Home General ଖଣି ପ୍ରସଙ୍ଗରେ ତାତିଲେ ସାଲୁଜା

ଖଣି ପ୍ରସଙ୍ଗରେ ତାତିଲେ ସାଲୁଜା

ଭୁବନେଶ୍ୱର : ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦଳ ଦେଇଥିବା ମୁଲତବି ନୋଟିସ୍‍କୁ ବାଚସ୍ପତି ଅଗ୍ରାହ୍ୟ କରିଦେବାରୁ ଆଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୃହରେ ତାତିଥିଲେ । ଖଣି ମାଲିକଙ୍କ ଚାପ ଯୋଗୁଁ ବିଗତ ୩ବର୍ଷ ଧରି ଏହି ପ୍ରସଙ୍ଗକୁ ଗୃହରେ ଆଲୋଚନା ପାଇଁ ଅନୁମତି ମିଳୁନଥିବା ସେ କହିଥିଲେ ।

ଶୂନ୍ୟକାଳରେ ଶ୍ରୀ ସାଲୁଜା ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସମସ୍ତେ ଏବେ ଖଣି ମାଲିକଙ୍କ ପକେଟରେ । ଯେଉଁଥିପାଇଁ ୩ବର୍ଷ ହେଲା ଖଣି ଦୁର୍ନୀତି ଆଲୋଚନାକୁ ଅନୁମତି ମିଳୁନାହିଁ । ତିବେଣୀ ଆର୍ଥ ମୁଭର୍ସର ପ୍ରଭାକରନ ସରକାର ଚଳାଉଛି । ଖଣି ମାଲିକଙ୍କ ପଇସା ପଞ୍ଚାୟତ ଓ ପୌର ନିର୍ବାଚନରେ ଖର୍ଚ୍ଚ ହୋଇଛି ।

ଶ୍ରୀ ସାଲୁଜା ଅତ୍ୟନ୍ତ କ୍ରୋଧିତ ହୋଇ ଖଣି ମାଲିକଙ୍କ ଦ୍ୱାରା ଶାସକ ବିରୋଧି ସମସ୍ତେ ମ୍ୟାନେଜ ହୋଇଯାଇଥିବା ଗୃହରେ କହିଥିଲେ । ଖଣି ମାଲିକଙ୍କ ଯୋଗୁଁ ବିଧାନସଭା ବଦନାମ ହେଉଛି ।

କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଏହି ପ୍ରସଙ୍ଗରେ କହିଥିଲେ ଯେ ବେଆଇନ୍‍ ଖନନ ଯୋଗୁଁ ଶହେରୁ ଅଧିକ ଖଣି ମାଲିକଙ୍କ ଉପରେ ଜୋରିମାନା ଧାର୍ଯ୍ୟ ହୋଇଥିଲା । ହେଲେ ତାହା ଆଦାୟ ହେଲାନାହିଁ । ଖଣିମାଲିକମାନେ ସଲାସୁତୁରା କରି ଖଣି ଚଳାଇଲେ । ଶ୍ରୀ ବାହିନିପତି କେତେକ ଖଣି ମାଲିକଙ୍କ ନାମ ବି ଗୃହରେ ପ୍ରକାଶ କରିଥିଲେ ।