Home General ଖୁବଶୀଘ୍ର ଗଡିବ ଇ-ବସ୍‍

ଖୁବଶୀଘ୍ର ଗଡିବ ଇ-ବସ୍‍

ଭୁବନେଶ୍ୱର : ରାଜ୍ୟରେ ଖୁବ୍‍ଶୀଘ୍ର ଇ-ବସ୍‍ ଗଡିବ । “ମୋ ବସ” ସେବା ସଂପର୍କରେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିବା ଅବସରରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ଆଜି କ୍ରୁଟ୍‍ ପରିବହନ ସଂକ୍ରାନ୍ତୋର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ବର୍ତମାନ ୩୨ ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ ଟି ବସ୍‌ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା , ପିପିଲି , କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି ।

ଏହି ସବୁ ବସ୍ ଗୁଡିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ତେବେ ପରିବର୍ତିତ ପରିସ୍ଥିତିରେ ଏଥିରେ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇ – ରିକ୍ସା ସେବା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ମୋ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟ ସ୍ଥଳିକୁ ଯାଇ ପାରିବେ ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ , ପୋଖରିପୁଟ ଓ ନରାଜ ଠାରେ ଡିପୋ କମ୍ ଅଫିସ ନିର୍ମାଣ କାର୍ଯ୍ୟ ଚଲିିଛି । କ୍ୟାପିଟାଲ ରିଜିଅନର ବିଭିନ୍ନ ଅଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ।

ଆଗାମୀ ଦିରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ କରାଯାଇ ପାରିବ ସେ ନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।