Home Environment ଗଞ୍ଜେଇ ଚାଷକୁ ରୋକାଯାଇ ପାରୁନି

ଗଞ୍ଜେଇ ଚାଷକୁ ରୋକାଯାଇ ପାରୁନି

ବିଗତ ତିନିବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଚାଷ ନିପାତ ପାଇଁ ସରକାର ଅବକାରୀ ଓ ପୁଲିସ୍‍ ବିଭାଗକୁ ଦେଢ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଥିବାବେଳେ ଗଞ୍ଜେଇ ଚାଷ କମିବା ବଦଳରେ କିନ୍ତୁ ବଢି ବଢି ଚାଲିଛି । ବର୍ଷକୁ ବର୍ଷ ଅଧିକ ସଂଖ୍ୟାରେ ଗଞ୍ଜେଇ ଗଛକୁ ଅବକାରୀ ଓ ପୁଲିସ୍‍ ବିଭାଗ ଓପାଡିବାରେ ଲାଗିଛନ୍ତି ।

ମିଳିଥିବା ସୂଚନା ବିଗତ ତିନିଟି ଆର୍ôଥକ ବର୍ଷରେ ସରକାର ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲାଗୁଡିକରୁ ଗଞ୍ଜେଇଗଛ ନଷ୍ଟ କରିବାକୁ ଏକ କୋଟି ୬୮ଲକ୍ଷ ୪୦ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ମାଲକାନଗିରି, ସମ୍ବଲପୁର, ଦେବଗଡ, କନ୍ଧମାଳ, ରାୟଗଡା, ବୌଦ୍ଧ, ଗଜପତି, ଅନୁଗୁଳ ଆଦି ଜିଲ୍ଲା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ୨୦୧୭-୧୮ବର୍ଷରେ ୫୬ଲକ୍ଷ ୭୫ହଜାର ଟଙ୍କା, ୨୦୧୮-୧୯ ବର୍ଷରେ ୪୬ଲକ୍ଷ ୬୫ହଜାର ଟଙ୍କା ଓ ୨୦୧୯-୨୦ ବର୍ଷରେ ୬୫ଲକ୍ଷ ଟଙ୍କା ଦିଆଯାଇଛି । ଚଳିତ ଆର୍ଥକ ବର୍ଷରେ ଏଥିପାଇଁ ରାଜ୍ୟ ସରକାର ୭୦ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥ ଉଭୟ ଅବକାରୀ ଅଧୀକ୍ଷକ ଓ ପୁଲିସ୍‍ର ସ୍ୱତନ୍ତ୍ର ଟାସ୍କଫୋର୍ସ ପାଇଁ ଦିଆଯାଉଛି ।

ହେଲେ ଏହିସବୁ ଜିଲ୍ଲାରେ ଗଞ୍ଜେଇ ଚାଷ କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଅବକାରୀ ଓ ପୁଲିସ୍‍ ବିଭାଗର ମିଳିତ ଗଞ୍ଜେଇ ଗଛ ଓପଡା ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି । ୨୦୧୭-୧୮ ବର୍ଷରେ ୧୧ଟି ଜିଲ୍ଲାରୁ ୭୯ଲକ୍ଷ ୩୨ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ୨୦୧୮-୧୯ ରେ ଏହି ସଂଖ୍ୟା ଏକ କୋଟି ୩୭ଲକ୍ଷରୁ ଅଧିକ ରହିଥିଲା । ୨୦୧୯-୨୦ରେ ଅବକାରୀ ଓ ପୁଲିସ୍‍ ପକ୍ଷରୁ ମିଳିତ ଚଢାଉ କରାଯାଇ ପ୍ରାୟ ୫କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସେହିଭଳି ୨୦୧୭-୧୮ବର୍ଷରେ ଏହିସବୁ ଜିଲ୍ଲାରେ ୪୫୮୪ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବାବେଳେ ୨୦୧୮-୧୯ ବର୍ଷରେ ଜମି ପରିମାଣ ୯୪୭୩କୁ ବୃଦ୍ଧି ପାଇଥିଲା । ଗତ ଆର୍ଥିକ ବର୍ଷରେ ପ୍ରାୟ ୧୬ହଜାର ଏକର ଜମିରେ ଗଞ୍ଜେଇଚାଷ ହୋଇଥିବା ଜଣାଯାଇଛି ।

ରାଜ୍ୟରେ ଗଞ୍ଜେଇ ଚାଷ ପରିମାଣ ବୃଦ୍ଧି ପାଉଥିବାବେଳେ ଜବତ ପରିମାଣ ମଧ୍ୟ ବଢିବାରେ ଲାଗିଛି । ସରକାରୀ ହିସାବରେ ୨୦୧୮-୧୯ବର୍ଷରେ ରାଜ୍ୟରୁ ୭୮୪୫ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୦୧୯-୨୦ ରେ ଏହା ୮୫୨୬ କିଲୋକୁ ବୃଦ୍ଧି ପାଇଥିଲା । ତେବେ ଚଳିତବର୍ଷ ଯେଉଁ ହାରରେ ଗଞ୍ଜେଇ ଜବତ ହେଉଛି ତାହା ନୂଆ ରେକର୍ଡ କରିବ ବୋଲି ଆକଳନ କରାଯାଉଛି ।

ରାଜ୍ୟରୁ ଯେତିକି ପରିମାଣ ଗଞ୍ଜେଇ ଗଛ ନଷ୍ଟ ହେଉଛି କିମ୍ବା ଯେତିକି ଗଞ୍ଜେଇ ଜବତ ହେଉଥିବା ସରକାରୀ ଭାବେ ଦର୍ଶାଯାଉଛି, ବାସ୍ତବତା ତାହାଠାରୁ ଢେର ଅଧିକ ବୋଲି କୁହାଯାଉଛି । ଓଡିଶାର ଗଞ୍ଜେଇ ଏବେ ଦେଶର ବିଭିନ୍ନ ରାଜ୍ୟ ବିଶେଷକରି ଦିଲ୍ଲୀ, ପଞ୍ଜାବ ଆଦିରୁ ଜବତ ହେବାରେ ଲାଗିଛି । ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ ଓଡିଶା ଏବେ ସମଗ୍ର ଦେଶରେ ଦୁର୍ନାମ ମୁଣ୍ଡାଇବାରେ ଲାଗିଛି ।