Home Health ଗତବର୍ଷ ତୁଳନାରେ ଅଧିକ କରୋନା

ଗତବର୍ଷ ତୁଳନାରେ ଅଧିକ କରୋନା

122
0

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ବର୍ଷକ ତଳେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଚାଲିଥିବା ବେଳେ ଓଡ଼ିଶାରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍‍ଥିବା ସ୍ଥଳେ ଏବେସୁଦ୍ଧା ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ହଜାରରୁ ଟପିଗଲାଣି ।

୨୦୨୦ ଏପ୍ରିଲ୍‍ ୧୮ ତାରିଖ ବେଳକୁ ଓଡ଼ିଶାରେ ଦିନକୁ ଅତିବେଶୀରେ ୧୦/୧୫ଟି ନୂଆ କରୋନା ସଂକ୍ରମିତ ଚିହ୍ନିତ ହେଉଥିବା ବେଳେ ଏବେ ୨୪ ଘଣ୍ଟା ଭିତରେ ସରକାରୀ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୩୬୬୪ ଜଣ ନୂଆ କରୋନା ରୋଗୀ ଚିହ୍ନିତ ହୋଇଛନ୍ତି । ଏଥିରୁ ଗତବର୍ଷ ତୁଳନାରେ ଏବର୍ଷ ଓଡ଼ିଶାରେ କରୋନାର ଭୟାବହତା ଢେର୍‍ ଅଧିକ ଥିବା ସ୍ପଷ୍ଟ ଜଣାପଡ଼ୁଛି ।

ସରକାରୀ ତଥ୍ୟ ମୁତାବକ ୨୦୨୦ ଏପ୍ରିଲ୍‍ ୧୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଜାରି କରାଯିବା ବେଳକୁ ଓଡ଼ିଶାରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ଥିଲା ଓ ସେଥିରୁ ୩୯ ଜଣ ଥିଲେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର । ସେତେବେଳେକୁ ଏହି ସଂକ୍ରମିତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଯାଇଥିବା ବେଳେ ମାତ୍ର ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଆଉ ୪୦ ଜଣ ବିଭିନ୍ନ କୋଭିଡ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ଅନ୍ୟପକ୍ଷରେ ଏ ବର୍ଷ ଏପ୍ରିଲ୍‍ ୧୮ ତାରିଖର ସରକାରୀ ତଥ୍ୟ ମୁତାବକ ଏବେ ଓଡ଼ିଶାରେ ୨୧,୪୩୬ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଥିବା ବେଳେ ୨୪ ଘଣ୍ଟା ଭିତରେ ୩୬୬୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନିତ ହୋଇଛନ୍ତି । ମୋଟାମୋଟି ଭାବେ ଆରମ୍ଭରୁ ଏଯାବତ୍‍ ଓଡ଼ିଶାରେ ୩,୬୮,୨୫୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯୪୪ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ଏବଂ ୩ଲକ୍ଷ ୪୦ହଜାରରୁ ଅଧିକ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଗଲେଣି ।

ଗତବର୍ଷ ଏତେବେଳକୁ ସାରା ଓଡ଼ିଶାରେ ଭାରତ ସରକାରଙ୍କ ଲକ୍‍ଡାଉନ୍‍ ବଳବତ୍ତର ରହିଥିଲା । ସୀମିତ ସମୟ ପାଇଁ ନିର୍ଦ୍ଦିଷ୍ଟ ଦୋକାନ ବଜାର ଖୋଲା ରହୁଥିଲା ଏବଂ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ସରକାରୀ ବେସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଆଦି ବନ୍ଦ ରହିଥିଲା । ସେ ସମୟରେ ଯଦି ସରକାର ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଆଦି ଲାଗୁ କରିନଥାନ୍ତେ ତେବେ କରୋନା ସମଗ୍ର ରାଜ୍ୟରେ ହାହାକାର ସୃଷ୍ଟି କରିଥାନ୍ତା ।

ଏବେ କିନ୍ତୁ ଗତବର୍ଷ ତୁଳନାରେ ସଂକ୍ରମଣ ହାର ଢେର୍‍ ଅଧିକ ଗୁଣ ଥିବା ବେଳେ ବେପରୁଆ ମନୋଭାବ ଯୋଗୁ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବିମାନ, ରେଳ ଓ ସଡ଼କ ପଥରେ ଯାତ୍ରୀ ପରିବହନ ଉପରେ କଟକଣା ନ ଥିବାରୁ ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ ଓଡ଼ିଶା ଆସୁଛନ୍ତି ଏବଂ ତାହା କରୋନା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ହେଉଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସାରା ଦେଶରେ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ପରିସ୍ଥିତି ଜାରି ହେବା ଏବଂ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରୁ କାମଧନ୍ଦା ହରାଇ ଭୋକଉପାସରେ ଲକ୍ଷ ଲକ୍ଷ ସଂଖ୍ୟକ ପ୍ରବାସୀ ଓଡ଼ିଆ ଜୀବନ ବିକଳରେ ଭିଟାମାଟିକୁ ଫେରିବା ପରିପ୍ରେକ୍ଷୀରେ ଓଡ଼ିଶାରେ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ବ୍ୟାପକ ହୋଇଥିଲା ।

ଗତବର୍ଷ ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ ବ୍ୟାପକ ସଂଖ୍ୟକ କ୍ୱାରେଣ୍ଟାଇନ୍‍ ଓ କୋଭିଡ୍‍ କେୟାର ସେଣ୍ଟର ଖୋଲାଯିବା ଫଳରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଥିଲା ଏବଂ ସବୁ ଜିଲ୍ଲାରେ କୋଭିଡ୍‍ ହସ୍ପିଟାଲମାନ ଖୋଲାଯିବା ଫଳରେ କରୋନା ରୋଗୀଙ୍କ ଚିକିତ୍ସାରେ ମଧ୍ୟ ସୁବନ୍ଦୋବସ୍ତ ହୋଇପାରିଥିଲା । (ତଥ୍ୟ)

LEAVE A REPLY

Please enter your comment!
Please enter your name here