Home News in Odia ଗଞ୍ଜେଇ ଜବତ ଘଟଣାରେ ଗିରଫଦାରୀ କମୁଛି

ଗଞ୍ଜେଇ ଜବତ ଘଟଣାରେ ଗିରଫଦାରୀ କମୁଛି

ଭୁବନେଶ୍ୱର : ରାଜ୍ୟରେ ଜବତ ଗଞ୍ଜେଇ ପରିମାଣ ବର୍ଷକୁ ବର୍ଷ ବଢୁଥିବାବେଳେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା କିନ୍ତୁ କମିବାରେ ଲାଗିଛି । ତେବେ ଆଶ୍ୱାସନାର କଥା ହେଉଛି ଗଞ୍ଜେଇ କାରବାରରେ ଜଡିତ ଥିବା ଲୋକଙ୍କୁ ଆଉ ପୂର୍ବଭଳି ସହଜରେ ଜାମିନ ମିଳୁନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ରାଜ୍ୟରେ ୭୮୪୪ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଏଥିରେ ଜଡିତ ଥିବା ୫୭୮ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୧୫୫ଜଣ ଜାମିନରେ ଖଲାସ ହୋଇଥିଲେ । ୨୦୧୯-୨୦ ବର୍ଷରେ କିନ୍ତୁ ଜବତ ଗଞ୍ଜେଇ ପରିମାଣ ୮୫୨୬ କିଲୋକୁ ଟପିଯାଇଥିଲା । ସେହିବର୍ଷ ଗଞ୍ଜେଇ କାରବାରରେ ଲିପ୍ତ ୪୪୦ଜଣ ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୧୨୨ଜଣ ଜାମିନ୍‍ରେ ଖସିଥିଲେ ।

୨୦୨୦-୨୧ ବର୍ଷରେ ଜବତ ଗଞ୍ଜେଇ ପରିମାଣ ପୂର୍ବବର୍ଷ ତୁଳନାରେ ଦୁଇଗୁଣରୁ ଅଧିକ ଅର୍ଥାତ୍‍ ୧୭,୦୨୧ କିଲୋ ଜବତ ହୋଇଥିଲା । ହେଲେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୩୯୮ । ତେବେ ଏମାନଙ୍କ ମଧ୍ୟରୁ ୯୧ଜଣଙ୍କୁ ଜାମିନ ମିଳିଥିଲା । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ସୁଦ୍ଧା ରାଜ୍ୟରୁ ୬୭୭୯ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୬୩ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୨ଜଣଙ୍କୁ ଜାମିନ ମିଳିଯାଇଛି ।

ତେବେ ଚଳିତବର୍ଷ ଯେଉଁ ପରିମାଣରେ ଗଞ୍ଜେଇ ଜବତ ହେଉଛି ତାହା ଜାରି ରହିଲେ ଆର୍ଥିକବର୍ଷ ଶେଷ ବେଳକୁ ଜବତ ଗଞ୍ଜେଇ ପରିମାଣ ପୂର୍ବରୁ ସମସ୍ତ ରେକର୍ଡକୁ ଅତିକ୍ରମ କରିଯିବ । ରାଜ୍ୟରେ ଜବତ ଗଞ୍ଜେଇ ପରିମାଣ ବଢୁଥିବାବେଳେ ଏହି କାରବାରରେ ଲିପ୍ତ ବ୍ୟକ୍ତିଙ୍କ ଗିରଫଦାରୀ କିନ୍ତୁ ପ୍ରତିବର୍ଷ କମିବାରେ ଲାଗିଛି । ଗଞ୍ଜେଇ ବେପାରୀମାନେ ଅଧିକ ସତର୍କ ହେବା ସହିତ ଅଧିକାଂଶ ସ୍ଥାନରେ ଗଞ୍ଜେଇ ଜବତ ସମୟରେ ଚମ୍ପଟ ମାରୁଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ଗଞ୍ଜେଇ ସାଙ୍ଗରେ ତାଳ ଦେଇ ରାଜ୍ୟରେ ବ୍ରାଉନସୁଗାର କାରବାର ବି ଚାଲିଛି । ୨୦୧୮-୧୯ ବର୍ଷରେ ରାଜ୍ୟରୁ ସାଢେ ୪କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ପ୍ରାୟ ସାଢେ ୩କିଲୋ ଜବତ ହୋଇ ସାରିଲାଣି । ବ୍ରାଉନସୁଗାର ବ୍ୟବସାୟୀଙ୍କ ଲାଗି ଓଡିଶା ବିଶେଷକରି ବାଲେଶ୍ୱରରୁ ଗଞ୍ଜାମ ଯେଭଳି ଚରାଭୁଇଁ ପାଲଟିଛି ଓ ବିପୁଳ ପରିମାଣ ବ୍ରାଉନସୁଗାର ଜବତ ହେଉଛି ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି ଧାରା ଜାରି ରହିଲେ ଚଳିତ ବର୍ଷ ଏହା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା କରାଯାଉଛି ।

ତେବେ ପୁଲିସ୍‍ ପ୍ରଶାସନ ଅଧିକ ସକ୍ରିୟ ହେବା କାରଣରୁ ପୂର୍ବଭଳି ନିଶା ବେପାରୀମାନେ ଆଉ ସହଜରେ ଜାମିନ ପାଇପାରୁ ନାହାନ୍ତି । ବିଶେଷକରି ଜବତ ଗଞ୍ଜେଇର ପରିମାଣ ଅଧିକ ରହିବା, ତୁରନ୍ତ ଏହା ସାର୍ବଜନିନ ହେବା ଓ ପୁଲିସ୍‍ ଠିକଣା ସମୟରେ ଚାର୍ଜସିଟ୍‍ ଦେବା ଯୋଗୁଁ ଜାମିନ ମିଳିବା କଷ୍ଟକର ହେଉଥିବା ଆଇନ୍‍ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)