Home Covid ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ

ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ

ଭୁବନେଶ୍ୱର : କରୋନା ମୃତ୍ୟୁ କ୍ଷେତ୍ରରେ ଖୋର୍ଦ୍ଧା ନୂଆ ରେକର୍ଡ କରିଛି । ଗୋଟିଏ ଦିନରେ ଜିଲ୍ଲାରେ ସର୍ବାଧିକ ୪୨ଜଣ କରୋନାରେ ପ୍ରାଣ ହରାଇବା ସହିତ ଖୋର୍ଦ୍ଧାରେ ମୋଟ୍‍ ମୃତ୍ୟୁସଂଖ୍ୟା ୧୦୯୯ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଆଉ ୬୨ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁସଂଖ୍ୟା ୫୫୭୪ ହୋଇଛି ।

ସରକାରୀ ସୂଚନା ମୁତାବକ ରାଜ୍ୟରେ ଗୋଟିଏ ଦିନରେ ଆଉ ୬୨ଜଣଙ୍କ ଜୀବନ ଯାଇଥିବାବେଳେ ଏଥିରେ ଖୋରଧାର ୪୨ଜଣ ଅଛନ୍ତି । ସେହିଭଳି ସୁନ୍ଦରଗଡରୁ ୧୦ଜଣ ଥିବାବେଳେ କେନ୍ଦୁଝରରୁ ୫, ଯାଜପୁରରୁ ୨ ଏବଂ ପୁରୀ, କନ୍ଧମାଳ, ଜଗତ୍‍ସିଂହପୁର ଓ ଗଞ୍ଜାମରୁ ଜଣେ କରି ଅଛନ୍ତି । ନୂଆ ୧୦ମୃତ୍ୟୁ ସହିତ ସୁନ୍ଦରଗଡରେ ମୋଟ୍‍ ମୃତ୍ୟୁସଂଖ୍ୟା ୪୭୯ରେ ପହଞ୍ଚିଛି ।

ସେହିଭଳି ରାଜ୍ୟରେ ଆଉ ୧୬୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯,୧୮୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୯,୪୫,୧୭୭ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮,୩୮୧ ରହିଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋରଧା ଜିଲ୍ଲାରୁ ସର୍ବାଧିକ ୩୫୦ଜଣ ଥିବାବେଳେ କଟକରୁ ୨୫୦ ଓ ଅନୁଗୁଳରୁ ୧୦୦ ଜଣ ଅଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ତଳେ ରହିଛି । ତେବେ ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରୁ ବାଲେଶ୍ୱରରେ ୫୭,ଭଦ୍ରକରେ ୭୧, ଜଗତ୍‍ସିଂହପୁରରେ ୮୫, ଯାଜପୁରରେ ୮୦ ଓ ପୁରୀରେ ୭୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ କମ୍‍ ମାତ୍ର ୪ଜଣ କରୋନା ସଂକ୍ରମିତ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାରେ ୬, କଳାହାଣ୍ଡିରେ ୭, ବଲାଙ୍ଗିରରେ ୮ ଏବଂ ବୌଦ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ୯ଜଣ କରି ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍‍ଜୋନ୍‍ରେ ରହିଛି । ଏହି ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୪୮ ରହିଥିବାବେଳେ ୟୋଲୋ ଜୋନ୍‍ରେ ଥିବା କଟକ, ଯାଜପୁର ଓ ବାଲେଶ୍ୱରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୨୪୪୨, ୧୨୧୫ ଓ ୧୨୭୩ ରହିଛି । ସବୁଠାରୁ କମ୍‍ ମାତ୍ର ୩୬ଜଣ ସକ୍ରିୟ ରୋଗୀ ଦେବଗଡ ଜିଲ୍ଲାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here