Home News in Odia ଖେଳପଡିଆରେ ବିଡିଏର ନିର୍ମାଣକୁ ବିରୋଧ

ଖେଳପଡିଆରେ ବିଡିଏର ନିର୍ମାଣକୁ ବିରୋଧ

ଭୁବନେଶ୍ୱର : ୟୁନିଟ୍‍-୬ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଖେଳ ପଡିଆରେ ବିଡିଏ କର୍ତ୍ତୃପକ୍ଷଙ୍କ ନିର୍ମାଣକୁ ବିରୋଧ କରିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରସଂଘ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ରସଂଘ ପକ୍ଷରୁ କୁହାଯାଇଛି ଯେ ବିଦ୍ୟାଳୟର ପ୍ରାୟ ୮ଏକର ଜାଗା ମଧ୍ୟରୁ ୩ଏକରରୁ ଅଧିକ ସ୍ଥାନରେ ବେଆଇନ୍‍ ଭାବେ ଅକ୍ତିଆର କରାଯାଇ ନିର୍ମାଣ ଚାଲିଛି ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଗେଟ୍‍ ତାଲା ଭାଙ୍ଗି ନିର୍ମାଣ ଜାରି ରହିଛି । ତେବେ ଏଠାରେ କେଉଁ ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟ ଚାଲିଛି ସେ ସଂକ୍ରାନ୍ତରେ ପ୍ରଶ୍ନ କରାଯାଇଥିଲେ ବି ବିଡିଏ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଉନାହାନ୍ତି । ବିଡିଏର ଏପରି ଆଇନ୍‍ ବିରୋଧି କାର୍ଯ୍ୟକୁ ସ୍ଥାନୀୟ ବାସିନା, ବିଦ୍ୟାଳୟ ଅଭିଭାବକ କମିଟି ଓ ପୁରାତନ ଛାତ୍ରସଂଘ ଘୋର ବିରୋଧ କରିଛନ୍ତି ।

ପୁରାତନ ଛାତ୍ର ସଂଘ ସଦସ୍ୟ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ସଂଘର ଉପାଧ୍ୟକ୍ଷ ଏସ୍‍.ଏନ୍‍.ଦାଶ ଓ ଏମ.ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିର୍ମାଣ ସ୍ଥାନରେ ଶହେରୁ ଅଧିକ ସ୍ଥାନୀୟ ବାସିନା ଏକାଠି ହୋଇ ବିରୋଧ କରିଥିଲେ । ପୁଲିସ୍‍ ଓ ବିଡିଏ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ହେଲେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

ବିଦ୍ୟାଳୟର ନିଜସ୍ୱ ୮ଏକର ଜାଗା ରହିଛି ବୋଲି ସରକାରୀ ଭାବେ ଘୋଷଣାପତ୍ର ଅଛି । ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଥା କହୁଥିବାବେଳେ ବିଡିଏ କର୍ତ୍ତୃପକ୍ଷ ବେଆଇନ୍‍ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ଛବିକୁ ମଳିନ କରୁଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି ।

ସରକାର ବିଦ୍ୟାଳୟର ଜାଗାକୁ ଅକ୍ତିଆର କରି ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ପିଲାଙ୍କୁ ଖେଳକୁଦ କରିବ ଏକ ଅଧିକାର ରହିଛି । ସେଥିରୁ କେହି ବଞ୍ଚିତ କରିପାରିବେ ନାହିଁ । ବିଡିଏ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟରୁ ବିରତ ନରହିଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।