Home Judiciary ଗ୍ରାମ ଅଦାଲତକୁ ଅର୍ଥ ଚିନ୍ତା

ଗ୍ରାମ ଅଦାଲତକୁ ଅର୍ଥ ଚିନ୍ତା

ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ପ୍ରତିଷ୍ଠା ହୋଇଥିବା ଗ୍ରାମ ଅଦାଲତଗୁଡିକୁ ଏବେ ଅର୍ଥ ଚିନ୍ତା ଘାରିଲାଣି । କେନ୍ଦ୍ର ସରକାର ଏହିସବୁ ଅଦାଲତ ପାଇଁ ଆଉ ଅର୍ଥ ଦେବେ କି ନାହିଁ ସେଥି ନେଇ ରାଜ୍ୟ ସରକାର ଜାଣିବାକୁ ଚାହିଁଛନ୍ତି । ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ପ୍ରତାପ କୁମାର ପାତ୍ର ଏହି ମର୍ମରେ କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରାଳୟକୁ ପତ୍ର ଲେଖିଥିବା ଜଣାଯାଇଛି ।

୨୦୦୯ ଡିସେମ୍ବର ମାସରେ କେନ୍ଦ୍ର ସରକାର ଗ୍ରାମ ଅଦାଲତ ପ୍ରତିଷ୍ଠା ଲାଗି ଅର୍ଥ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗୋଟିଏ ଗ୍ରାମ ଅଦାଲତ ପ୍ରତିଷ୍ଠା ଲାଗି ଏକକାଳୀନ ୧୮ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ଏବଂ ଏଥିରେ ଅଦାଲତ ଘର ସହିତ ଗାଡି, ଦପ୍ତର ଆସବାବପତ୍ର, କମ୍ପ୍ୟୁଟର ଆଦି ଖରିଦ କରାଯିବ । ତେବେ ଅଦାଲତରେ ଦୈନିନ୍ଦିନ ହେଉଥିବା ଖର୍ଚ୍ଚର ୫୦ ପ୍ରତିଶତ ପ୍ରଥମ ତିନିବର୍ଷ ପାଇଁ କେନ୍ଦ୍ର ସରକାର ବହନ କରିବେ ଏବଂ ଏହି ଖର୍ଚ୍ଚର ସର୍ବୋଚ୍ଚ ସୀମା ୩.୨ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ଶ୍ରୀ ପାତ୍ର କହିଛନ୍ତି । ୨୦୨୧ ଅଗଷ୍ଟମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସଂଶୋଧିତ ନିୟମାବଳୀରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଥିଲା ।

ତେବେ ପରିବର୍ତ୍ତିତ ନିୟମାବଳୀରେ ତିନି ବର୍ଷ ପରେ ଗ୍ରାମ ଅଦାଲତ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ପ୍ରକାର ସହାୟତା ମିଳିବାର ବ୍ୟବସ୍ଥା ନାହିଁ । ଫଳସ୍ୱରୂପ ରାଜ୍ୟ ସରକାର ଗ୍ରାମ ଅଦାଲତ ସମ୍ପୂର୍ଣ୍ଣ ବ୍ୟୟଭାର ବହନ କରୁଥିବା ପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ତିନି ବର୍ଷ ପରେ ଏହି ନ୍ୟାୟାଳୟଗୁଡିକ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ଆଇନ୍‍ ସଚିବ କେନ୍ଦ୍ର ସରକାରଙ୍କ ଠାରୁ ଜାଣିବାକୁ ଚାହିଁଛନ୍ତି । ଯଦି କେନ୍ଦ୍ର ସରକାର ସହାୟତା କରିବେନାହିଁ ତେବେ ଏହାକୁ ରାଜ୍ୟ ଯୋଜନାକୁ ସ୍ଥାନାନ୍ତର କରିବେ କି ବୋଲି ଓଡିଶା ସରକାର ପ୍ରଶ୍ନ କରିଛନ୍ତି ।

ଏହି ଯୋଜନାରେ ଅଦାଲତ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଂଶଧନ ସଂକ୍ରାନ୍ତରେ କୌଣସି ଉଲ୍ଲେଖ ନଥିବାବେଳେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ଆବଶ୍ୟକ ପଡୁଥିବା ଏସ୍‍ଏନ୍‍ଏ ଆକାଉଣ୍ଟରୁ ଏହାକୁ ଉଚ୍ଛେଦ କରାଯିବ କି ବୋଲି ଶ୍ରୀ ପାତ୍ର କେନ୍ଦ୍ରକୁ ପଚାରିଛନ୍ତି । ୧୯୮୬ ମସିହାରେ ଲ କମିଶନ ତାଙ୍କର ୧୧୪ତମ ରିପୋର୍ଟରେ ଗ୍ରାମ ଅଦାଲତ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଥିବାବେଳେ ସମ୍ବିଧାନର ଧାରା ୩୯(କ) ଅନୁଯାୟୀ ଏହା ଅଳ୍ପ ଖର୍ଚ୍ଚରେ ଲୋକଙ୍କୁ ତ୍ୱରିତ ନ୍ୟାୟ ଯୋଗାଇବ ବୋଲି ଦର୍ଶାଯାଇଥିଲା ।

ପ୍ରାୟ ୨୦ବର୍ଷ ପରେ ୨୦୦୮ ରେ କେନ୍ଦ୍ର ସରକାର ଗ୍ରାମୀଣ ନ୍ୟାୟାଳୟ ଆଇନ୍‍ ଆଣିବା ସହିତ ୨୦୦୯ ଅକ୍ଟୋବର ୨ତାରିଖରୁ ଏହାକୁ କାର୍ଯ୍ୟକାରୀ କରିଥିଲେ । ହାଇକୋର୍ଟଗୁଡିକ ସହିତ ପରାମର୍ଶ କରି ଗ୍ରାମ ଅଦାଲତ ପ୍ରତିଷ୍ଠା ଦାୟିତ୍ୱ ରାଜ୍ୟ ସରକାରଙ୍କର ରହିଥିଲା । ଓଡିଶାରେ ୨୩ଟି ଗ୍ରାମୀଣ ନ୍ୟାୟାଳୟ ସ୍ଥାନରେ ମାତ୍ର ୧୯ଟି କାର୍ଯ୍ୟକାରୀ ହେଉଛି ।

ନିକଟରେ ନୀତି ଆୟୋଗ ଏହି ଯୋଜନାର ସମୀକ୍ଷା କରିଥିବାବେଳେ ଏହାକୁ ଜାରି ରଖିବାକୁ ସୁପାରିଶ୍‍ କରିଛନ୍ତି । କେନ୍ଦ୍ର ସରକାର ଯୋଜନାକୁ ଏପ୍ରିଲ୍‍ ୨୦୨୧ ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିବା ସହିତ ଏଥିପାଇଁ ୫୦କୋଟି ଟଙ୍କାର ବ୍ୟୟବରାଦ କରିଥିବା ଜଣାଯାଇଛି । (ତଥ୍ୟ)