Home Administration ଖରିଫରେ ୬୩ଲକ୍ଷ ଟନ୍‍ ଧାନ ସଂଗ୍ରହ ଲକ୍ଷ୍ୟ

ଖରିଫରେ ୬୩ଲକ୍ଷ ଟନ୍‍ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର : ଚଳିତ ଖରିଫ ବର୍ଷ ପାଇଁ ଅନ୍ତତଃପକ୍ଷେ ୫୨ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବ । ଖରିଫ ଓ ରବିଋତୁରେ ୬୩ ଲକ୍ଷ ଓ ୧୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ରହିବ । ଏହାଠାରୁ ଯଦି ଅଧିକ ହୁଏ ତେବେ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ ଏବଂ ରାଜ୍ୟ ସରକାର ତାହାକୁ କ୍ରୟ କରିବେ । ଆବଶ୍ୟକସ୍ଥଳେ ଏହି ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରାଯାଇ ପାରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ରେ ଆଜି ନିଆଯାଇଥିବା ଏହି ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀ ମହାପାତ୍ର କହିଛନ୍ତି ଯେ ଖରିଫ ବିପଣନ ବର୍ଷ ୨୦୨୧-୨୨ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବ । ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବିଋତୁ ପାଇଁ ପୃଥକ୍‍ ଭାବରେ ଧାନ ସଂଗ୍ରହ କରିବେ । ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ଏବଂ ନିଯୁକ୍ତି ପ୍ରାପ୍ତ ମିଲରମାନଙ୍କ ଦ୍ୱାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ ।

ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ । ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସଂପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରାଯାଇଛି ।

୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ରବି ଧାନ ମେ’ରୁ ଜୁନ୍‍ ମଧ୍ୟରେ ସଂଗ୍ରହ କରାଯିବ । କେବଳ ପଞ୍ଜିକୃତ ଚାଷୀମାନଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ । ଧାନ ବିକ୍ରି ପାଇଁ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ । ପଞ୍ଜିକୃତ ଯୋଗ୍ୟ ଚାଷୀମାନଙ୍କୁ ଧାନ ସଂଗ୍ରହ ସଂପର୍କରେ କ୍ରୟ ଓ ପରିମାଣ ସଂପର୍କରେ ଆଗୁଆ ସୂଚନା ମୋବାଇଲ ଫୋନକୁ ଏସଏମଏସ ମାଧ୍ୟରେ ସୂଚାଇ ଦିଆଯିବ ।

ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ । ଚାଷୀମାନେ ଉତ୍ପାଦିତ ଫସଲର କିଛି ଅଂଶ ରଖିବା ଉପରେ କୌଣସି ବାଧ୍ୟବାଧକତା ରହିବ ନାହିଁ । ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ଓ ଗ୍ରେଡ-ଏ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ରୁ ୧୯୬୦ ଟଙ୍କା ହାରରେ ପ୍ରଦାନ କରାଯିବ । ଧାନର ମାନ ଏଫଏକ୍ୟୁ ହେବା ଆବଶ୍ୟକ, ଯାହାକି ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ । କଷ୍ଟମ ମିଲରମାନେ ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଚାଉଳ ଫେରସ୍ତ କରିବେ । ଧାନ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ୍‍ ଦରରେ ବିକ୍ରି ହେଲେ ତାହା ୧୯୫୫ ଆକ୍ଟ ଅନୁସାରେ ଦଣ୍ଡିତ ହେବେ ।

ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ । ଓଡ଼ିଶା ଯୋଗାଣ ନିଗମ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରିପାରିବେ । ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଅନ୍‍ଲାଇନ ପ୍ରକ୍ରିୟାରେ ସିଧାସଳଖ ପ୍ରେରଣ କରାଯିବ । ଏହି ପ୍ରାପ୍ୟ ପ୍ରଦାନ ସରକାରଙ୍କୁ ଧାନ ବିକ୍ରିର ୨୪ରୁ ୪୮ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ।

ପୂର୍ବବର୍ଷ ପରି ପି-ପାସ ସଫ୍ଟୱେୟାର ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଅନଲାଇନ ପ୍ରକ୍ରିୟାରେ ସଂପାଦନ କରାଯିବ । ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ / ସଂଗ୍ରହକାରୀ ସଂସ୍ଥା ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here