Home General ଖାଉଟି ସାମଗ୍ରୀ ଦୁଇ ଗୁଣା ବଢିଛି

ଖାଉଟି ସାମଗ୍ରୀ ଦୁଇ ଗୁଣା ବଢିଛି

ଭୁବନେଶ୍ୱର : ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦରବୃଦ୍ଧିକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଗତ ୭ବର୍ଷ ମଧ୍ୟରେ ଡାଲି ଓ ଖାଇବା ତେଲର ଦର ଢେର ଅଧିକ ହୋଇଛି । ସମସ୍ତ ପ୍ରକାର ଖାଇବା ତେଲର ଦର ଦୁଇଗୁଣରୁ ଅଧିକ ଥିବାବେଳେ ବୁଟଡାଲି ଦର ବି ଦୁଇଗୁଣ ବଢିଛି ।

ରାଜ୍ୟରେ ଏବେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ସହିତ ଖାଉଟି ସାମଗ୍ରୀର ଦରବୃଦ୍ଧି ବି ଲୋକଙ୍କୁ ବାଧୁଛି । ତେବେ ସରକାରୀ ସୂଚନା ମୁତାବକ ୨୦୧୪ ମସିହାରେ ସୋରିଷ ତେଲ କିଲୋପ୍ରତି ୮୯ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ତାହା ଦୁଇଗୁଣରୁ ଅଧିକ ଅର୍ଥାତ୍‍ ୨୦୦ ଟଙ୍କା ଛୁଇଁଛି । ସେହିଭଳି ପାମୋଲିନ୍‍ ତେଲ୬୭ ଟଙ୍କାରୁ ୧୫୦ ଟଙ୍କା ହୋଇଥିବାବେଳେ ସୂର୍ଯ୍ୟମୁଖୀ ତେଲର ଦର ୮୬ରୁ ୧୬୦ ଟଙ୍କା ହୋଇଛି ।

ଖାଇବା ତେଲ ସହିତ ତାଳ ଦେଇ ରାଜ୍ୟରେ ଡାଲି ଦର ବି ବଢିବାରେ ଲାଗିଛି । ୨୦୧୪ ମସିହାରେ ବୁଟ ଡାଲି କଲେ ୪୪ଟଙ୍କାରେ ମିଳୁଥିବାବେଳେ ଏବେ ତାହା ୮୦ ଟଙ୍କାକୁ ଟପିଛି । ସେହିଭଳି ଦ୍ୱିତୀୟ କିସମର ହରଡ ଡାଲି ୭୪ ଟଙ୍କାରୁ ବଢି ୧୦୦ ଟଙ୍କା ଟପିଥିବାବେଳେ ମୁଗ ଡାଲି ୮୫ ଟଙ୍କାରୁ ବୃଦ୍ଧି ପାଇ ୧୦୦ ଟଙ୍କା ଛୁଇଁଛି ।

ଖାଉଟି ରାଜ୍ୟ ଭାବେ ପରିଗଣିତ ଓଡିଶା ବର୍ଷ ସାରା ଏହି ଦୁଇ ଖାଦ୍ୟ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ହ୍ରାସ ପାଇପାରୁ ନାହିଁ । ଓଡିଶାରେ କେତେ ଦରରେ ଡାଲି ଓ ତେଲ ବିକ୍ରି ହେବ ତାହା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ସ୍ଥିର କରୁଛନ୍ତି । ଓଡିଶାରୁ ଉତ୍ପାଦିତ ଡାଲିକୁ ନେଇ ପ୍ରକ୍ରିୟାକରଣ କରି ତାହାକୁ ଚଢା ଦରରେ ଓଡିଶାକୁ ବିକୁଛନ୍ତି ।

ଖାଇବା ତେଲ ଓ ଡାଲି ସହ ତାଳଦେଇ ବଜାରରେ ପନିପରିବାର ଦର ବୃଦ୍ଧି ପାଇବା ବିଶେଷକରି ଅନ୍ୟ ରାଜ୍ୟରୁ ଆସୁଥିବା ପନିପରିବା ଦର ଉଚ୍ଚା ରହୁଥିବାରୁ ଲୋକଙ୍କ ପାଇଁ ବେଡି ଉପରେ କୋରଡା ମାଡ ଭଳି ଅବସ୍ଥା ହୋଇଛି । ରାଜ୍ୟ ବାହାରୁ ଆସୁଥିବା ଟମାଟୋ କିଲୋ ୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଗାଜର ୮୦, ବିନ୍‍ ୧୨୦, ବନ୍ଧାକୋବି ୪୦ ଟଙ୍କାରେ ମିଳୁଛି । ମଧ୍ୟବିତ୍ତ ଲୋକେ ବି ଏବେ ପରିବା ହାଟକୁ ଯିବାକୁ ଡରିଲେଣି ।

ତେବେ ଏଭଳି ହୁ ହୁ ଦରବୃଦ୍ଧିର କାରଣ ପେଟ୍ରୋଲ ଡିଜେଲର ଦୈନିକ ବୃଦ୍ଧି ବୋଲି ବ୍ୟବସାୟୀ ମହାସଂଘଗୁଡିକ କହିଲେଣି । ତୈଳଦର ନକମିଲେ ଦରବୃଦ୍ଧିକୁ ରୋକାଯାଇ ପାରିବନାହିଁ । ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ସାମଗ୍ରୀର ଗାଡିଭଡା ଢେର ବଢିଥିବାରୁ ଖାଦ୍ୟ ସାମଗ୍ରୀର ଦର ବଢିବାରେ ଲାଗିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here