Home General ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କର

ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କର

ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଜାରି ଲକଡାଉନ୍‍ ଓ ସଟ୍‍ଡାଉନ ପ୍ରଭାବରେ ଗରିବ, ଖଟିଖିଆ ଓ ଦିନ ମଜୁରୀଆମାନଙ୍କ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ଅନେକ ଏବେ ଅନାହାରରେ ରହିବାକୁ ବାଧ୍ୟ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣ ପାଇଁ ସମାଜବାଦୀ ପାର୍ଟି ଏଭଳି କଟକଣାକୁ ସମର୍ଥନ କରୁଥିବାବେଳେ ତୁରନ୍ତ ଗରିବ ଲୋକଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦଳର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।

ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କରୋନାର ଭୟ ସମ୍ପୂର୍ଣ୍ଣ ଦୂର ହୋଇନାହିଁ । ତାକୁ ଆଖି ଆଗରେ ରଖି ବିଶେଷଜ୍ଞମାନଙ୍କର ମତାମତ ନେଇ ରାଜ୍ୟ ସରକାର ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ସମୟକୁ ବୃଦ୍ଧି କରିଛନ୍ତି । ସପାହନ୍ତ ସଟଡ଼ାଉନ ମଧ୍ୟ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି ।

ସରକାର ଦିନ ମଜୁରିଆ, ଖଟିଖିଆ, ଗରିବ ଓ ଛୋଟ ଛୋଟ ଦୋକାନୀମାନଙ୍କର ଜୀବନ ଜୀବିକାକୁ ଆଖି ଆଗରେ ରଖି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ବେହେରା କହିଛନ୍ତି ଯେ, ଲକଡ଼ାଉନ, ସଟଡ଼ାଉନ ଯୋଗୁଁ ରାଜ୍ୟରେ ସଂକ୍ରମଣ ହାର ନିଶ୍ଚିତ ଭାବରେ କମୁଛି । କିନ୍ତୁ ସାଧାରଣ ଲୋକଙ୍କର ଜୀବନ ଜୀବିକାକୁ ମଧ୍ୟ ଆମେ ଅଣଦେଖା କରିପାରିବା ନାହିଁ । ଛୋଟ ଦୋକାନୀ ହୁଅନ୍ତୁ, ଖଟିଖିଆ, ଦିନ ମଜୁରିଆ ହୁଅନ୍ତୁ, ଯେଉଁମାନେ ପ୍ରତିଦିନ ମୂଲ ଲାଗିଲେ ନିଜର ଗୁଜୁରାଣ ମେଣ୍ଟାନ୍ତି, ସେମାନଙ୍କର ଜୀବନ ଜୀବିକା ଏହି ଲକଡ଼ାଉନ ସମୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳିକି ଦୁଗ୍‌ଧ ଚାଷୀ ବା କଟକ, ଭୁବନେଶ୍ୱର ଭଳି ସହରରେ ରାସ୍ତା କଡ଼ରେ ବସି ଦୁଗ୍‌ଧଜାତ ଦ୍ରବ୍ୟ ବ୍ୟବସାୟ କରୁଥିବା ଲୋକମାନଙ୍କର ଜୀବିକା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି ।

ଅପର ଦିଗରେ ସରକାରଙ୍କର ଲକଡ଼ାଉନ, ସଟଡ଼ାଉନର ସୁଯୋଗ ନେଇ କିଛି ବ୍ୟବସାୟୀ ଗୋଷ୍ଠୀ ଡ଼ାଲି, ଚାଉଳ, ଚିନି, ତେଲ ଓ ପନିପରିବା ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବଢାଇ ଚାଲିଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଗରିବ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହିତ କଳାବଜାରୀ ଓ ମହଜୂଦକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରକୁ ନିୟନ୍ତ୍ରଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।