Home Agriculture ଗଡିଲା ଫସଲବୀମା ସଚେତନତା ଗାଡି

ଗଡିଲା ଫସଲବୀମା ସଚେତନତା ଗାଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ ଏବଂ ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

ଖରିଫ ୨୦୨୦ ବର୍ଷରେ ରାଜ୍ୟରେ ମୋଟ ୧୫.୫ ଲକ୍ଷ ଚାଷୀଙ୍କର ୧୧.୩୮ ଲକ୍ଷ ହେକଫର ଜମିକୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୂକ୍ତ କରାଯାଇଥିଲା । ଚଳିତ ଖରିଫ ଋତୁରେ ୧୨.୫ ଲକ୍ଷ ହେକଫର ଜମିକୁ ବୀମାଭୂକ୍ତ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଚଳିତ ଖରିଫ ଋତୁରେ ବୀମା ପଂଜୀକରଣ ନିମନ୍ତେ ୩୧ ଜୁଲାଇ ଶେଷ ତାରିଖ ରହିଛି । ଏହି ଯୋଜନା ଖରିଫ ଋତୁରେ ୮ଟି ଫସଲ ଯଥା ଧାନ, କପା, ମକା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଏବଂ ହଳଦୀକୁ ଅନ୍ତର୍ଭୁକ୍ତ କରାଯାଇଛି ।

ସେହିପରି ରବି ଋତୁରେ ୯ଟି ଫସଲ ଯଥା ଧାନ, ମୁଗ, ବିରି, ଚିନାବାଦାମ, ଆଳୁ, ସୋରିଷ, ସୂର୍ଯ୍ୟମୁଖୀ, ପିଆଜ ଏବଂ ଆଖୁ ଫସଲକୁ ବିଜ୍ଞପତ କରାଯାଇଛି । ଏଥି ନିମନ୍ତେ ଖରିଫ ଋତୁରେ ଚାଷୀମାନଙ୍କୁ ସ୍କେଲ ଅଫ ଫାଇନାନ୍ସର ୨% ପ୍ରିମିୟମ୍‌ ପ୍ରଦାନ କରିବାକୁ ପଡ଼ୁଥିବାବେଳେ ରବି ଋତୁରେ ୧.୫% ପି୍ରମିୟମ୍‌ ପ୍ରଦାନ କରିବାକୁ ହୋଇଥାଏ । ମାତ୍ର ବ୍ୟବସାୟିକ ଫସଲ ଯଥା ଆଳୁ, ପିଆଜ, ଅଦା, ହଳଦୀ, ଆଖୁ ପାଇଁ ୫% ପ୍ରିମିୟମ୍‌ ଦେବାକୁ ପଡ଼ିଥାଏ ।

ବୀମା ପ୍ରିମିୟମ୍‌ର ବାକି ରାଶି ରାଜ୍ୟ ଏବଂ କେନ୍ଦ୍ର ସରକାର ୫୦:୫୦ ଅନୁପାତରେ ବହନ କରିଥାନ୍ତି । ବୀମା ଯୋଜନା ନିମନ୍ତେ ଆମ ରାଜ୍ୟର ଜିଲ୍ଲାମାନଙ୍କୁ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି ଏବଂ ଏଥି ନିମନ୍ତେ ୩ଟି ବୀମା କମ୍ପାନୀ ନିୟୋଜିତ କରାଯାଇଛି । ସେଗୁଡ଼ିକ ହେଲା ଏଗ୍ରିକଲଚର ଇନ୍‌ସୁରାନ୍ସ କଂପାନୀ ଲିମିଟେଡ୍‌, ରିଲାୟନ୍ସ ଜିଆଇସି ଲିମିଟେଡ୍‌ ଏବଂ ଏଚ୍‌.ଡି.ଏଫ୍‌.ସି ଏର୍‌ଗୋ ଜିଆଇସି ଲିମିଟେଡ୍‌ । ସମସ୍ତ ବ୍ୟାଙ୍କ, ପ୍ୟାକ୍ସ ଏବଂ ଜନସେବା କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କର ପଂଜୀକରଣ କରାଯିବାର ବ୍ୟବସ୍ଥା କରାଯାଇଛି ।

ଫସଲ ବୀମା ଯୋଜନାକୁ ସୁଦୂରପ୍ରସାରୀ କରିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଯୋଜନା ପ୍ରଣୟନ କରିଛନ୍ତି । ବୀମା କାର୍ଯ୍ୟକୁ ଅଧିକ ସୁସଂଗତ କରିବା ପାଇଁ ଆମ ରାଜ୍ୟର ଭୁଲେଖ ପୋର୍ଟାଲକୁ ନ୍ୟାସନାଲ କ୍ରପ୍‌ ଇନ୍‌ସୁ୍ୟରାନ୍ସ ପୋର୍ଟାଲ ସହ ସଂଯୋଗୀକରଣ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୧୬ ମସିହାଠାରୁ ଅଦ୍ୟାବଧି ୩୯.୬୪ ଲକ୍ଷ ବୀମାଭୂକ୍ତ ଜମି ବାବଦରେ ହିତାଧିକାରୀଙ୍କୁ ୪୯୬୩.୩୪ କୋଟି ଟଙ୍କାର ବୀମାରାଶି ପ୍ରଦାନ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।