Home Infrastructure ଖୁବ୍‍ଶୀଘ୍ର ମାଲକାନଗିରି ବିମାନବନ୍ଦର

ଖୁବ୍‍ଶୀଘ୍ର ମାଲକାନଗିରି ବିମାନବନ୍ଦର

ଭୁବନେଶ୍ୱର : ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ଖୁବ୍‍ଶୀଘ୍ର ଆରମ୍ଭ ହେବ । ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଆଜି ମାଲକାନଗିରି ଗସ୍ତରୁ ଏହି ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି I

ଜିଲ୍ଲାରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀ, ପ୍ରକଳ୍ପ ନିର୍ଦ୍ଦଶକ ବାଲମୁକୁନ୍ଦ ଭୂୟାଁଙ୍କ ସମେତ, ବନଖଣ୍ଡ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ I 

ବୈଠକରେ ମୁଖ୍ୟତଃ ରାସ୍ତାଘାଟ ଓ ପୋଲ ନିର୍ମାଣ,  ଦୂର ଦୂରାନ୍ତ ସ୍ଥାନକୁ ଗମନାଗମନ ସୁବିଧା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଉଦ୍ୟାନ, କୃଷି, ମତ୍ସ୍ୟଚାଷ, ଜଳସେଚନ ଓ ବିବିଧ ଶସ୍ୟ ଉପ୍ତାଦନ  ଆଦି ବିଷୟରେ  ସବିଶେଷ ସମୀକ୍ଷା ହୋଇଥିଲା I

ସେବା ମନୋବୃତ୍ତି ନେଇ ଜିଲ୍ଲାର ସମସ୍ତ ଲୋକାଭିମୁଖି ଯୋଜନାକୁ  କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ନିର୍ମାଣ ବା ମରାମତି କାମ ଆରମ୍ଭ କରାଯାଇଥିବା ରାସ୍ତାଗୁଡିକୁ ମୌସୁମୀ ଆସିବା ପୂର୍ବରୁ ଯାତାୟାତ ଯୋଗ୍ୟ କରିବା ସହ ଅଣ ସଂଯୋଗୀକୃତ ଜନ ବସତିକୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ I

 ଜିଲ୍ଲାର ପ୍ରାକୃତିକ ଓ  ମାନବ ସମ୍ବଳ ଉପଯୋଗୀ ବିଭିନ୍ନ ପ୍ରକାରର ଜିବୀକା ନିର୍ବାହ ପନ୍ଥା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଲୋକମାନଙ୍କ ନିମନ୍ତେ ବର୍ଷ ତମାମ ଆୟର ସୁଯୋଗ ସୃଷ୍ଟି ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ I

ବୈଠକ ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନ ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ଗୁଡିକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି I ଏସବୁ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ  ପୂର୍ଣ୍ଣାଙ୍ଗ ପାଇଁ କ୍ଷେତ୍ର ସ୍ତରୀୟ ସ୍ଥିତି ଅନୁସାରେ ଆଜି ସମିକ୍ଷାରେ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି I

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥଲେ ଯେ ସମଗ୍ର ଜିଲ୍ଲା ପାଇଁ ପରିପୃକ୍ତି   ( ସାଚୁରେଚନ ମୋଡ) ଭିତ୍ତିରେ ଜଳ ଯୋଗାଣ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି I  ଇତି ମଧ୍ୟରେ ବାଲିମେଳା ସହରାଞ୍ଚଳର ଶତ ପ୍ରତିଶତ ଗୃହକୁ ପାଇପ  ମାଧ୍ୟମରେ ଜଳ ଯୋଗାଣ  କରାଯାଉଛି I ମାଲକାନଗିରି ସହରାଞ୍ଚଳର ସମସ୍ତ ଗୃହକୁ ଖୁବ ଶୀଘ୍ର ଜଳ ଯୋଗାଣ ପାଇପ୍ ସଂଯୋଗ ଦିଆଯିବ I

ମାଲକାନଗିରି ବିମାନ ବନ୍ଦର ସମ୍ବନ୍ଦିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହୁଥିଲେ ଯେ ଇତି ମଧ୍ୟରେ ବିମାନ ବନ୍ଦର ନିମନ୍ତେ ଜମି  ଅଧିଗ୍ରହଣ କାର୍ଯ୍ୟ ସରିଛି ଜଙ୍ଗଳ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳି ସାରିଛି I  ବିମାନ ବନ୍ଦର  ଜମିର ଚତୁପାର୍ଶ୍ୱ  ଆବଦ୍ଧ କରାଯାଇଛି I

ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଖୁବ ଶୀଘ୍ର କ୍ଷେତ୍ର ସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ I ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା 2024 ମସିହା ପ୍ରଥମ ଭାଗରେ ଏହି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ I ଅପରାହ୍ନରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି କ୍ଷେତ୍ର ସ୍ତରୀୟ ସ୍ଥିତିର ଅନୁଧ୍ୟାନ କରିଥିଲେ।