Home Education ଗବେଷଣା ପ୍ରୋତ୍ସାହନ ପାଇଁ ବୁଝାମଣା

ଗବେଷଣା ପ୍ରୋତ୍ସାହନ ପାଇଁ ବୁଝାମଣା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପଟାମୁଣ୍ଡାଇ କଲେଜ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ବଳରେ କଲେଜର ଫ୍ୟାକଲ୍ଟି ମେମ୍ବର୍‌ମାନେ ପୁର୍ଣ୍ଣକାଳୀନ ଏବଂ ସାମୟିକ ଭାବେ ସୋଆରେ ଗବେଷଣା ଏବଂ ପିଏଚ୍‌ଡି କରିପାରିବେ ।

ବୁଝାମଣା ଅନୁଯାୟୀ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସୋଆରେ ବିଭିନ୍ନ ସୁବିଧା ଏବଂ ଲାଇବ୍ରେରୀ ବ୍ୟବହାର ନିମନ୍ତେ ସୁଯୋଗ ପାଇପାରିବେ । ସେହିପରି ସୋଆର ଫ୍ୟାକଲ୍ଟିମାନେ ପଟାମୁଣ୍ଡାଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଆଡ ଅନ୍‌’ କୋର୍ସର ସୁବିଧା ଯୋଗାଇଦେବେ । କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ନାକ୍ ସମେତ ବିଭିନ୍ନ ସ୍ୱୀକୃତି ନିମନ୍ତେ ସୋଆ ପକ୍ଷରୁ କଲେଜକୁ ପ୍ରସ୍ତୁତ କରାଯିବ । ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନଙ୍କର ପ୍ଲେ୍‌ସମେଣ୍ଟ ନିମନ୍ତେ ତାଲିମ କାର୍ଯ୍ୟକ୍ରମ କରାଯିବ ।

ସୋଆ ସହଯୋଗରେ ପଟାମୁଣ୍ଡାଇ କଲେଜରେ ମଧ୍ୟ ଏନଏସଏସ୍ ଏବଂ ଯୋଗ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା କରାଯିବ । କଲେଜରେ ଯୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ । ସେହିପରି ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହିତ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ।

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରୋ-ଭାଇସଚାନସେଲର ପ୍ରଫେସର ପି.କେ. ନନ୍ଦ ଏବଂ ପଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବି.ବି. ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ପି.କେ. ପଣ୍ଡା ଏବଂ ଫ୍ୟାକଲ୍ଟି ମେମ୍ବର ପ୍ରଫେସର ଲକ୍ଷ୍ମୀଧର ମହାରଣା ଓ ଡଃ ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଟାମୁଣ୍ଡାଇ କଲେଜ ପକ୍ଷରୁ ଡଃ ଦୁଃଶାସନ ପରିଡା, ପ୍ରଫେସର ଦିଲୀପ କୁମାର ଭୂୟାଁ ଓ ପ୍ରଫେସର ଅରବିନ୍ଦ ପାଣ୍ଡବ ଉପସ୍ଥିତ ଥିଲେ ।