Home Health ଗାଁ ମୁହାଁ ଅନାମଧ୍ୟେୟ ଔଷଧ କମ୍ପାନୀ

ଗାଁ ମୁହାଁ ଅନାମଧ୍ୟେୟ ଔଷଧ କମ୍ପାନୀ

ଭୁବନେଶ୍ୱର : କରେନା ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାବେଳେ ଔଷଧ ବ୍ୟବସାୟ ଆଶାରେ ଅନେକ ଛୋଟ ଛୋଟ ଔଷଧ କମ୍ପାନୀ ବିଶେଷକରି ଯେଉଁମାନଙ୍କର ସେଭଳି କାଟ୍‍ତି ନାହିଁ ସେମାନେ ଏବେ ଗାଁ ଗହଳରେ ଥିବା ଔଷଧ ଦୋକାନଗୁଡିକୁ ଟାର୍ଗେଟ କରିଛନ୍ତି । ଏଭଳି କିଛି ଅନାମଧ୍ୟେୟ କମ୍ପାନୀଙ୍କ ଔଷଧ ବି ବହୁଳ ପରିମାଣରେ ବିକ୍ରି ହେଉଛି ।

ଗାଁରେ କରୋନା ପାଦ ଥାପିବାପାରେ ଲୋକେ ଏବେ ମନଇଚ୍ଛା ଔଷଧ ସେବନ କରୁଛନ୍ତି । ଗାଁ ଗହଳରେ ଥିବା ଔଷଧ ଦୋକାନଗୁଡିକ ଏବେ ଏକ ପ୍ରକାର କରୋନା ଔଷଧ ପରାମର୍ଶକେନ୍ଦ୍ର ପାଲଟିଛି । ଜ୍ୱର, ଥଣ୍ଡା, କାଶ ହେବାମାତ୍ରେ ଲୋକେ କରୋନା ଆଶଙ୍କାରେ ଔଷଧ ସେବନ ଆରମ୍ଭ କରିଦେଉଛନ୍ତି । ଔଷଧ ଦୋକାନରେ ପହଞ୍ଚିଲାମାତ୍ରେ ସେମାନଙ୍କୁ ଦୋକାନୀମାନେ ଆଣ୍ଟିବାୟୋଟିକ, ପାରାସିଟାମଲ, ଭିଟାମିନ୍‍ ଆଦି ଔଷଧ ଧରାଇ ଦେଉଛନ୍ତି । ଅବସ୍ଥା ଏପରି ହୋଇଛି ଯେ ଯଦି କୌଣସି ପରିବାରରେ ଜଣଙ୍କୁ ଜ୍ୱର ହେଉଛି ତେବେ ସେ ପୂରା ପରିବାର ସଦସ୍ୟଙ୍କ ପାଇଁ ସବୁପ୍ରକାର ଔଷଧ ନେଇ ଆସୁଛି ।

ଗାଁ ଗହଳରେ ଏବେ କରୋନା ପାଇଁ ଔଷଧ ବେପାର ବହୁଗୁଣିତ ହୋଇଥିବାବେଳେ ବହୁ ଅନାମଧ୍ୟେୟ କମ୍ପାନୀ ସେମାନଙ୍କ ଔଷଧ ପଠାଇବାରେ ଲାଗିଛନ୍ତି । ବିଶେଷକରି ଗାଁର ଔଷଧ ଦୋକାନଗୁଡିକରେ ନାମୀ ଦାମୀ କମ୍ପାନୀର ଭିଟାମିନ୍‍ କିମ୍ବା ଆଣ୍ଟିବାୟୋଟିକ ମିଳୁନାହିଁ । ଯେହେତୁ ଅନେକଙ୍କ ନିକଟରେ ଡାକ୍ତରଙ୍କ ଚିଠା ନାହିଁ ତେଣୁ ଔଷଧ ଦୋକାନୀଟି କ’ଣ ଦେଉଛି ତାହା ଜାଣିବା ସାଧାରଣ ଲୋକଙ୍କ ପକ୍ଷରେ ସହଜ ହେଉନାହିଁ ।

ତେବେ ମିଳିଥିବା ସୂଚନା ଅନୁଯାୟୀ ନାମୀ ଦାମୀ କମ୍ପାନୀର ଔଷଧ ତୁଳନାରେ ଗାଁ ଗହଳରେ ମିଳୁଥିବା ଔଷଧ ବିକ୍ରି କଲେ ଅଧିକ ଲାଭ ମିଳୁଥିବାରୁ ଦୋକାନୀମାନେ ଏହାକୁ ରଖିବାକୁ ବ୍ୟବସାୟୀମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଔଷଧରେ ଲାଭ ପରିମାଣ ୩୦ ରୁ ୪୦ ପ୍ରତିଶତ ରହୁଥିବାବେଳେ କେତେକେ ନାମୀଦାମୀ କମ୍ପାନୀ ଔଷଧରେ ୨୦ ପ୍ରତିଶତ ଲାଭ ମିଳିବା ବି କଷ୍ଟକର ହୋଇଥାଏ ।

ବର୍ତ୍ତମାନ କରୋନା ସମୟରେ ଏଭଳି କିଛି ଛୋଟକାଟର ଅନାମଧ୍ୟେୟ କମ୍ପାନୀ ଗାଁ ଗହଳକୁ ଆଣ୍ଟିବାୟୋଟିକ, ପାରାସିଟାମଲ, କଫସିରପ, ଭିଟାମିନ୍‍ ବଟିକା ଆଦି ପ୍ରଚୁର ପରିମାଣରେ ପଠାଉଥିବାରୁ ଏହା ଉପରେ ନଜର ରଖିବାପାଇଁ ଦାବି ହେଉଛି । ଏହି ଔଷଧର ଦାମ ନାମୀ ଦାମୀ କମ୍ପାନୀ ଔଷଧର ଦାମ୍‍ ସହିତ ସମାନ ହୋଇଥିବାବେଳେ ଏହା କାହିଁକି ଅଧିକ ପରିମାଣରେ ବିକ୍ରି ହେଉଛି ଏବଂ ଔଷଧ ଦୋକାନୀ ଏପରିକି କେତେକ କ୍ଷେତ୍ରରେ ଗାଁ ଗହଳରେ ଥିବା ଚିକିତ୍ସକମାନେ କାହିଁକି ଏଥିପ୍ରତି ଅଧିକ ରୁଚି ରଖୁଛନ୍ତି ତାହା ଉପରେ ରାଜ୍ୟ ଡ୍ରାଗ୍ସ କଣ୍ଟ୍ରୋଲର ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)