Home Finance ଗୋପାଳନ ପାଇଁ ଋଣ ଦେବାକୁ କୁଣ୍ଠିତ

ଗୋପାଳନ ପାଇଁ ଋଣ ଦେବାକୁ କୁଣ୍ଠିତ

ଭୁବନେଶ୍ୱର : ରାଜ୍ୟରେ ମତ୍ସ୍ୟଚାଷ ଓ ଗୋପାଳନ ପାଇଁ ଋଣ ଦେବାକୁ ବ୍ୟାଙ୍କ୍‍ମାନେ କୁଣ୍ଠିତ । ଗାଁ ଗହଳରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି କରୁଥିବା ଏହି ଦୁଇ କ୍ଷେତ୍ର ପାଇଁ ଯେତିକି ଲକ୍ଷ୍ୟଧାର୍ଯ୍ୟ ହେଉଛି ତାହାର ଅଧା ଋଣ ବି ବ୍ୟାଙ୍କ୍‍ମାନେ ପ୍ରଦାନ କରୁନାହାନ୍ତି ।

ଏହି ଦୁଇ କ୍ଷେତ୍ରକୁ ପ୍ରଦାନ କରାଯାଇଥିବା ଋଣ ସୂଚନାରୁ ଜଣାଯାଇଛି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ମତ୍ସ୍ୟଚାଷ ପାଇଁ ୧୧୪୦କୋଟି ୮୭ଲକ୍ଷ ଟଙ୍କାର ଋଣ ଯୋଗାଣ ପାଇଁ ଲକ୍ଷ୍ୟ ରହିଥିବାବେଳେ ବ୍ୟାଙ୍କ୍‍ମାନେ ଦେଇଥିଲେ ମାତ୍ର ୨୨୨କୋଟି ୭୦ଲକ୍ଷ ଟଙ୍କା । ସେହିଭଳି ୨୦୨୦-୨୧ ବର୍ଷ ପାଇଁ ଏହି କ୍ଷେତ୍ରକୁ ୧୦୮୮ କୋଟି ୭୩ଲକ୍ଷ ଟଙ୍କା ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଦିଆଯାଇଛି ମାତ୍ର ୪୬୦କୋଟି ୯ଲକ୍ଷ ଟଙ୍କା । ଦୁଇ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ ତୁଳନାରେ ଯଦିଓ ଋଣ ପ୍ରଦାନ ପରିମାଣ ବଢିଛି ତଥାପି ଏହା ୫୦ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିନାହିଁ ।

ଗୋପାଳନ କ୍ଷେତ୍ରର ମଧ୍ୟ ଅନୁରୂପ ଅବସ୍ଥା । ରାଜ୍ୟ ଗାଁ ଗହଳରେ ଆତ୍ମନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରୁଥିବା ଗୋପାଳନ କ୍ଷେତ୍ରକୁ ଋଣ ଯୋଗାଇବାକୁ ବ୍ୟାଙ୍କମାନେ ବିମୁଖ । ୨୦୧୯-୨୦ ବର୍ଷରେ ଏହି କ୍ଷେତ୍ରରେ ୧୬୫୦କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ଥିବାବେଳେ ଦେଇଥିଲେ ମାତ୍ର ୩୩୮ କୋଟି ଟଙ୍କା । ସେହିଭଳି ୨୦୨୦-୨୧ ବର୍ଷରେ ୧୭୬୭ କୋଟି ୫୦ଲକ୍ଷ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ପ୍ରଦାନ କରିଥିଲେ ୬୨୮କୋଟି ୯୧ଲକ୍ଷ ଟଙ୍କା । ଏହି ଦୁଇ ଆର୍ଥିକ ବର୍ଷରେ ଧାର୍ଯ୍ୟଲକ୍ଷ୍ୟର ୪୦ ପ୍ରତିଶତ ବି ଋଣ ଦିଆଯାଇନଥିଲା ।

କୃଷି କ୍ଷେତ୍ର ଅଧିନରେ ଗୋପାଳନ ଓ ମତ୍ସ୍ୟ ଆସୁଥିବାବେଳେ କୃଷି କ୍ଷେତ୍ରକୁ ଯୋଗାଉଥିବା ଋଣକୁ ସାମଗ୍ରିକ ଭାବେ ହିସାବ କରି ବ୍ୟାଙ୍କ୍‍ମାନେ ଅଧିକ ଋଣ ପ୍ରଦାନ କରୁଥିବା ଦର୍ଶାଉଛନ୍ତି । ଏହି ଦୁଇ ଆର୍ଥିକ ବର୍ଷରେ ଶସ୍ୟଋଣ ବାବଦରେ ବ୍ୟାଙ୍କ୍‍ମାନେ ଯଥାକ୍ରମେ ଧାର୍ଯ୍ୟ ଲକ୍ଷ୍ୟର ୭୨.୭୫ ପ୍ରତିଶତ ଓ ୮୨.୩୯ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି । ତେବେ ଯେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ଅଳ୍ପ ସମୟରେ ଅର୍ଥ ମିଳିବାର ସୁଯୋଗ ରହିଛି ସେହି ଦୁଇ କ୍ଷେତ୍ରକୁ ଅବହେଳା କରିବାରେ ଲାଗିଛନ୍ତି ।

କେବଳ ଗୋପାଳନ କିମ୍ବା ମତ୍ସ୍ୟ ଚାଷ ନୁହେଁ ଗାଁ ଗହଳରେ ଲୋକଙ୍କ ହାତକୁ କାମ ଯୋଗାଉଥିବା ଖଦି ଓ ଗ୍ରାମଦ୍ୟୋଗ ଶିଳ୍ପକୁ ମଧ୍ୟ ବ୍ୟାଙ୍କ୍‍ମାନେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଋଣ ପ୍ରଦାନ କରୁନାହାନ୍ତି । ୨୦୧୯-୨୦ ବର୍ଷରେ ଧାର୍ଯ୍ୟଲକ୍ଷ୍ୟର ମାତ୍ର ୧୭.୦୨ ପ୍ରତିଶତ ଋଣ ପ୍ରଦାନ କରାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୪୦.୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବ୍ୟାଙ୍କ୍‍ମାନେ ଅଧିକରୁ ଅଧିକ ଋଣ ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ବ୍ୟାଙ୍କ୍‍ମାନେ କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସମବାୟ ଓ ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ କିଛି ପରିମାଣରେ ଋଣ ଦେଉଥିବାବେଳେ ଘରୋଇ ବ୍ୟାଙ୍କ୍‍ମାନେ ଏହିସବୁ କ୍ଷେତ୍ରପ୍ରତି ଅତ୍ୟନ୍ତ ବିମୁଖ ଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)