକ ହେବ ।

୨୯ ବର୍ଷ ଧରି ଏହି ସଂଙ୍ଘାତିକ ଅପରାଧିକ ମାମଲା ଗଡ଼ି ଆସୁଥିବା ବେଳେ ତଦନ୍ତକାରୀ ଅଧିକାରୀମାନେ ଅବସର ନେଇସାରିଲେଣି ଓ ଅନେକ ସାକ୍ଷୀ ମଧ୍ୟ ମରିଗଲେଣି । ମୁଖ୍ୟ ଅଭିଯୁକ୍ତ ଅନ୍ୟ ଏକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିବା ବେଳେ କଟକ ମଦମୃତ୍ୟୁ ମାମଲାଗୁଡ଼ିକର ଫଇସଲା ପାଇଁ ଆଉ କେତେଦିନ ଲାଗିବ ତାହା ଆଉନ୍‍ ବିଶେଷଜ୍ଞ, ପୁଲିସ ଓ ସାମାଜିକ କର୍ମୀମାନେ ନିର୍ଦ୍ଦିଷ୍ଟ ଭାବେ କହିପାରୁନାହାନ୍ତି । (ତଥ୍ୟ)