Home Energy ଖାଉଟିଙ୍କୁ ମିଳୁନି ସୌର ଶକ୍ତି ସୂଚନା

ଖାଉଟିଙ୍କୁ ମିଳୁନି ସୌର ଶକ୍ତି ସୂଚନା

ଭୁବନେଶ୍ୱର : ଅଣପାରମ୍ପରିକ ଶକ୍ତି ବିଶେଷକରି ସୌରଶକ୍ତିର ବ୍ୟବହାର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଥିବାବେଳେ ଠିକଣା ସୂଚନା ଅଭାବରୁ ଆମ ରାଜ୍ୟରେ ଏ କ୍ଷେତ୍ରରେ ସେତେଟା ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ମାଧ୍ୟମରେ କେତେକ ସରକାରୀ କୋଠାରେ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସାଧାରଣ ବିଦ୍ୟୁତ୍‍ ଗ୍ରାହକ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଓରେଡା ସହାୟତାରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଦପ୍ତର ବିଶେଷକରି ବିଦ୍ୟାଳୟ, ପ୍ରାଥମିକ ଚିକିତ୍ସାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖଣି ଖାଦାନ, ଥାନା ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ସୌରଶକ୍ତି ପ୍ୟାନେଲ୍‍ ଲଗାଯାଇଛି । ଏହି ସରକାରୀ ସଂସ୍ଥାର ସଂଖ୍ୟା ମାତ୍ର ୧୬୩୦ । ଏଥି ମଧ୍ୟରେ କେବଳ ଅଗ୍ନିଶମ କେନ୍ଦ୍ରର ସଂଖ୍ୟା ୩୧୩ଟି ରହିଛି ।

ଅନ୍ୟ ସରକାରୀ ସଂସ୍ଥା ମଧ୍ୟରେ ୭୬୬ଟି ଆବାସିକ ବିଦ୍ୟାଳୟ, ୧୯୦ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ୧୭୫ଟି ଥାନା ଓ ୩୦ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଛି । ସେହିଭଳି ୩୩ଟି କେନ୍ଦୁପତ୍ର ଗୋଦାମ, ୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଏହି ତାଲିକାରେ ଥିବାବେଳେ ୯ଟି ଖଣି ବି ରହିଛି ।

ରାଜ୍ୟରେ ଶତାଧିକ ସରକାରୀ ଡାକ୍ତରଖାନା ରହିଥିବା ଓ ଏଠାରେ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟ ଏପରିକି ଟର୍ଚ୍ଚ ଆଲୋକରେ ଅପରେସନ ଭଳି ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏହିସବୁ ସ୍ଥାନରେ କିନ୍ତୁ ସୌରଶକ୍ତି ବ୍ୟବସ୍ଥା କରାଯାଉନାହିଁ । ରାଜ୍ୟର ସହରାଞ୍ଚଳର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଛାତରେ ସୌରଶକ୍ତି ଉତ୍ପାଦନ ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଖଞ୍ଜାଯାଇ ପାରିଲେ ଏଠାରେ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।

ସେହିଭଳି ବିଦ୍ୟୁତ୍‍ ଗ୍ରାହକମାନେ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ୟାନେଲ ବସାଇବାକୁ ଚାହିଁଲେ ସେମାନଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି । ଏହି ଦାୟିତ୍ୱ ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀକୁ ଦିଆଯାଇଥିଲେ ବି ଗ୍ରାହକମାନେ ଯୋଜନା ସଂକ୍ରାନ୍ତରେ ସଠିକ ଭାବେ ଅବଗତ ନୁହନ୍ତି । ବଣ୍ଟନକାରୀ କମ୍ପାନୀ ପକ୍ଷରୁ ଏ ସଂକ୍ରାନ୍ତରେ ଗ୍ରାହକଙ୍କୁ କୌଣସି ସୂଚନା ଦିଆଯାଉନାହିଁ । ଲୋକେ ଘରୋଇ ସଂସ୍ଥାଠାରୁ ବି ସୌରଶକ୍ତି ପ୍ୟାନେଲ କିଣିବାକୁ ଭରସି ପାରୁ ନାହାନ୍ତି । ଫଳରେ ଲୋକେ ବ୍ୟାପକ ଅର୍ଥ ବ୍ୟୟକରି ବିଦ୍ୟୁତ୍‍କାଟ୍‍ରୁ ବର୍ତ୍ତିବାପାଇଁ ଇନଭର୍ଟର କିଣୁଛନ୍ତି ପଛେ ସୌରଶକ୍ତି ବ୍ୟବସ୍ଥା କରୁନାହାନ୍ତି ।

ବିଦ୍ୟୁତ୍‍ ବ୍ୟବସାୟ କରୁଥିବା ଓପିଟିସିଏଲ୍‍ର ଆଇପିଡିଏସ୍‍ ଯୋଜନାରେ କେବଳ ସରକାରୀ କାର୍ଯ୍ୟାଳୟ ଓ ସବ୍‍ଷ୍ଟେସନ ଠାରେ ମାତ୍ର ୧୦୬ଟି ସ୍ଥାନରେ ସୌର ପ୍ୟାନେଲ ସ୍ଥାପନ ହୋଇଛି । ଏଥିରୁ ମୋଟ୍‍ ୬୩୫ କିଲୋୱାଟ ବିଜୁଳି ମିଳୁଛି । ଓପିଟିସିଏଲ୍‍ର ମୁଖ୍ୟ କାର୍ଯ୍ୟାଳୟରେ ୧୫୩ କିଲୋୱାଟର ସୌର ପ୍ୟାନେଲ ବି ସ୍ଥାପନ ହୋଇଛି । ଗେଡକୋଲ ମଧ୍ୟ ୬୫ଟି ସରକାରୀ କୋଠା ତଥା ଶିକ୍ଷାନୁଷ୍ଠାନରେ ୪ମେଗାୱାଟ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଛି ।

ହେଲେ ସାଧାରଣ ବିଦ୍ୟୁତ୍‍ ଗ୍ରାହକମାନେ କିଭଳି ଏହି ସୌରଶକ୍ତି ପ୍ରକଳ୍ପର ସୁବିଧା ନେବେ ସେ ଦିଗରେ ସେମାନଙ୍କୁ ଠିକଣା ଭାବେ ସୂଚନା ପ୍ରଦାନ କରାଯାଉ ନଥିବାରୁ ରାଜ୍ୟରେ ସୌରଶକ୍ତିରୁ ଯେତେ ବିଦ୍ୟୁତ୍‍ ଉତ୍ପାଦନ ହେବାକଥା ତାହା ହୋଇପାରୁ ନାହିଁ । ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କ ସକାଶେ ଏଥିପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)