Home Election ଖୁବଶୀଘ୍ର ହୋଇପାରେ ବ୍ରଜରାଜନଗର ଉପନିର୍ବାଚନ

ଖୁବଶୀଘ୍ର ହୋଇପାରେ ବ୍ରଜରାଜନଗର ଉପନିର୍ବାଚନ

ଭୁବନେଶ୍ୱର : ବର୍ଷା ଋତୁ ଆସିବା ପୂର୍ବରୁ ଯେକୌଣସି ସମୟରେ ଖାଲି ପଡିଥିବା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ । ଏଥିଲାଗି ବିଭିନ୍ନ ମହଲରେ ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହି ଉପନିର୍ବାଚନ ବେଶ୍‍ ଗୁରୁତ୍ୱ ବହନ କରିବ ।

ବ୍ରଜରାଜନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା କିଶୋର ମହାନ୍ତିଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଏହି ଆସନଟି ଖାଲି ପଡିଛି । ସ୍ୱର୍ଗତ ମହାନ୍ତି ପୂର୍ବରୁ ଝାରସୁଗୁଡାର ବିଧାୟକ ଥିବାବେଳେ ବିଧାନସଭାର ମୁଖ୍ୟ ସଚେତକ ଓ ପରେ ବାଚସ୍ପତି ପଦବୀ ଅଳଙ୍କୃତ କରିଥିଲେ । ସେ ମଧ୍ୟ ରାଜ୍ୟସଭା ସାଂସଦ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।

କଂଗ୍ରେସ ନେତା ନବ କିଶୋର ଦାସ ବିଜେଡିରେ ସାମିଲ ହେବା ପରେ ୨୦୧୯ ବିଧାନସଭା ନିର୍ବାଚନ ବେଳେ ନବଙ୍କୁ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିବା ସହ ତାଙ୍କର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ କିଶୋର ମହାନ୍ତିଙ୍କୁ ଝାରସୁଗୁଡାରୁ ନେଇ ପଡୋଶୀ ବ୍ରଜରାଜନଗର ଆସନରେ ପ୍ରାର୍ଥୀ କରିଥିଲା ଏବଂ ନୂଆ ଆସନ ହେଲେ ବି କିଶୋର ମହାନ୍ତି ବ୍ରଜରାଜନଗରରୁ ଜିଣିଥିଲେ ।

ବ୍ରଜରାଜନଗର ବିଧାନସଭା ଆସନ ଦୀର୍ଘବର୍ଷ ଧରି କମ୍ୟୁନିଷ୍ଟର ଗଡ ଥିଲା । ଏଠାରୁ ବରିଷ୍ଠ ବାମପନ୍ଥୀ ନେତା ପ୍ରସନ୍ନ କୁମାର ପଣ୍ଡା ବାରମ୍ବାର ନିର୍ବାଚିତ ହୋଇଆସୁଥିଲେ । ପରବର୍ତ୍ତୀ ସମୟରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଅନୁପ ସାଏ ଜିଣିଥିଲେ । ତେବେ ଅନୁପ ବିଜେଡିରେ ଯୋଗ ଦେବା ପରେ ଏହି ଆସନରୁ ସ୍ୱର୍ଗତ ପଣ୍ଡାଙ୍କ ସଂପର୍କୀୟା ତଥା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଏଠାରୁ ଜିଣିଥିଲେ । ତେବେ କିଶୋର ମହାନ୍ତି ବ୍ରଜରାଜନଗର ଦଖଲ କରିବାରୁ ଏହା ବିଜେଡିର ଗଡରେ ପରିଣତ ହୋଇଛି ।

ବ୍ରଜରାଜନଗର ଆସନରେ କଂଗ୍ରେସ, କମ୍ୟୁନିଷ୍ଟ, ବିଜେପି ଓ ବିଜେଡିର ଭଲ ସଂଗଠନ ରହିଛି । ଗତ ଲୋକସଭା ନିର୍ବାଚନରେ ବରଗଡ ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଭାବେ ସୁରେଶ ପୂଜାରୀ ବିଜୟୀ ହୋଇଥିବା ବେଳେ କିଶୋର ମହାନ୍ତି କିନ୍ତୁ ଏହି ଲୋକସଭା ଆସନ ସୀମା ମଧ୍ୟରେ ଆସୁଥିବା ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ବିଜେଡିର ଗତିରୋଧ କରିଥିଲେ ।

ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରଗଡ ଜିଲ୍ଲା ପରିଷଦ ବିଜେଡି ଦଖଲ କରିଥିବା ବେଳେ ଝାରସୁଗୁଡା ଓ ବ୍ରଜରାଜନଗର ପୌର ସଂସ୍ଥାକୁ ନିଜ ଅକ୍ତିଆର ମଧ୍ୟରେ ରଖିବା ପାଇଁ ବିଜେଡି ଓ ବିଜେପି ପୁରା ଦମ୍‍ରେ ଲାଗିଛନ୍ତି । ପୌର ନିର୍ବାଚନ ପରେ ପରେ ଯେକୌଣସି ସମୟରେ ଖାଲି ପଡିଥିବା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ବର୍ଷା ଋତୁ ଆସିବା ପୂର୍ବରୁ ଏଠାରେ ଉପନିର୍ବାଚନ ହେବା ସମ୍ଭାବନା ଉଜ୍ଜ୍ୱଳ ।

ପୂର୍ବରୁ ବାଲେଶ୍ୱର, ତିର୍ତ୍ତୋଲ ଓ ପିପିଲି ବିଧାନସଭା ଆସନଗୁଡିକ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ବାଲେଶ୍ୱର ଆସନଟି ହରାଇଥିବା ବେଳେ ବିଜେଡି ତିର୍ତ୍ତୋଲ ଓ ପିପିଲି ସହିତ ବାଲେଶ୍ୱରକୁ ଦଖଲ କରିଛି । ସେହିପରି ବିଜେପୁର ଉପନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିଛନ୍ତି । ନିକଟରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଛି ।

ବିଜେଡି ବ୍ରଜରାଜନଗର ଆସନରୁ ପ୍ରସନ୍ନଙ୍କୁ ପ୍ରାର୍ଥୀ କରିପାରେ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ସ୍ୱର୍ଗୀୟ ବିଧାୟକ କିଶୋର ମହାନ୍ତିଙ୍କ ପରିବାରରୁ କେହି ବି ବିଜେଡି ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ସେହିଭଳି ଏହି ଆସନରୁ ପୁଣିଥରେ ବିଜେପି ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନିର୍ବାଚନ ଲଢ଼ିବା ସମ୍ଭାବନା ଅଧିକ ରହିଛି । କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ମଧ୍ୟ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି । ଏହି ଉପନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ବୁଥ୍‍ ସ୍ତରରୁ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳୁଛି । (ତଥ୍ୟ)