Home Election କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ

କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ

ଭୁବନେଶ୍ୱର : ପୌର ନିର୍ବାଚନ ଲାଗି ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ଲାଗି ଧାର୍ଯ୍ୟ କରିଥିବା ଖର୍ଚ୍ଚ ସୀମାକୁ ଏବେ ଠାରୁ ସଂଖ୍ୟାଧିକ ପ୍ରାର୍ଥୀ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି । ପୁଲିସ. ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ଓ ରାଜନୈତିକ ନେତାମାନଙ୍କ ଉପସ୍ଥିତିରେ ଏଭଳି ହେଉଥିଲେ ମଧ୍ୟ ତାହାର ପ୍ରତିକାର କରିବାକୁ କେହି ଆଗେଇ ଆସୁନାହାନ୍ତି ।

ଏହି ନିର୍ବାଚନ ଲାଗି ମେୟର ପ୍ରାର୍ଥୀ ୬ଟି ଓ କର୍ପୋରେଟର ପ୍ରାର୍ଥୀ ଦୁଇଟି ପର୍ଯ୍ୟନ୍ତ ତିନି ବା ଚାରି ଚକିଆ ଯାନ ବ୍ୟବହାର କରିପାରିବେ । କିନ୍ତୁ ଅଧିକାଂଶ ମେୟର ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିବାକୁ ଯିବାବେଳେ ଧାର୍ଯ୍ୟ ସୀମାଠାରୁ ଢେର ଅଧିକ ସଂଖ୍ୟକ ଗାଡି ଶୋଭାଯାତ୍ରାରେ ବ୍ୟବହାର କରିଥିବା ଦେଖିବାକୁ ମିଳୁଛି ।

ସେହିଭଳି ମ୍ୟୁନିସିପାଲିଟି ଓ ଏନ୍‍ଏସିର ଅଧ୍ୟକ୍ଷ ଏବଂ କାଉନସିଲର ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ମନୋନୟନପତ୍ର ଦାଖଲ ବେଳେ ଢେର ଅଧିକ ସଂଖ୍ୟକ ଯାନବାହାନ ବ୍ୟବହାର କରିଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । କେବଳ ସେତିକି ନୁହେଁ, ଏହି ଶୋଭାଯାତ୍ରାରେ ବ୍ୟାପକ ସଂଖ୍ୟକ ଦୁଇଚକିଆ ଯାନ ବ୍ୟବହାର କରାଯିବା ସଂଗେ ସଂଗେ ଗୋଟିଏ ଗୋଟିଏ ବାଇକରେ ହେଲମେଟ୍‍ ଓ ମାସ୍କ ନପିନ୍ଧି ତିନିଜଣ ଓ ତଦୁର୍ଦ୍ଧ ବ୍ୟକ୍ତି ଯାଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି ।

ସାଧାରଣ ଲୋକଟିଏ ମାସ୍କ କିମ୍ବା ହେଲମେଟ ନପିନ୍ଧି ଗାଡି ଚଳାଇଲେ ସେମାନଙ୍କୁ ଧରି ଜୋରିମାନା କରାଯାଉଛି । ଅଥଚ ନିର୍ବାଚନ ରାଲିରେ ବିନା ମାସ୍କ ଓ ବିନା ହେଲମେଟ୍‍ରେ ଯେଉଁମାନେ ନିଶା ସେବନ ସହ ଉତ୍ପାତ କରୁଛନ୍ତି ସେମାନଙ୍କୁ ପୁଲିସ୍‍ ବାଟ କଢେଇ ନେଉଛି । ନିର୍ବାଚନ ଖର୍ଚ୍ଚ ଦେଖିବା ଲାଗି ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକମାନଙ୍କ ନଜରକୁ ଏହି ଘଟଣା ଆସୁଥିବା ଭଳି ମନେ ହେଉନାହିଁ ।

ପୌରସଂସ୍ଥାର ଯେଉଁ ପୌରସଂସ୍ଥାରେ ଜନସଂଖ୍ୟା ୫୦ହଜାର ଭିତରେ ରହିଛି ସେଠାରେ ଜଣେ କାଉନସିଲର କିମ୍ବା କର୍ପୋରେଟର ପ୍ରାର୍ଥୀ ଅତି ବେଶିରେ ୫୦ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ସେହିଭଳି ଯେଉଁଠି ଜନସଂଖ୍ୟା ୫୦ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ରହିଛି ସେଠାରେ କାଉନସିଲର ଓ କର୍ପୋରେଟର ପ୍ରାର୍ଥୀ ୧ଲକ୍ଷ ଓ ଜନସଂଖ୍ୟା ୧ଲକ୍ଷରୁ ଅଧିକ ଥିଲେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ଏଥର ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ପ୍ରତ୍ୟକ୍ଷ ଭୋଟରେ ହେଉଛି । ୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ପୌର ସଂସ୍ଥାର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଖର୍ଚ୍ଚସୀମା ୩ଲକ୍ଷ ଟଙ୍କା, ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିଲେ ଏହି ଖର୍ଚ୍ଚ ସୀମା ୫ଲକ୍ଷ ଟଙ୍କା ଏବଂ ୧ଲକ୍ଷରୁ ଉର୍ଦ୍ଧ୍ୱ ଜନଂସଖ୍ୟା ଥିଲେ ଖର୍ଚ୍ଚର ପରିମାଣ ୧୨ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ମୋଟାମୋଟି ଭାବେ ପୌର ନିଗମଗୁଡିକର ମେୟର ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ୧୨ଲକ୍ଷ ଟଙ୍କା ରହୁଛି ।

ଏହି ନିର୍ବାଚନ ପାଇଁ ମତଗ୍ରହଣ ଚଳିତମାସ ୨୪ତାରିଖରେ ହେବାକୁ ଥିବାବେଳେ ୨୨ତାରିଖରେ ପ୍ରଚାର ସରିବ । ହାତରେ କମ୍‍ ଦିନ ଥିବାବେଳେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନଥିଲେ ମଧ୍ୟ ଅନେକ ଦଳୀୟ ପ୍ରାର୍ଥୀ ପୂରା ଦମରେ ବିଭିନ୍ନ ପୌର ନିଗମ ଓ ଅନ୍ୟାନ୍ୟ ମ୍ୟୁନିସିପାଲିଟି ଓ ଏନ୍‍ଏସିରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଦଳୀୟ ପତାକା ନଲଗାଇ ଅନେକ ପ୍ରାର୍ଥୀ ବହୁ ଯାନବାହାନ ବ୍ୟବହାର କରୁଛନ୍ତି ।

ଏହାର ଫଟୋଚିତ୍ର ବି ଗଣମାଧ୍ୟମରେ ପ୍ରକାଶ ପାଉଛି । ଧାର୍ଯ୍ୟ ଖର୍ଚ୍ଚ ସୀମାର ୧୦ଗୁଣରୁ ଅଧିକ ଅର୍ଥ ଜଣେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରିବାକୁ ଯାଉଥିବାବେଳେ ସେମାନଙ୍କ ଖର୍ଚ୍ଚ ଉପରେ ଲଗାମ ଦେବାପାଇଁ କିନ୍ତୁ କେହି ଆଗସାର ହେଉନାହାନ୍ତି । ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବି ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ଓ ଯାନବାହାନ ସମେତ ଅନ୍ୟାନ୍ୟ କଟକଣାର ଖୋଲା ଉଲ୍ଲଙ୍ଘନ ହୋଇଥିବାବେଳେ ତାହା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । (ତଥ୍ୟ)