Home General ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତି

ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତି

ଭୁବନେଶ୍ୱର : ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପ୍ରତିପାଳନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତି ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି । ଏହି ମର୍ମରେ ସଂସ୍କୃତି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକଗୁଡ଼ିଏ ପ୍ରସ୍ତାବ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାହିତ୍ୟ ଏକାଡେମୀ, ଲଳିତକଳା ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଉର୍ଦ୍ଦୁ ଏକାଡେମୀ, ରାଜ୍ୟ ସଂଗ୍ରହାଳୟ ଓ ଅଭିଲେଖାଗାର ଆଦିର ଅଧିକାରୀମାନଙ୍କ ସହିତ ବହୁ ଶିକ୍ଷାବିତ୍‍, ସମାଜସେବୀ, ଗବେଷକ ଓ ରଚନାତ୍ମକ କର୍ମୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତ ସ୍ତରକୁ ସମ୍ପ୍ରସାରିତ କରିବା ଲାଗି ମତବ୍ୟକ୍ତ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିଲା । ଏହି ପ୍ରଥମ ଗସ୍ତ ଅବସରରେ ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିଲା ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗ ଦେଇଥିଲେ । ଏହାପରେ ୧୯୪୬ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଗାନ୍ଧୀଜୀ ଆଉ ୭ ଥର ଓଡ଼ିଶା ଗସ୍ତ କରିଥିଲେ ।

ମୋଟାମୋଟି ଭାବେ ସେ ୧୩ଟି ଜିଲ୍ଲା ଗସ୍ତ କରିଥିଲେ ମଧ୍ୟ ବର୍ତ୍ତମାନର ୩୦ଟି ଯାକ ଜିଲ୍ଲାରେ ତାଙ୍କ ଗସ୍ତର ବ୍ୟାପକ ପ୍ରଭାବ ପଡ଼ିଥିଲା । ଫଳରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାଣୀ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ଆଦିରେ ଲକ୍ଷାଧିକ ଲୋକ ସାମିଲ ହେବା ସହ ଶତାଧିକ ସହିଦ ହୋଇଥିଲେ ଓ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ କାରା ଓ ନିର୍ଯାତନା ବରଣ କରିଥିଲେ । ଏହାଛଡ଼ା ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ପ୍ରଭାବ ଓଡ଼ିଶାରେ ସମାଜସେବା ଓ ସଂସ୍କାର କ୍ଷେତ୍ରରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।

ବିଭନ୍ନ ବିଭାଗ ସହ ଯୋଗସୂତ୍ର ରକ୍ଷା କରି ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ, ସ୍ୱାଭିମାନ, ସ୍ୱଦେଶୀ ଓ ସ୍ୱାବଲମ୍ବନଶୀଳତାର ବାର୍ତ୍ତାର ବ୍ୟାପକ ରୂପାୟନ ଲାଗି ଏହି ବୈଠକରେ ମତପ୍ରକାଶ ପାଇଛି । ପ୍ରାଥମିକରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ମହିଳା ଓ ଯୁବ ସଙ୍ଗଠନ, କୃଷକ ସଙ୍ଗଠନ, ସ୍ୱେଚ୍ଛାସେବୀ ସଂସ୍ଥା ଓ ଗାନ୍ଧୀପ୍ରେମୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଜଡ଼ିତ କରି କମ୍‍ ଖର୍ଚ୍ଚରେ କିଭଳି ବ୍ୟାପକ ଗଣଜାଗରଣ ସୃଷ୍ଟି କରାଯାଇପାରିବ ସେ ପ୍ରସଙ୍ଗରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିଛି ।

ଓଡ଼ିଶା ପ୍ରସଙ୍ଗରେ ଗାନ୍ଧୀଜୀ ଯାହା କରିଛନ୍ତି ଓ କହିଛନ୍ତି ଏବଂ ତାଙ୍କ ସହ ଯେତେ ପତ୍ର ବିନିମୟ ହୋଇଛି ସେ ସବୁକୁ ସଂଗ୍ରହ କରି ତାହାର ଓଡ଼ିଆ ଅନୁବାଦ ପୁସ୍ତକ ପ୍ରକାଶ କରିବା ଲାଗି ମଧ୍ୟ ପ୍ରସ୍ତାବ ଆସିଛି । ଏହାଛଡ଼ା ଗାନ୍ଧୀ: ୧୫୦ କାର୍ଯ୍ୟକ୍ରମରେ ପ୍ରତି ବ୍ଲକ୍‍ରେ ଆଦର୍ଶ ପଞ୍ଚାୟତ ସ୍ଥାପନ କରି ଗ୍ରାମ ସ୍ୱରାଜର ଠିକଣା ପରିପ୍ରକାଶ ଲାଗି ଯେଉଁ ପ୍ରସ୍ତାବ ରହିଥିଲା ତାହାର ଅନୁପାଳନ ଲାଗି ମଧ୍ୟ ମତପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଦାସ ବେନେହୁର୍‍, ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ, ଗାନ୍ଧୀବାଦୀ ଫୋରମ୍‍ର ରୀନା ରାଉତରାୟ, ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିବା ଜଣାଯାଇଛି ।