Home Covid ଗଡ଼ିଲା ସଞ୍ଜୀବନୀ ରଥ

ଗଡ଼ିଲା ସଞ୍ଜୀବନୀ ରଥ

ରାଉରକେଲା : ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ । ଏଥିପାଇଁ ମଙ୍ଗଳବାର ଦିନ “ସଞ୍ଜୀବନୀ ରଥ’ର ଶୁଭାରମ୍ଭ କରାଯାଇଛି ।

ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ ଏବଂ ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

“ମୋର ଆଶା ନଥିଲା ଯେ ମୁଁ ମୋ’ ମା’କୁ କୋଭିଡ୍ ଟିକା ଦେଇ ପାରିବି । କିନ୍ତୁ ରାଉରକେଲା ମହାନଗର ନିଗମର ସୋସିଆଲ ମିଡିଆରୁ ନମ୍ବର ପାଇ ମୁଁ ଆଜି ସକାଳେ କଲ୍ ସେଣ୍ଟରକୁ ଫୋନ୍ କରିଥିଲି । ସଞ୍ଜୀବନୀ ରଥ ଟିମ୍ ଆଜି ଅପରାହ୍‌ଣରେ ଆମ ଘରକୁ ଆସି ମା’କୁ ଟିକା ଦେଇଗଲେ । ଏଥିପାଇଁ ମୁଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି’’, କହିଛନ୍ତି ରାଉରକେଲା ଜଗଦା ଅଞ୍ଚଳର ସଂଗ୍ରାମ ଦାସ । ତାଙ୍କ ମା’ ୮୧ ବର୍ଷିଆ ତିଳୋତ୍ତମା ଦାସ, କିଛି ମାସ ହେଲା ଶଯ୍ୟାଶାୟୀ ଅଛନ୍ତି ।

ତିଳୋତ୍ତମା ହେଉଛନ୍ତି ସଞ୍ଜୀବନୀ ରଥର ପ୍ରଥମ ହିତାଧିକାରୀ । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସଞ୍ଜୀବନୀ ରଥ ଟିମ୍ ସହରର ବିଭିନ୍ନ ସ୍ଥାନକୁ ଯାଇ ଘରେ ଟିକା ନେବାକୁ ଅନୁରୋଧ କରିଥିବା ଶଯ୍ୟାଶାୟୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟିକା ଦେଉଛନ୍ତି । ଏଥିରେ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଏନଏମ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । କୋଭିଡର ପ୍ରଥମ ଲହରୀ ବେଳେ ମଧ୍ୟ ରାଉରକେଲାରେ ସଞ୍ଜୀବନୀ ରଥ ଗଡ଼ିଥିଲା । ସେତେବେଳେ ୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସେବା ପହଞ୍ଚାଇଥିଲା ।

“କୋଭିଡ୍ କ୍ଷେତ୍ରରେ ସଞ୍ଜୀବନୀ ରଥ ଗୋଟିଏ ମାଇଲ ଷ୍ଟୋନ ବୋଲି କହିଲେ ଭୁଲ୍ ହେବ ନାହିଁ । ଏଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଉଛି । ଏହି ପଦକ୍ଷେପ ଏବେ ସହରର ଶଯ୍ୟାଶାୟୀ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ବିଶେଷ ସହାୟକ ହେବ, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ ।

ଏହି ସେବା ପାଇବା ପାଇଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ଭିତରେ ୦୬୬୧-୨୫୧୦୦୩୬ ନମ୍ବରରେ ହିତାଧିକାରୀ ବା ତାଙ୍କ ପରିବାର ଲୋକେ କଲ୍ କରିପାରିବେ । ଲୋକଙ୍କଠାରୁ କଲ୍ ପାଇବା ପରେ ରାଉରକେଲା ମହାନଗର ନିଗମର ଟେଲି ମେଡିସିନ ଟିମ୍ ତାହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ କେଉଁଦିନ ଟିକା ଦିଆଯିବ ତାହାର ବ୍ୟବସ୍ଥା କରୁଛନ୍ତି । ଟିକାଦାନ ପୂର୍ବରୁ ହିତାଧିକାରୀ ବା ତାଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇ ଦିଆଯାଉଛି । ଟିକାଦାନ ବେଳେ ସଞ୍ଜୀବନୀ ରଥ ଟିମ୍ ହିତାଧିକାରୀମାନଙ୍କର ଆବଶ୍ୟକ ପଞ୍ଜୀକରଣ କରାଉଛନ୍ତି ।

“କୋଭିଡ୍ ନିୟନ୍ତ୍ରଣ ପାଇଁ ଏକ ବଡ଼ ପଦକ୍ଷେପ ହେଉଛି ଟିକାକରଣୟ ତେଣୁ ଯେଉଁ ବ୍ୟକ୍ତିମାନେ ଶାରୀରିକ ସମସ୍ୟା ପାଇଁ ଟିକାଦାନ କେନ୍ଦ୍ରକୁ ଆସିପାରୁ ନାହାନ୍ତି । ସେମାନଙ୍କ ଘରେ ପହଞ୍ଚି ଟିକା ଦେବା ଲାଗି ପ୍ରଶାସନ ଏହି ବ୍ୟବସ୍ଥା କରିଛି । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ତଥା ଆଗକୁ ଯେତିକି ଯେତିକି ଟିକା ଆସୁଥିବ ସେହି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଜାରି ରହିବ’, କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

“ଗତ ବର୍ଷ ସଞ୍ଜୀବନୀ ରଥ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲା । ଏବର୍ଷ ଟିକାକରଣ ବେଳେ ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବାର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ’, ବୋଲି କହିଛନ୍ତି ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ ।