Home Agriculture ଧାନର ଏମଏସପି କୁଇଣ୍ଟାଲ ୭୨ଟଙ୍କା ବୃଦ୍ଧି

ଧାନର ଏମଏସପି କୁଇଣ୍ଟାଲ ୭୨ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଆର୍ଥିକ ବ୍ୟାପାର କମିଟି ୨୦୨୧-୨୨ ବଜାର ଋତୁ ପାଇଁ ବନ୍ଧିତ ଖରିଫ ଫସଲର ନ୍ୟୂନତମ ସହାୟକ ମୂଲ୍ୟ (ଏମଏସପି)ର ଅନୁମୋଦନ କରିଛନ୍ତି । ଏଥିରେ ଧାନର ଏମଏସପି କୁଇଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି ପାଇଛି ।

ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ ସରକାର ୨୦୨୧-୨୨ ବଜାର  ଋତୁ ପାଇଁ ଖରିଫ ଶସ୍ୟର ନ୍ୟୂନତମ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଗତବର୍ଷ ତୁଳନାରେ ସବୁଠାରୁ ଅଧିକ ଏମଏସପି କ୍ୱିଣ୍ଟାଲ ପିଛା ୪୫୨ଟଙ୍କା ରାଶି ଉପରେ ବୃଦ୍ଧି କରିଥିବାବେଳେ ତା ପଛକୁ ହରଡ ଓ ବିରି କ୍ୱିଣ୍ଟାଲ ପିଛା ତିନିଶହ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ବାଦାମ କ୍ୱିଣ୍ଟାଲ ପିଛା ୨୭୫ଟଙ୍କା ଓ ଅଳସୀ ୨୩୫ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଗତବର୍ଷର ସହାୟକ ମୂଲ୍ୟ ତୁଳନାରେ ଏହି ଅତିରିକ୍ତ ବୃଦ୍ଧି ଫସଲ ନ ବଦଳାଇବା ପାଇଁ କରାଯାଇଛି ।

୨୦୨୧-୨୨ ନିମନ୍ତେ ଖରିଫ ଫସଲ ନ୍ୟୂନତମ ସହାୟକ ମୂଲ୍ୟ ନିମ୍ନମତେ ରଖାଯାଇଛି । ୨୦୨୧-୨୨ ପାଇଁ ଖରିଫ ଶସ୍ୟ ଏମଏସପି ବୃଦ୍ଧି ୨୦୧୮-୧୯ କେନ୍ଦ୍ରୀୟ ବଜେଟ୍ ଘୋଷଣା ମୁତାବକ ହୋଇଛି । ବଜେଟରେ ଏମଏସପି ସର୍ବଭାରତୀୟ ହାରାହାରି ଉତ୍ପାଦ ମୂଲ୍ୟ (ସିଓପି)ର ଅନ୍ୟୁନ ଦେଢଗୁଣ ବୃଦ୍ଧି କରି କୃଷକଙ୍କୁ ଅଧିକ ଲାଭ ଦେବା ପାଇଁ ପ୍ରସ୍ତାବ ରହିଥିଲା ।

ଚାଷୀର ଉତ୍ପାଦନ ଖର୍ଚ୍ଚ ତୁଳନାରେ ଆକଳିତ ଆୟ ସର୍ବାଧିକ ବଜାରରେ ଶତକଡା ୮୫ଭାଗ ଥିବାବେଳେ ବିରିରେ ଶତକଡା ୬୫ ଓ ହରଡରେ ଶତକଡା ୬୨ ଥିଲା । ଅନ୍ୟାନ୍ୟ ଶସ୍ୟ ପାଇଁ ଚାଷୀଙ୍କ ଲାଗି ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଶତକଡା ୫୦ଭାଗ ଲାଭ ଆକଳନ କରାଯାଇଥିଲା ।

ଗତ କିଛି ବର୍ଷରେ ଏମଏସପିର ପୁନର୍ବିନ୍ୟାସ ତୈଳବୀଜ, ଡାଲି ଓ ଅନ୍ୟାନ୍ୟ ମୋଟା ଶସ୍ୟ କ୍ଷେତ୍ରରେ କରାଯାଇଛି । ଏହାଫଳରେ ଚାଷୀମାନେ ଏହି ସବୁ ଫସଲ ଅଧିକ ଜମିରେ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଚାହିଦା -ଯୋଗାଣ ଅସନ୍ତୁଳନରେ ସୁଧାର ଆଣିବେ । ଯେଉଁ ଭୂତଳ ଜଳସ୍ତରଜନିତ ଅସୁବିଧା ରହିଛି ସେଠାରେ ଧାନ ଓ ଗହମ ଉତ୍ପାଦନକୁ ଭରଣା କରିବା ପାଇଁ ପୌଷ୍ଟିକତା ଭରପୁର ଡାଲିଜାତୀୟ ଶସ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରୟାସ ହୋଇଛି ।

ଏହା ବ୍ୟତୀତ ଛତ୍ର ଯୋଜନା “ପ୍ରଧାନମନ୍ତ୍ରୀ ଅନ୍ନଦାତା ଅନ୍ନ ସଂରକ୍ଷଣ ଅଭିଯାନ (ପି.ଏମ-ଏଏଏସଏଚଏ) ” ୨୦୧୮ ମସିହାରେ ଘୋଷିତ ହୋଇ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଅଧିକ ଲାଭ ଦେବାକୁ ଘୋଷଣା କରାଯାଇଥିଲା । ଏହି ଛତ୍ର ଯୋଜନା ଅଧୀନରେ ତିନିଟି ଉପଯୋଜନା ରହିଛି ସେଗୁଡିକ ହେଲା ପ୍ରାଇସ ସହାୟକ(ପିଏସ୍ଏସ୍), ପ୍ରାଇସ ଡେଫିସିଏନ୍ସି ଦେୟ ଯୋଜନା(ପିଡିପିଏସ୍) ଓ ଘରୋଇ ଆହରଣ ଓ ଭଣ୍ଡାରଣ ଯୋଜନା(ବିପିଏସଏସ) ।

ଡାଲିଜାତୀୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଆଣିବା ପାଇଁ ୨୦୨୧ ଖରିଫ ବର୍ଷରେ ଏକ ସ୍ୱତନ୍ତ୍ର ଖରିଫ ରଣନୀତି ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଅଧିକ ଜମିରେ ହରଡ, ମୁଗ ଏବଂ ବିରି ଚାଷ ଓ ଉତ୍ପାଦକତା ବୃଦ୍ଧି ପାଇଁ ଏକ ବିସ୍ତୃତ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ରଣନୀତି ଅନୁସାରେ ଉପଲବ୍ଧ ସମସ୍ତ ଅଧିକ ଅମଳକ୍ଷମ ବିହନ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାଯାଇଛି ।

ସେହିପରି ତୈଳବୀଜର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଭାରତ ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରି ଅନୁମୋଦନ କରିଛନ୍ତି । ୨୦୨୧ ଖରିଫ ଋତୁରେ ତ୍ୱରାନ୍ୱିତ ହେବାକୁ ଥିବା ଏହି ଯୋଜନାରେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ ବିହନ ମିନି କିଟ୍ ଆକାରରେ ଦିଆଯିବ । ସ୍ୱତନ୍ତ୍ର ଖରିଫ ଯୋଜନା ଅଧୀନରେ ୬ଲକ୍ଷ ୩୭ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ କରାଯିବ ।  ଏଥିରୁ ପ୍ରାୟ ୧୨୦.୨୬ଲକ୍ଷ କ୍ୱିଣ୍ଟାଲ ତୈଳବୀଜ ଓ ୨୪.୩୬ଲକ୍ଷ କ୍ୱିଣ୍ଟାଲ ଖାଇବା ତେଲ ଉତ୍ପାଦନ କରିବାର ସମ୍ଭାବନା ରହିଛି ।