Home Covid ବାଉଳା କରୁଛି ପଞ୍ଜିକରଣ ପୋର୍ଟାଲ

ବାଉଳା କରୁଛି ପଞ୍ଜିକରଣ ପୋର୍ଟାଲ

ଭୁବନେଶ୍ୱର : କୋଭିଡ ଟିକା ନେବାପାଇଁ ପଞ୍ଜିକରଣ ଏବେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବାବେଳେ ରାଜଧାନୀବାସୀ ଏବେ କୋ-ୱିନ୍‍ ୱେବପୋର୍ଟାଲକୁ ନେଇ ବାଉଳା ହେଉଛନ୍ତି । ଏହି ପୋର୍ଟାଲରେ ଗୋଟିଏ ଗୋଟିଏ ଚିକିତ୍ସାଳୟକୁ ଦୁଇ ତିନିଥର ଲେଖା ଭିନ୍ନ ଭିନ୍ନ ନାଁରେ ଦର୍ଶାଯାଉଛି ।

ଟିକା ପାଇଁ ପଞ୍ଜିକରଣ ଓ ସ୍ଲଟ ନେବା ସକାଶେ କୋ-ୱିନ୍‍ ପୋର୍ଟାଲ ହେଉଛି ଅନ୍ୟତମ ମାଧ୍ୟମ । ଅଧିକାଂଶ ଲୋକେ ଏହି ପୋର୍ଟାଲକୁ ଯାଇ ନିଜ ନିଜ ପଞ୍ଜିକରଣ କରୁଛନ୍ତି । ତେବେ ପୋର୍ଟାଲରେ ନିଜ ଜିଲ୍ଲା କିମ୍ବା ନିଜ ଅଞ୍ଚଳର ପୋଷ୍ଟାଲ ପିନ୍‍ କୋଡ୍‍ ନମ୍ବର ଦେଲେ ସେହି ଅଞ୍ଚଳରେ ଟିକାଦାନ ପାଇଁ ଚିହ୍ନଟ ହୋଇଥିବା ଡାକ୍ତରଖାନା ନାମ ସହିତ ମହଜୁଦ ଥିବା ସ୍ଲଟ୍‍ ଦର୍ଶାଯାଉଛି । ତେବେ ଭୁବନେଶ୍ୱର ଜିପିଓର ପିନ୍‍କୋଡ୍‍ ନମ୍ବର ଦେଲେ ଯେତେଗୁଡିଏ ଡାକ୍ତରଖାନାର ତାଲିକା ବାହାରୁଛି ତାହା ମଧ୍ୟରେ ଚାରି ନମ୍ବର ଡାକ୍ତରଖାନା ତିନୋଟି ଭିନ୍ନ ଭିନ୍ନ ନାଁରେ ତିନିଟି ସ୍ଥାନରେ ଆସୁଥିବାବେଳେ ୩ନମ୍ବର ଡାକ୍ତରଖାନା ବି ଅନୁରୂପ ଭାବେ ପୋର୍ଟାଲରେ ଦର୍ଶାଯାଉଛି । ଅବଶ୍ୟ ତିନି ନମ୍ବର ଚିକିତ୍ସାଳୟ ଦୁଇଟି ସ୍ଥାନରେ ଦର୍ଶାଯାଇଥିବାବେଳେ ସେଥିରୁ ଗୋଟିଏ ୧୮ରୁ ୪୪ ଓ ଅନ୍ୟଟି ୪୫ରୁ ଉର୍ଧ ବୟସ୍କଙ୍କ ପାଇଁ ବୋଲି ଦର୍ଶାଯାଇଛି ।

ତେବେ କୋ-ୱିନ୍‍ ପୋର୍ଟାଲରେ ଯେଉଁ ତଥ୍ୟ ଦର୍ଶାଯାଉଛି ନାମ ପଞ୍ଜିକରଣ ପରେ ଟିକା ପାଇଁ ଦିନଧାର୍ଯ୍ୟ କରିବା ବେଳକୁ ତାହା ଆଉ ଦେଖାଉନାହିଁ । ଫଳରେ ପୋର୍ଟଲ ଉପଲବ୍ଧତା ଦେଖି ଯେଉଁମାନେ ସ୍ଲଟ୍‍ ବୁକିଂ କରିବାକୁ ଚାହୁଁଛନ୍ତି ସେମାନେ ହତାଶ ହେବା ସାର ହେଉଛି । ଅବଶ୍ୟ ଦ୍ୱିତୀୟ ଓ ତୃତୀୟ ଉଦ୍ୟମରେ ସେହିସବୁ ଡାକ୍ତରଖାନାରେ ସ୍ଲଟ ମିଳୁଛି । ୱେବସାଇଟ୍‍ର ଏଭଳି କାରବାର ଏବେ ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି ।

ତେବେ ୪୫ବର୍ଷରୁ ଉର୍ଧ ବୟସର ଯେଉଁମାନେ ପ୍ରଥମ ଡୋଜ୍‍ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ଡୋଜ୍‍ ଟିକା ପାଇଁ ପଞ୍ଜିକରଣ କରିପାରୁ ନାହାନ୍ତି । ଅଜାଣତରେ ଅନେକ ପଞ୍ଜିକରଣ କରିନଥିବାବେଳେ ଅବଶିଷ୍ଟ ଲୋକେ ପୋର୍ଟାଲରେ ସ୍ଲଟ ନପାଇ ହଇରାଣ ହରକତ ହେବାରେ ଲାଗିଛନ୍ତି । କିଛି ଲୋକେ ପ୍ରଥମ ଡୋଜ୍‍ ନେଇଥିବା ସାର୍ଟିଫିକେଟକୁ ଧରି ବିନା ପଞ୍ଜିକରଣରେ ଆସି ଟିକାଦାନ କେନ୍ଦ୍ରରେ ହାଜର ହେବାରୁ ଗହଳି ବଢିବାରେ ଲାଗିିଛି ।

ରାଜଧାନୀରେ ଯଦିଓ ଦ୍ୱିତୀୟ ଡୋଜ୍‍ ଟିକା ନେବାକୁ ଥିବା କିଛି ଲୋକେ ସଚେତନ ହୋଇ ପଞ୍ଜିକରଣ କରୁଛନ୍ତି ଓ ସ୍ଲଟ ନେଉଛନ୍ତି ହେଲେ ଗାଁ ଗହଳରେ ଏହା ହୋଇପାରୁ ନାହିଁ । ସାଧନ ଓ ସଚେତନାର ଅଭାବ ଯୋଗୁଁ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । କିଛି ବ୍ୟକ୍ତି ଅନ୍‍ଲାଇନ୍‍ରେ ପଞ୍ଜିକରଣ କରିବା ଅପେକ୍ଷା ଦ୍ୱିତୀୟ ଡୋଜ୍‍ ଟିକା ନନେବାକୁ ବି ମନ ବଳାଇଲେଣି । ତେଣୁ ଗାଁ ଗହଳର ଲୋକେ କିଭଳି ସହଜରେ ନିଜର ପଞ୍ଜିକରଣ କରିବେ ସେ ଦିଗ ପ୍ରତି ଧ୍ୟାନଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)