Home Administration କୋମନା ଚାଷୀଙ୍କ ପାଇଁ ଖୁସି ଖବର

କୋମନା ଚାଷୀଙ୍କ ପାଇଁ ଖୁସି ଖବର

ନୂଆପଡା ଜିଲ୍ଲା କୋମନା ବ୍ଲକ ଚାଷୀଙ୍କ ପାଇଁ ଏବେ ଖୁସି ଖବର । ଅଣଜଳସେଚିତ ଏହି ଅଞ୍ଚଳର ଚାଷୀମାନେ ଏବେ ବିଭିନ୍ନ ରକମର ଫସଲ ଉତ୍ପାଦନ ସହିତ କୃଷି ଉତ୍ପାଦନ ସଂଘ ଜରିଆରେ ତାହାକୁ ବିକ୍ରି କରିପାରିବେ । ଏଥିପାଇଁ ସେମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ।

ଅଣ ଜଳସେଚିତ ଅଞ୍ଚଳରେ କୃଷିର ବିକାଶ ଲାଗି ନେସନାଲ ରେନ୍‍ଫେଡ୍‍ ଏରିଆ ଅଥରିଟୀ (ଏନ୍‍ଆରଏଏ) ପକ୍ଷରୁ ନୂଆପଡା ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏନ୍‍ଆରଏଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଓଡିଶା କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‍ ଅଶୋକ ଦଳଭାଇ ଆଜି ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଅଧିନରେ ଥିବା ଏନ୍‍ଆରଏଏ, ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ୟୁଏନ୍‍-ଏଫ୍‍ଏଓ) ଏବଂ ଓଡିଶା ସରକାରଙ୍କ ପକ୍ଷରୁ କୋମନା ବ୍ଲକର ୩ଟି ଗାଁରେ ଏହି ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଅଣଜଳସେଚିତ ଅଞ୍ଚଳରେ କୃଷିର ବିକାଶ ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବା । ଏନ୍‍ଆରଏଏ ଏବଂ କୃଷି ଉତ୍ପାଦନ ସଂଗଠନ (ଏଫ୍‍ପିଓ) ସହାୟତାରେ ବେସରକାରୀ ସଂଗଠନ ୱାସାନ କ୍ଷେତ୍ର ସ୍ତରରେ ବୈଷୟିକ ସହାୟତା ଯୋଗାଇଦେବ । ଡକ୍ଟର ଦଳଭାଇ କହିଛନ୍ତି ଯେ ମୋବାଇଲ୍‍ ସୌର ପମ୍ପ ଦ୍ୱାରା ଫସଲ ଉତ୍ପାଦନ ବୃଦ୍ଧି ସହିତ ଚାଷୀଙ୍କ ଆୟ ବଢିପାରିବ । କ୍ଷେତ୍ର ସ୍ତରୀୟ କର୍ମଚାରୀମାନେ ସ୍ଥାନୀୟ ଦେଶୀ ବିହନର ମାନବୃଦ୍ଧି ଓ ବିହନ ବ୍ୟାଙ୍କ୍‍ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ପଶୁପାଳନ ଓ ମତ୍ସ୍ୟଚାଷ କୃଷକଙ୍କ ଆୟ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସମନ୍ୱିତ କୃଷି ଦ୍ୱାରା ଅଣଜଳସେଚିତ ଅଞ୍ଚଳରେ ଆୟ ବୃଦ୍ଧି ସହିତ ପୁଷିକର ଖାଦ୍ୟ ଆବଶ୍ୟକତା ପୂରଣ କରିଥାଏ ।

ଓଡିଶାର ପାଖାପାଖି ୬୦ପ୍ରତିଶତ ଚାଷ ଜମିରେ ଅଣଜଳସେଚିତ ଚାଷ ହେଉଥିବାବେଳେ ରାଜ୍ୟର ୫୦ ପ୍ରତିଶତ କୃଷକ ଏହିଭଳି ଅଞ୍ଚଳରେ ବସବାସ କରିଥାନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ବିଶେଷକରି ନୂଆପଡା, କଳାହାଣ୍ଡି, ବଲଙ୍ଗିରରେ ନିୟମିତ ମରୁଡି ପରିଲକ୍ଷିତ ହେଉଥିବାରୁ ଏହି ଅଞ୍ଚଳରୁ ଅନେକ ଦାଦନ ଖଟିବାକୁ ଯାଇଥାନ୍ତି । ଆଜିର ସମୀକ୍ଷା ବୈଠକରେ ଫାଓ ଓ ୱାସାନର ପ୍ରତିନିଧିମାନେ ଯୋଗଦେଇ କୋମନା ବ୍ଲକର ୩ଟି ଗାଁରେ ୨୭୪ଜଣ କୃଷକଙ୍କୁ ନେଇ ୧୭୬ଏକର ଜମିରେ ପ୍ରକଳ୍ପ କାର୍ଯ୍ୟକାରିତାର ପ୍ରଦର୍ଶନ କରିଥିଲେ । ଏହି କୃଷକମାନେ ଉତ୍ପାଦିତ ସାମଗ୍ରୀର ଭଲ କାରବାର ପାଇଁ ଓଡିଶା ମିଲେଟ ମିଶନ ଅଧିନରେ ସଂଘବଦ୍ଧ ହୋଇଛନ୍ତି ।

ଏନ୍‍ଆରଏଏର ଅନୁରୋଧ କ୍ରମେ ଫାଓ ପକ୍ଷରୁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ଅଧିନରେ ମାଣ୍ଡିଆ ଖରିଦ ପାଇଁ ଏଜେନ୍ସି ବାଛିବ । ସର୍ଭେ ଅନୁଯାୟୀ ଏହି ଅଞ୍ଚଳରେ ୧୮୩ଟି ଛୋଟ ଛୋଟ ପୋଖରୀ, କୂଅ ଆଦି ରହିଛି । ପ୍ରଥମ ପର୍ଯ୍ୟାୟରେ ୨୧ଏକର ଜମିରେ ଜଳସେଚନ ପାଇଁ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯିବ ।

ଏମ୍‍ଜିନରେଗା ଓ ଓଡିଶା ଜୀବିକା ପ୍ରକଳ୍ପ ଅଧିନରେ ପ୍ରାକୃତିକ ସମ୍ପଦ ପରିଚାଳନା ଓ ପୁଷ୍ଟିକର ଉଦ୍ୟାନ କାର୍ଯ୍ୟ ହାତକୁ ନିଆଯିବ । ଫାଓର ଭାରତୀୟ ପ୍ରତିନିଧି ତୋମିଓ ସିଚିରି ବଜାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିବାବେଳେ ସହକାରୀ ଭାରତୀୟ ପ୍ରତିନିଧି ଡକ୍ଟର କୋଣ୍ଡା ରେଡ୍ଡୀ ପ୍ରକଳ୍ପର ଡକ୍ୟୁମେଣ୍ଟସନ ପାଇଁ କହିଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଷ୍ଟିଅରିଂ କମିଟି ଗଠନ ହୋଇଥିବାବେଳେ ଅଣଜଳସେଚିତ ଅଞ୍ଚଳରେ ସମନ୍ୱିତ କୃଷି ଉପରେ ଡକ୍ଟର ଦଳଭାଇ ଗୁରୁତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here