Home Judiciary ଖାଉଟି ଅଦାଲତ ସ୍ଥିତି ସଙ୍ଗୀନ

ଖାଉଟି ଅଦାଲତ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର : ମହଙ୍ଗା ମାଡ଼ରେ ପେଶୀ ହେଉଥିବା ଖାଉଟି ଠକାମୀର ଶିକାର ହେଲେ ଏବେ କେବଳ ହାତ ଟେକିଦେବା ସାର । ଖାଉଟି ମାମଲାର ବିଚାର ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ସଂସ୍ଥାଗୁଡ଼ିକରେ ବିଚାରପତି ଅଭାବରୁ ଏହି ସାଙ୍ଘାତିକ ସମସ୍ୟା ସୃଷ୍ଟି ହୋଇଛି । ଖୁବ୍‍ଶୀଘ୍ର ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ଖାଉଟି ଫୋରମ୍‍ର ପଦପଦବୀ ସବୁ ପୂରଣ ହେବ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ କେବେସୁଦ୍ଧା ଏହା ପୂରଣ ହେବ ସେଥିଘେନି ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି ।

ନୂଆ ଖାଉଟି ଆଇନ୍‍ ଆଧାରରେ ଗତବର୍ଷଠାରୁ ଜିଲ୍ଲାସ୍ତରୀୟ ଖାଉଟି ଅଦାଲତଗୁଡ଼ିକୁ ଖାଉଟି କମିଶନର ମର୍ଯ୍ୟାଦା ମିଳିଛି । ତେବେ ରାଜ୍ୟରେ ଥିବା ଜିଲ୍ଲା ଖାଉଟି କମିଶନଗୁଡ଼ିକରୁ ଅନ୍ୟୁନ ୨୫ଟିରେ ସ୍ଥାୟୀ ସଭାପତି ପଦ ଖାଲି ପଡ଼ିଛି । ଏହାଛଡ଼ା ଜିଲ୍ଲାସ୍ତରୀୟ ଖାଉଟି କମିଶନଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ସଦସ୍ୟ ପଦବୀ ଖାଲିପଡ଼ିଥିବାରୁ ଠକେଇ ଓ ଶୋଷଣର ଶିକାର ହେଉଥିବା ଖାଉଟିମାନଙ୍କୁ ତ୍ୱରିତ ନ୍ୟାୟ ମିଳିପାରୁନାହିଁ ।

କଟକରେ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ରହିଛି । ଏଠାରେ ଅଚଳାବସ୍ଥା ସୃଷ୍ଟି ହେବାରୁ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା ଏବଂ ତଦନୁଯାୟୀ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଡ. ଡି.ପି ଚୌଧୁରୀଙ୍କୁ ଗତବର୍ଷ ରାଜ୍ୟ କମିଶନର ସଭାପତି ଭାବେ ନିଯୁକ୍ତି ମିଳିଥିଲା ।

ରାଜ୍ୟ ଖାଉଟି କମିଶନରେ ସଭାପତିଙ୍କ ସହ ୪ଜଣ ସଦସ୍ୟ ରହିବାର ପ୍ରାବଧାନ ରହିଛି । ତେବେ ବର୍ତ୍ତମାନ ଏଠି ଜଣେ ହେଲେ ସଦସ୍ୟ ନାହାନ୍ତି । ଫଳରେ ରାଜ୍ୟ ଖାଉଟି କମିଶନରେ ଖଣ୍ଡପୀଠ ବସିପାରୁନାହିଁ ଏବଂ ଏହାର ସଭାପତି ଥିବା ଜଷ୍ଟିସ୍‍ ଚୌଧୁରୀ ଏକାକୀ ମାମଲାର ଶୁଣାଣି କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଉଭୟ ରାଜ୍ୟ ଓ ଜିଲ୍ଲା ଖାଉଟି କମିଶନରେ ସଭାପତି ଓ ଅନ୍ୟ ସଦସ୍ୟ ପଦବୀଗୁଡ଼ିକ କେବେଠାରୁ ଖାଲିପଡ଼ିବ ତାହା ମୂଳରୁ ସରକାର ଜାଣନ୍ତି । ଏହା ସତ୍ତ୍ୱେ ଖାଉଟି ମାମଲା ବିଚାର ପାଇଁ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ପରିପ୍ରେକ୍ଷୀରେ ସମସ୍ୟା ଉପୁଯିବା ସ୍ୱାଭାବିକ ।

ଏଠାରେ ଉଲ୍ଲେଖନୀୟ ଯେ ଏବେ ପେଟ୍ରୋଲ ଲିଟର ୯୧ ଟଙ୍କାରୁ ଅଧିକ ରହିଥିବା ବେଳେ ଖାଇବା ତେଲ ଦର ବି ଦେଢଶହ ଟଙ୍କା ଉପରେ । ଗୋଟିଏ ପଟେ ଦର ବଢ଼ି ଚାଲୁଥିବା ବେଳେ ଉଭୟ ଓଜନ ଓ ମାନରେ ଖାଉଟିମାନେ ଠକାମୀର ଶିକାର ହେଉଥିବା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । ଏମିତିକି କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭେଜାଲ ସାମଗ୍ରୀର ବ୍ୟାପକ ବେପାର ଚାଲୁଛି ।

ଅଥଚ ଏ କ୍ଷେତ୍ରରେ ଖାଉଟିମାନଙ୍କୁ ନ୍ୟାୟ ଦେବା ପାଇଁ ଗଠନ କରାଯାଇଥିବା ରାଜ୍ୟ ଓ ଜିଲ୍ଲା ଖାଉଟି କମିଶନଗୁଡ଼ିକର ସଭାପତି ଓ ସଦସ୍ୟ ପଦବୀରୁ ଅଧିକାଂଶ ଖାଲି ରହିବା ଖାଉଟିମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ଖାଦ୍ୟ ଓ ଖାଉଟି ସୁରକ୍ଷା ଆନ୍ଦୋଳନ ସହ ଜଡ଼ିତ ଅଭିଜ୍ଞ ସମାଜସେବୀ ଓ ଆଇନ୍‍ଜୀବୀମାନେ ଅଭିଯୋଗ କରୁଛନ୍ତି । (ତଥ୍ୟ)