Home Finance ଜଳ ଜୀବନ ମିଶନରେ ୨୦୩୬ କୋଟି

ଜଳ ଜୀବନ ମିଶନରେ ୨୦୩୬ କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାର ଜଳ ଜୀବନ ମିଶନ (ଜେଜେଏମ୍‍) ଯୋଜନାରେ ୨୦୨୨-୨୩ ବର୍ଷ ପାଇଁ ଓଡିଶା ଲାଗି ୨୦୩୬ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ୨୦୨୧-୨୨ ଆର୍ଥିକ ବର୍ଷରେ ୩୩୨୩.୪୨ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ ।

ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣର ଅଗ୍ରଗତି ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ନେଇ କୋଲକତା ଠାରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରୁ ଏହା ଜଣାପଡିଛି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶୋଖାୱତ, ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ, କେନ୍ଦ୍ରୀୟ ସଚିବ ଏବଂ ଛଅଟି ରାଜ୍ୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ବୈଠକରେ ଉପସ୍ଥିତ ଥିଲେ । ମଞ୍ଜୁର ଅର୍ଥ କାମଚଳା ହୋଇଥିବାବେଳେ ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହି ପରିମାଣ ବଢିପାରେ ।

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୮୧୨.୧୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ୨୦୨୪ ମାର୍ଚ୍ଚ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ପାନୀୟଜଳ ଯାଗାଣର ଲକ୍ଷ୍ୟ ରହିଛି । ୨୦୧୯ ଅଗଷ୍ଟ ୧୫ ତାରିଖରେ ଜଳ ଜୀବନ ମିଶନର ଶୁଭାରମ୍ଭ ସମୟରେ ମାତ୍ର ୩.୧୧ ଲକ୍ଷ ପରିବାର ଅର୍ଥାତ୍‍ ୪% ଘରକୁ ପାଇପ୍‍ ଜଳ ସଂଯୋଗ ବ୍ୟବସ୍ଥା ଥିଲା । ବର୍ତ୍ତମାନ ସୁଦ୍ଧା ୩୫.୫୧ଲକ୍ଷ ପରିବାର ଅର୍ଥାତ୍‍ ୪୦%ଙ୍କୁ ଏହି ସଂଯୋଗ ସୁବିଧା ଯୋଗାଯାଇଛି । ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମୋଟ୍‍ ୮୮.୩୩ଲକ୍ଷ ପରିବାର ମଧ୍ୟରୁ ୩୮.୬୨ଲକ୍ଷ ପରିବାର ଅର୍ଥାତ୍‍ ୪୪.୩ ପ୍ରତିଶତଙ୍କ ନିକଟରେ ୪୪.୩% ଟ୍ୟାପ୍‍ରୁ ପାଣି ପାଇବାର ସୁବିଧା ଉପଲବ୍ଧ ଅଛି ।

କେନ୍ଦ୍ର ସରକାର ଯଦି ଜଳ ଜୀବନ ମିଶନ ରେ ଯୋଗାଉଥିବା ପାଣ୍ଠି ପରିମାଣ ହ୍ରାସ କରନ୍ତି ତେବେ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ଗ୍ରାମାଞ୍ଚଳର ସବୁ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ହେବା ନେଇ ଅଧିକାରୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି । ୨୦୨୨ କେନ୍ଦ୍ରୀୟ ବଜେଟ୍‍ରେ କେନ୍ଦ୍ର ସରକାର ଜେଜେଏମ୍‍ ପାଇଁ ୨୦୨୧-୨୨ରେ ୪୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଥିବାବେଳେ ୨୦୨୨-୨୩ ପାଇଁ ଏହି ପରିମାଣ ୬୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ପାଇଁ ୨୦୨୨-୨୩ ବର୍ଷ ଲାଗି କେନ୍ଦ୍ର ବଜେଟ୍‍ରେ ୭୧୯୨ କୋଟି ଟଙ୍କାର ବ୍ୟବସ୍ଥା ରହିଛି । ଆଗାମୀ ଆର୍ଥିକ ବର୍ଷରେ ଏଥିରୁ ମାତ୍ର ୨୧୩.୭୧ କୋଟି ଟଙ୍କା ଓଡିଶାକୁ ମିଳିବ । ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇ ଯୋଜନା ପାଇଁ ସରକାରଙ୍କ ନିକଟରେ ପାଣ୍ଠିର ଅଭାବ ନାହିଁ । ଏହି ୬ଟି ରାଜ୍ୟ ପାଇଁ ୨୦୨୨-୨୩ ବର୍ଷ ଲାଗି ୧୪,୪୪୯ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିରେ ଗ୍ରାମାଞ୍ଚଳର ଶତ ପ୍ରତିଶତ ଘରକୁ ପାଇପ୍‍ ଯୋଗେ ପାନୀୟଜଳ ସଂଯୋଗ ସହିତ ବାହ୍ୟ ମଳତ୍ୟାଗ ମୁକ୍ତ ଏବଂ ତରଳ ଓ କଠିନ ବର୍ଜ୍ୟ ପରିଚାଳନା ହେବ ।

୨୦୨୨-୨୩ ବର୍ଷରେ ଜେଜେଏମ୍‍ରେ କେନ୍ଦ୍ର ସରକାର ଛଅଟି ରାଜ୍ୟ ବିହାର, ଛତିଶଗଡ, ଝାଡଖଣ୍ଡ, ମିଜୋରାମ, ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ ହାରାହାରି ୧୩,୧୦୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିଭଳି ଏହିସବୁ ରାଜ୍ୟ ପାଇଁ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ରେ ହାରାହାରି ୧୩୪୪.୭୧ କୋଟି ଟଙ୍କା ମଞ୍ଜୁର ହୋଇଛି । ପଞ୍ଚଦର୍ଶ ଅର୍ଥ କମିଶନ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ପାଇଁ ୨୦୨୨-୨୩ ବର୍ଷ ସକାଶେ ୨୭,୯୦୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆଗାମୀ ୫ବର୍ଷ ଅର୍ଥାତ୍‍ ୨୦୨୫-୨୬ ପର୍ଯ୍ୟନ୍ତ ୧,୪୨,୦୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡିଶା ସମେତ ୬ଟି ରାଜ୍ୟକୁ ଜଳ ଓ ପରିମଳ କାର୍ଯ୍ୟକ୍ରମ ପାଇଁ ୨୦୨୨-୨୩ ବର୍ଷ ସକାଶେ ୬୮୫୬ କୋଟି ଟଙ୍କାର ଅନାବଦ୍ଧ ପାଣ୍ଠି ମଞ୍ଜୁର ହୋଇଥିବା ଜଣାଯଇଛି । (ତଥ୍ୟ)