Home Agriculture ଗୁଣ୍ଡଦୁଗ୍ଧ କାରଖାନା କେବେ ?

ଗୁଣ୍ଡଦୁଗ୍ଧ କାରଖାନା କେବେ ?

ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ଦୁଗ୍ଧ ସଂଗ୍ରହ ପାଇଁ ଓମଫେଡ୍‍ର ପଛଘୁଞ୍ଚାର ମୁଖ୍ୟ କାରଣ ସଂରକ୍ଷଣ ଓ ବଜାର ସୁବିଧା ନଥିବା ଦର୍ଶାଯାଉଥିବାବେଳେ ଏହାର ଗୁଣ୍ଡଦୁଗ୍ଧ କାରଖାନା ନିର୍ମାଣ କାର୍ଯ୍ୟ କିନ୍ତୁ ବିଳମ୍ବ ହେବାରେ ଲାଗିଛି । କଟକ ଜିଲ୍ଲାର ରାମକୃଷ୍ଣଦାସପୁର ଠାରେ ନିର୍ମାଣାଧିନ ଏହି କାରଖାନା ୨୦୨୦ ସୁଦ୍ଧା ସରିବାର ଲକ୍ଷ୍ୟ ଥିବାବେଳେ ଏବେ ବି କାର୍ଯ୍ୟ ଚାଲିଛି ।

ଦୁଗ୍ଧ ଉତ୍ପାଦନ ଉପରେ ରାଜ୍ୟ ସରକାର ଫୋକସ କରିବାପରେ କେବଳ ଓମଫେଡ୍‍ ଦୈନିକ ୫ଲକ୍ଷ କିଲୋରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଥିଲା । ଏହାବଦ୍‍ ଅନ୍ୟ ଘରୋଇ ସଂସ୍ଥା ବି ଦୁଗ୍ଧ ସଂଗ୍ରହ କରୁଛନ୍ତି । ତେବେ କୋଭିଡ ଜନିତ ଲକଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ ଦୁଗ୍ଧ ବିକ୍ରି ନହୋଇପାରିବ ଦର୍ଶାଇ ଓମଫେଡ୍‍ ସାମୟିକ ଭାବେ ଦୁଗ୍ଧ ସଂଗ୍ରହ ବନ୍ଦ କରିଛି ।

ଅନ୍ୟ କିଛି ଘରୋଇ ସଂସ୍ଥା ବି ଦୁଗ୍ଧ ସଂଗ୍ରହ ସ୍ଥଗିତ କରିଛନ୍ତି । ଫଳରେ ଗାଁ ଗହଳର ଚାଷୀମାନେ ଏବେ ଉତ୍ପାଦିତ ଦୁଗ୍ଧକୁ କ’ଣ କରିବେ ଜାଣିପାରୁ ନାହାନ୍ତି । ଅନେକ ସ୍ଥାନରେ ଏହା ନଷ୍ଟ ହେଉଛି । କାରଣ କଟକଣା ଯୋଗୁଁ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ଥିବାରୁ ଦୁଗ୍ଧଜାତ ସାମଗ୍ରୀ ବି ବିକ୍ରିହୋଇ ପାରୁନାହିଁ ।

ତେବେ ଓମଫେଡ୍‍ ୨୪୭କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଥିବା ଗୁଣ୍ଡଦୁଗ୍ଧ କାରଖାନାର କାର୍ଯ୍ୟ ନସରିବାରୁ ବଳକା ଦୁଗ୍ଧକୁ ବ୍ୟବହାର କରାଯାଇ ପାରୁନାହିଁ । ଏନ୍‍ଡିଡିବି ଏହା ନିର୍ମାଣ ଦାୟିତ୍ୱରେ ରହିଛି । ଏହି କାରଖାନାର କ୍ଷମତା ଦୈନିକ ୫ଲକ୍ଷ ଲିଟର ରହିଛି । ତେଣୁ ଏହା କାର୍ଯ୍ୟକାରୀ ହେଲେ ସମସ୍ତ ବଳକା ଦୁଗ୍ଧରୁ ଏଠାରେ ଗୁଣ୍ଡଦୁଗ୍ଧ ପ୍ରସ୍ତୁତ ହୋଇପାରିବ ।

ଅନ୍ୟ ପକ୍ଷରେ ରାଜ୍ୟ ବାହାରକୁ ପଠାଇ ଗୁଣ୍ଡଦୁଗ୍ଧ ପ୍ରସ୍ତୁତ କରିବା ବି ଅତ୍ୟନ୍ତ ବ୍ୟୟ ବହୁଳ ହେଉଛି । କିଛିଦିନ ତଳେ ଓମଫେଡ୍‍ ଏଭଳି ପଦକ୍ଷେପ ନେଇଥିବାବେଳେ ତାହା ବି ସ୍ଥଗିତ ରହିଛି । ସେହିଭଳି ଓମଫେଡ୍‍ର ଭୁବନେଶ୍ୱର ଠାରେ ଥିବା ପ୍ଲାଣ୍ଟରେ ଦୈନିକ ୩୦ହଜାର ଲିଟର କ୍ଷୀରରୁ ଗୁଣ୍ଡ ପ୍ରସ୍ତୁତ କରିବାର କ୍ଷମତା ରହିଛି । ତିନି ସିଫ୍ଟରେ ୧୦ହଜାର ଲିଟର କରି କ୍ଷୀର ଏଠାରେ ବ୍ୟବହାର ହୋଇପାରିବ । ହେଲେ ସଂଗୃହୀତ ଦୁଗ୍ଧ ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ ଭଳି ।

ଓମଫେଡ୍‍ କର୍ତ୍ତୃପକ୍ଷ ଦର୍ଶାଉଛନ୍ତି ଯେ ଦୈନିକ ୫ଲକ୍ଷ ୪୫ହଜାର କିଲୋ ଦୁଗ୍ଧ ସଂଗ୍ରହ ହେଉଥିବାବେଳେ କୋଭିଡ କଟକଣା ଯୋଗୁଁ ବିକ୍ରି ପରିମାଣ ୩ଲକ୍ଷ ୭୫ରୁ ୨ଲକ୍ଷ ଲିଟରକୁ କମିଆସିଛି । ତେଣୁ ଦୁଗ୍ଧ ସଂଗ୍ରହ କରିବା ସମ୍ଭବପର ହେଉନାହିଁ । ତେବେ ଓମଫେଡ୍‍ ଦୁଗ୍ଧ ସଂଗ୍ରହ ବନ୍ଦ କରିବା ଓ ଚାଷୀଙ୍କ ଦୁରବସ୍ଥା ସଂକ୍ରାନ୍ତରେ ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି ଯେ ଓମଫେଡ୍‍ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିହୀନାରୁ ଆଜି ଏଭଳି ଅବସ୍ଥା ଉପୁଜିଛି ।

ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଯଦି ଭୁବନେଶ୍ୱର ପ୍ଲାଣ୍ଟରେ ଥିବା ଗୁଣ୍ଡଦୁଗ୍ଧ କାରଖାନାର କ୍ଷମତା ବଢାଇଥାନ୍ତେ ତେବେ ବର୍ତ୍ତମାନ ତିରୋଟ ସମୟରେ ଦୁଗ୍ଧସଂଗ୍ରହରେ ସମସ୍ୟା ରହୁନଥାନ୍ତା । ସେହିଭଳି ରାମକୃଷ୍ଣଦାସପୁର ଠାରେ ନିର୍ମାଣଧିନ କାରଖାନା ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ନେଇ ମଧ୍ୟ ଶ୍ରୀ ବେହେରା ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ଏହା କାର୍ଯ୍ୟକ୍ଷମ ସହିତ ମହାମାରୀ ସମୟରେ ଚାଷୀଙ୍କ ସମସ୍ତ ଦୁଗ୍ଧ ସଂଗ୍ରହ ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । (ତଥ୍ୟ)