Home News in Odia ଗୃହ କମିଟି ତୁରନ୍ତ କୋଟିଆ ଗସ୍ତ କରୁ

ଗୃହ କମିଟି ତୁରନ୍ତ କୋଟିଆ ଗସ୍ତ କରୁ

ଭୁବନେଶ୍ୱର : ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭା ଗୃହ କମିଟି ତୁରନ୍ତ କୋଟିଆ ଅଞ୍ଚଳ ଗସ୍ତ କରିବାକୁ ସମାଜାବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ବାଚସ୍ପତି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ଶ୍ରୀ ବେହେରା କହିଛନ୍ତି ଯେ କୋଟିଆ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ସୁପ୍ରିମକୋର୍ଟର ଏହି ପରାମର୍ଶ ସତ୍ତ୍ୱେ ମଧ୍ୟ ଆନ୍ଧ୍ରପ୍ରଦେଶ ବିଭିନ୍ନ ଆଳରେ କୋଟିଆ ଗ୍ରାମ ପୁଞ୍ଜରେ ଅନୁପ୍ରବେଶ ଜାରି ରଖିଛି । କେତେବେଳେ ଜନକଲ୍ୟାଣକାରୀ ଯୋଜନା ବାଣ୍ଟିବା ନାଁରେ ତ, କେତେବେଳେ ଭୂମିହୀନଙ୍କୁ ଜଙ୍ଗଲ ଜମିର ପଟ୍ଟା ଦେବା, ଆଉ କେତେବେଳେ ପର୍ଯ୍ୟଟନର ବିକାଶ ନାଁରେ ସର୍ଭେ କରିବା ଏବଂ ଜି.ଓ. ଟାୱାର ବସାଇବା ପାଇଁ ପଦକ୍ଷେପ ନେଇଚାଲିଛି ।

କୋରାପୁଟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ କୋଟିଆରେ ଅନେକ କିଛି ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିଲେ ହେଁ, ଆନ୍ଧ୍ର ସରକାର ବିଭିନ୍ନ ଯୋଜନା ନାଁରେ ସରଳ ନିରୀହ ଆଦିବାସୀମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହା ଯେ କେବଳ କୋରାପୁଟ ଜିଲ୍ଲାର କୋଟିଆରେ ହେଉଛି ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଆନ୍ଧ୍ର ଅନୁପ୍ରବେଶ ଜାରି ରହିଛି ।

ଏ କଥା ନିଜେ ରାଜସ୍ୱ ସଚିବ ସତ୍ୟପ୍ରକାଶ ସାହୁ ଓ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିଜର କୋଟିଆଗସ୍ତ ସମୟରେ ଅନୁଭବ କରିଛନ୍ତି । ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ କୋଟିଆ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କମିଟି ଗଠନ କରାଯାଇଥିଲେ ହେଁ, ଏପର୍ଯ୍ୟନ୍ତ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ହୋଇନାହିଁ । ସବୁଠାରୁ ଦୁଃଖର ବିଷୟ ହେଉଛି, ‘ବିଧାନସଭର ଏକ ଗୃହ କମିଟି’ ଆମ ରାଜ୍ୟର ସାହିତ୍ୟ, ସଂସ୍କୃତି, ଭାଷା ଓ ସୀମାର ସୁରକ୍ଷାକୁ ନେଇ ଗଠିତ ହୋଇଥିଲେ ହେଁ, ବିଗତ ତିନିବର୍ଷ ଭିତରେ ଏହି କମିଟି କୋଟିଆ ଅଞ୍ଚଳ ଗସ୍ତ କରିପାରିଲା ନାହିଁ ।

ମାନ୍ୟବର ବିଧାୟକମାନେ କେବଳ ବିଧାନସଭା ଭିତରେ କୋଟିଆକୁ ନେଇ ତୁମ୍ବି ତୋଫାନ କରୁଥିଲେ ହେଁ, ସେମାନେ ଘଟଣାସ୍ଥଳ ପରିଦର୍ଶନ କରି କୋଟିଆ ଅଞ୍ଚଳବାସୀଙ୍କ ନିକଟତର ହେବାରେ ସଫଳ ହୋଇପାରିନାହାଁନ୍ତି । ବିଧାନସଭାର ବିଧାୟକ ଓ ରାଜ୍ୟ ସରକାର ଯଦି ରାଜ୍ୟର ଭାଷା, ସଂସ୍କୃତି ଓ ସୀମାକୁ ସୁରକ୍ଷା ଦେବାରେ ବିଫଳ ହେବ, ତାହେଲେ ଏହି କାମ କରିବ କିଏ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରଶ୍ନ କରାଯାଇଅଛି ।