Home Environment ଗୋବରରୁ ପ୍ରସ୍ତୁତ ହେଲା ପ୍ରାକୃତିକ ରଙ୍ଗ

ଗୋବରରୁ ପ୍ରସ୍ତୁତ ହେଲା ପ୍ରାକୃତିକ ରଙ୍ଗ

ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏବଂ ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ନୀତିନ ଗଡକରୀ ଆଜି ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଶନଙ୍କ ଦ୍ୱାରା ବିକଶିତ ଗୋବରରୁ ପ୍ରସ୍ତୁତ ଦେଶର ପ୍ରଥମ ପ୍ରାକୃତିକ ରଙ୍ଗର ଉନ୍ମୋଚନ କରଛନ୍ତି । ଉନ୍ନତମାନର ପରିବେଶ ଅନୁକୂଳ ଏହି ରଙ୍ଗ ନାମୀ ଦାମୀ କମ୍ପାନୀର ରଙ୍ଗ ଠାରୁ ଅଧା ଦାମ୍‍ରେ ମିଳିବ ।

ପ୍ରଥମ ଥର ପାଇଁ ନିଜସ୍ୱ ଉତ୍ପାଦିତ ପରିବେଶ ଅନୁକୂଳ, ବିଷ ହୀନ ଏହି ରଙ୍ଗକୁ ‘ଖଦି ପ୍ରାକୃତିକ ରଙ୍ଗ’ କୁହାଯାଉଥିବାବେଳେ ଏହାର ବୀଜାଣୁ ଓ ଶିଉଳି ରହିତ ଗୁଣ ରହିଛି । ଏହାର ପ୍ରମୁଖ ସାମଗ୍ରୀ ଗୋବର ହୋଇଥିବାବେଳେ ଏହି ରଙ୍ଗ ଗନ୍ଧହୀନ ଓ ଦର ଲୋକଙ୍କ କ୍ରୟଶକ୍ତି ମଧ୍ୟରେ ରହିବା ସହିତ ଭାରତୀୟ ମାନକ ବ୍ୟୁରୋରୁ ଏହା ପ୍ରମାଣପତ୍ର ହାସଲ କରିଛି । କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଏମ୍‍ଏସ୍‍ଏମ୍‍ଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଖଦି କମିଶନର ଅଧ୍ୟକ୍ଷ ବିୟନ କୁମାର ସକ୍ସସେନା ଏହି ଅବସରରେ ଉପସ୍ଥିତ ଥିଲେ ।

ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ ଆୟ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗି ସହିତ ଏହି ପଦକ୍ଷେପ ନିଆଯାଇଛି । ଏଭଳି ପଦକ୍ଷେପ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବାପାଇଁ ଉଦ୍ୟମର ଏକ ଅଂଶ ଏବଂ ଏହାଦ୍ୱାରା ଲୋକେ ସହରରୁ ଗ୍ରାମାଞ୍ଚଳକୁ କର୍ମସଂସ୍ଥାନ ପାଇଁ ଆସିବେ । ରଙ୍ଗର ଦର ସଂକ୍ରାନ୍ତରେ ଦର୍ଶାଇ ମନ୍ତ୍ରୀ କହିଥିଲେ ଯେ ଗୋଟିଏ ଲିଟର ଡିସ୍‍ଟେମ୍ପର ରଙ୍ଗର ଦର ୧୨୦ ଟଙ୍କା ହୋଇଥିବାବେଳେ ଗୋଟିଏ ଲିଟର ଏମୁଲେସନ ରଙ୍ଗର ମୂଲ୍ୟ ୨୨୫ଟଙ୍କା, ଯାହାକି ବଡ ବଡ ରଙ୍ଗ କମ୍ପାନୀର ଦର ତୁଳନାରେ ଅଧାରୁ କମ୍‍ । ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ବୃତ୍ତିଗତ ଢଙ୍ଗରେ ଏହି ରଙ୍ଗର ବିକ୍ରି କରାଯିବ ଏବଂ ଦେଶର କୋଣ ଅନୁକୋଣରେ ଏହାକୁ ପହଞ୍ଚାଯିବ ।

ଖଦି ପ୍ରାକୃତିକ ରଙ୍ଗ ଦୁଇଟି କିସମରେ ଉପଲବ୍ଧ ହେବ – ଡିସଟେମ୍ପର ଏବଂ ପ୍ଲାଷ୍ଟିକ ଏମୁଲେସନ ରଙ୍ଗ । ଏହି ପ୍ରକଳ୍ପର ରୂପରେଖ ମାର୍ଚ୍ଚ ୨୦୨୦ ରେ କେଭିଆଇସି ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏବଂ ପରେ ଜୟପୁର ସ୍ଥିତ କେଭିଆଇସିର କୁମାରପା ଜାତୀୟ ହାତତିଆରି କାଗଜ ପ୍ରତିଷ୍ଠାନରେ ଏହା ବିକଶିତ ହୋଇଥିଲା ।

ଏହି ରଙ୍ଗ ସୀସା, ପାରଦ, କ୍ରୋମିୟମ, ଆର୍ସେନିକ, କାଡାମିୟମ ଭଳି ଭାରୀ ଧାତୁ ମୁକ୍ତ । ଏହା ସ୍ଥାନୀୟ ଉତ୍ପାଦନକାରୀଙ୍କୁ ଉତ୍ସାହିତ କରିବା ସହିତ ଜ୍ଞାନକୌଶଳ ସ୍ଥାନାନ୍ତର ମାଧ୍ୟମରେ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ଜ୍ଞାନକୌଶଳ ପରିବେଶ ଅନୁକୂଳ ଉତ୍ପାଦନ ପାଇଁ କଞ୍ଚାମାଲ ଭାବେ ଗୋବରର ବ୍ୟବହାର ବଢାଇବ ଏବଂ କୃଷକ ଓ ଗୋପାଳକମାନଙ୍କର ଅତିରିକ୍ତ ଆୟ ବୃଦ୍ଧି କରିବ । ଗୋବରର ବ୍ୟବହାର ଫଳରେ ପରିବେଶ ସଫା ରହିବା ସହିତ ନାଳନର୍ଦ୍ଦମା ଜାମ୍‍ ହେବନାହିଁ ।

ଖଦି ପ୍ରାକୃତିକ ଏମୁଲେସନ ରଙ୍ଗ ବିଆଇଏସ୍‍ ୧୫୪୮୯:୨୦୧୩ ମାନକ ପୂରଣ କରୁଛି; ଅନ୍ୟପକ୍ଷରେ ଖଦି ପ୍ରାକୃତିକ ଡିସଟେମ୍ପର ରଙ୍ଗ ବିଆଇଏସ୍‍ ୪୨୮:୨୦୧୩ ମାନକ ପୂରଣ କରିଛି । ଏହି ରଙ୍ଗ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଯଥା ରଙ୍ଗର ବ୍ୟବହାର, ପତଳା ଗୁଣ, ଶୁଖିବା ସମୟ ଏବଂ ଶେଷ ସ୍ପର୍ଶ ଆଦି ଅନ୍ୟାନ୍ୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛି ।

ଚାରି ଘଣ୍ଟାରୁ କମ୍‍ ସମୟ ମଧ୍ୟରେ ଏହା ଶୁଖିଯାଏ ଏବଂ ସୁଗମ ଓ ଏକ ପ୍ରକାର ଚୂଡାନ୍ତ ହେଉଛି । ଏହି ରଙ୍ଗ ଉଭୟ ଘର ଭିତରେ ଓ ବାହାରେ ବ୍ୟବହାର କରାଯାଇ ପାରିବ । ଉଭୟ ଡିସ୍‍ଟେମ୍ପର ଏବଂ ଏମୁଲେସନ ମୂଳତଃ ଧଳା ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଉପଯୁକ୍ତ ରଙ୍ଗ ମିଶ୍ରଣ କରି ଅନ୍ୟ କୌଣସି ରଙ୍ଗରେ ବିକଶିତ କରାଯାଇ ପାରିବ ।