Home Infrastructure ଖୁବ୍‍ ଶୀଘ୍ର ଲଜିଷ୍ଟିକ ପଲିସୀ

ଖୁବ୍‍ ଶୀଘ୍ର ଲଜିଷ୍ଟିକ ପଲିସୀ

ଭୁବନେଶ୍ୱର : ରାଜ୍ୟ ସରକାର ଖୁବ୍‍ଶୀଘ୍ର ରାଜ୍ୟ ସ୍ତରୀୟ ‘ଲଜିଷ୍ଟିକ ପଲିସୀ’ ଆଣିବାପାଇଁ ସ୍ଥିର କରିଛନ୍ତି । ସମସ୍ତ ପ୍ରକାର ସାମଗ୍ରୀର ଯୋଗାଣ ବ୍ୟବସ୍ଥାକୁ ବାଧାମୁକ୍ତ କରିବାପାଇଁ ଏଭଳି ନିଷ୍ପତ୍ତି ହୋଇଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସହଯୋଗୀ ସଂସ୍ଥା ଓ ବରିଷ୍ଠ ଅଧିକାରୀଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିବା ଜଣାଯାଇଛି ।

ତଦନୁଯାୟୀ ଏହି ନୂତନ ନୀତି ପାଇଁ ଚିଠା ପ୍ରସ୍ତୁତ ସହିତ ତାହାକୁ ଶୀଘ୍ର ବିଭାଗକୁ ପଠାଇବା ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ କୁହାଯାଇଛି । ପ୍ରସ୍ତାବିତ ନୀତିରେ ରପ୍ତାନି ଓ ଆମଦାନୀ ପାଇଁ ଡିଜିଟାଇଜେସନ ବ୍ୟବସ୍ଥାରେ ସମସ୍ତ କାର୍ଯ୍ୟର ସରଳୀକରଣ କରାଯିବ । ଏହି ନୀତି ଜରିଆରେ ରାଜ୍ୟସରକାର ଲଜିଷ୍ଟିକ ଭିତ୍ତିଭୂମି ବିଶେଷକରି ଇଣ୍ଟରମୋଡାଲ ଓ ମଲ୍ଟିମୋଡାଲ ଲଜିଷ୍ଟିକ ପାର୍କ ପ୍ରତିଷ୍ଠା କରିବେ । ଏଥିରେ ଅତ୍ୟାଧୁନିକ ଗୋଦାମଘର, ଲଜିଷ୍ଟିକ ଟର୍ମିନାଲ ଆଦି ରହିବ । ଆସନ୍ତା ୫ କିମ୍ବା ୧୦ବର୍ଷ ସକାଶେ ରାଜ୍ୟ ସରକାର ଲଜିଷ୍ଟିକ ଦର ହ୍ରାସ ପାଇଁ ଲକ୍ଷ୍ୟ ରଖିଛନ୍ତି । ଚିଠା ନୀତି ପ୍ରସ୍ତୁତି ପରେ ଏ ସଂକ୍ରାନ୍ତରେ ଚିତ୍ର ସ୍ପଷ୍ଟ ହୋଇଯିବ ।

କେନ୍ଦ୍ର ସରକାର ମଧ୍ୟ ସାମଗ୍ରିକ ଜାତୀୟ ଲଜିଷ୍ଟିକ ନୀତି (ଏନଏଲ୍‍ପି) ପ୍ରସ୍ତୁତ କରୁଛନ୍ତି, ଯାହା ମାଧ୍ୟମରେ ସରକାର ଆସନ୍ତା ୫ବର୍ଷ ମଧ୍ୟରେ ଲଜିଷ୍ଟିକ ଖର୍ଚ୍ଚକୁ ୮ ପ୍ରତିଶତକୁ ହ୍ରାସ କରିବାର ଲକ୍ଷ୍ୟ ରଖିଛନ୍ତି । ଭାରତର ଲଜିଷ୍ଟିକ ଅର୍ଥ ବ୍ୟବସ୍ଥା ୨୧୫ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୨୫ ସୁଦ୍ଦା ଏହା ୧୦.୫ ପ୍ରତିଶତ ବୃଦ୍ଧି ପାଇବ । ଜାତୀୟ ଲିଜିଷ୍ଟିକ ନୀତିରେ ଜ୍ଞାନକୌଶଳ ବ୍ୟବହାର ମାଧ୍ୟମରେ ଲଜିଷ୍ଟିକ ଶିଳ୍ପର ସମସ୍ତ ସହଯୋଗୀଙ୍କୁ ଗୋଟିଏ ଛାତ ତଳେ ରଖାଯିବ ।

ଏଥିପାଇଁ ଗୋଟିଏ ଏକକ ବାତାୟନ ପୋର୍ଟାଲ ପ୍ରସ୍ତୁତି ହେବ ଯାହା ମାଧ୍ୟମରେ ବିଭିନ୍ନ ପ୍ରାନ୍ତରୁ ମାଲ ପରିବହନ ପାଇଁ ଗୋଦାମ ଘର, ଜାହାଜ ବିଶେଷଜ୍ଞ, ତୃତୀୟ ପକ୍ଷ ସେବା ପ୍ରଦାନକାରୀ, ପରିବହନକାରୀ ଏବଂ କଷ୍ଟମ ଦଲାଲମାନେ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରାଯାଇ ପାରିବ ।

ଉତ୍ସର୍ଗୀକୃତ ପରିବହନ କରିଡର, ଉଡାନ, ଭାରତମାଳା, ସାଗରମାଳା ଭଳି ଯୋଜନାରେ ବ୍ୟାପକ ପୁଞ୍ଜିନିବେଶ ପରେ ୨୦୧୬ରେ ବିଶ୍ୱବ୍ୟାଙ୍କର ଲଜିଷ୍ଟିକ ପ୍ରଦର୍ଶନ ସୂଚକାଙ୍କରେ ୩୫ତମ ସ୍ଥାନରେ ଥିବାବେଳେ ୨୦୧୮ରେ ୪୪ତମ ସ୍ଥାନକୁ ଖସି ଆସିଥିଲା । ଅବଶ୍ୟ ୨୦୧୪ରେ ଭାରତ ଏହି ସୂଚକାଙ୍କରେ ୫୪ତମ ସ୍ଥାନରେ ରହିଥିଲା । (ତଥ୍ୟ)