Home General କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କେବେ ?

କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କେବେ ?

ଭୁବନେଶ୍ୱର : ପଛୁଆ ଜାତି ତାଲିକାରେ ଓଡିଶାରୁ ଆଉ ୨୨ଟି ଜାତିର ନାମ ଯୋଡିବାପାଇଁ ରାଜ୍ୟ ପଛୁଆବର୍ଗ କମିଶନ ସରକାରଙ୍କୁ ସୁପାରିଶ କରିଥିବାବେଳେ ଏଯାବତ୍‍ କିନ୍ତୁ ଜାତି ଭିତ୍ତିକ ଜନଗଣନା ହୋଇନାହିଁ କିମ୍ବା ଏହି ବର୍ଗର ‘କ୍ୱାଣ୍ଟିଫିଏବୁଲ ଡାଟା’ ସଂଗୃହୀତ ହୋଇପାରି ନାହିଁ ।

ଭାରତର ଶେଷ ଜାତି ଭିତ୍ତିକ ଜନଗଣନା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପୂର୍ବରୁ ୧୯୩୧ ମସିହାରେ ହୋଇଥିଲା । ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୯୦ଦଶକର ପ୍ରଥମ ଭାଗରେ ମଣ୍ଡଳ କମିଶନ ସୁପାରିଶ୍‍ ଆଧାରରେ ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବାବେଳେ ମଧ୍ୟ ଜାତିଭିତ୍ତିକ ଜନଗଣନା ହୋଇନଥିଲା । ଏଠାରେ ଉଲ୍ଲେଖନୀୟ ଯେ ୭୦ଦଶକର ଶେଷ ଭାଗରେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ବିହାରର ଜଣେ ବରିଷ୍ଠ ରାଜନେତା ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଢାଯାଇଥିଲା ।

ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ସୁପ୍ରିମ୍‍କୋର୍ଟ ଦେଇଥିବା ନିର୍ଦ୍ଦେଶର ଅନୁପାଳନ କରି କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । କାରଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଜନସଂଖ୍ୟା ଆଧାରରେ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯାଇଥିବାରୁ କେନ୍ଦ୍ର ସରକାର ଏହା ରଖିବାକୁ ବାଧ୍ୟ ହୋଇଥିଲେ ।

ସେତେବେଳେ ଓଡିଶା ସରକାର ମଣ୍ଡଳ କମିଶନଙ୍କ ସୁପାରିଶ୍‍ ଗ୍ରହଣ କରିନଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଜଷ୍ଟିସ ନବ କିଶୋର ଦାସ କମିଶନ ବସାଇଥିଲେ । ଏହି କମିଶନ ମଧ୍ୟ ଚାକିରି କ୍ଷେତ୍ରରେ ସଂରକ୍ଷଣସୀମା ୫୦ପ୍ରତିଶତରେ ସୀମିତ ରଖିବାକୁ ସୁପାରିଶ୍‍ କରିଥିଲେ ।

ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସଂଖ୍ୟା ଜାତୀୟ ହାର ଠାରୁ ଢେର ଅଧିକ । ଆମ ରାଜ୍ୟରେ ଜନସଂଖ୍ୟା ଭିତ୍ତିରେ ଏହି ଦୁଇ ବର୍ଗଙ୍କ ଲାଗି ଚାକିରି କ୍ଷେତ୍ରରେ ୩୮.୭୫ ପ୍ରତିଶତ ସ୍ତାନ ସଂରକ୍ଷଣ ଥିବାରୁ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ବଦଳରେ ୧୧.୨୫ ପ୍ରତିଶତ ଆସନ ସଂରକ୍ଷିତ ରଖିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ବିଧାନସଭାରେ ସ୍ୱତନ୍ତ୍ର ଆଇନ୍‍ ପ୍ରଣିତ କରି ରାଜ୍ୟ ସରକାର ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିଲେ ମଧ୍ୟ ଏହା ଅଦାଲତରେ କାଟ୍‍ ଖାଇଯାଇଥିଲା ।

ଓଡିଶା ସରକାରଙ୍କ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିବାବେଳେ ଅଦାଲତ ସ୍ପଷ୍ଟ ଭାବେ କହିଥିଲେ ଯେ ପଛୁଆବର୍ଗଙ୍କ ପ୍ରସଙ୍ଗରେ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରାଯିବା ଆବଶ୍ୟକ । ଏହାଛଡା ଏହି ସଂରକ୍ଷଣ ପ୍ରସଙ୍ଗକୁ ମଧ୍ୟ ସମ୍ବିଧାନର ୩୨(କ) ଧାରା ଅନୁଯାୟୀ ନବମ ଅନୁଚ୍ଛେଦରେ ସ୍ଥାନିତ କରାଯିବାକଥା । ତେବେ ରାଜ୍ୟ ସରକାରଙ୍କ ଏହି ୨୭ ପ୍ରତିଶତ ସଂରକ୍ଷଣ ଆଇନ୍‍ ପ୍ରାୟ ୧୦ବର୍ଷ ତଳୁ ରଦ୍ଦ ହୋଇଯାଇଥିଲେ ମଧ୍ୟ ଏଯାବତ୍‍ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ ସହିତ ଏହି ବର୍ଗର କ୍ରିମିଲେୟାର ମାନଙ୍କୁ ଚିହ୍ନଟ କରାଯାଇ ନାହିଁ ।

ଓଡିଶାରେ କେଉଁ ଜାତିର କେତେ ଲୋକ ଅଛନ୍ତି ତାହା ଜାଣିବାପାଇଁ ଜାତୀୟ ଜନଗଣନାର ଜାତିଭିତ୍ତିକ ତଥ୍ୟ ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର ଜାତି ଭିତ୍ତିକ ଜନଗଣନା ଉପରେ ଗୁରୁତ୍ୱ ଦେଉନଥିବାବେଳେ ବିହାର ସରକାର ନିଜ ଆଡୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ତାହାକୁ ବିରୋଧ କରି ଆଇନ୍‍ ଅଦାଲତରେ ମଧ୍ୟ ମାମଲା ରୁଜୁ ହୋଇଛି । ଏ ପରିପ୍ରେକ୍ଷୀରେ ଓଡିଶା ସମେତ ବହୁ ରାଜ୍ୟଙ୍କ ନଜର ବିହାର ମାମଲା ଉପରେ ରହିଛି । (ତଥ୍ୟ)