Home Covid କୋଭିଡ ହସ୍ପିଟାଲ ଜଗିଲେ ଅଗ୍ନିଶମ ଜବାନ

କୋଭିଡ ହସ୍ପିଟାଲ ଜଗିଲେ ଅଗ୍ନିଶମ ଜବାନ

ଭୁବନେଶ୍ୱର : ରାଜ୍ୟରେ ଥିବା କୋଭିଡ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତାକୁ ନେଇ ତତ୍ପର ହୋଇଛି ରାଜ୍ୟ ଅଗ୍ନିଶମ ବିଭାଗ । ବିଶେଷକରି ମହାରାଷ୍ଟ୍ରରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୪ଜଣଙ୍କ ଜୀବନ ଯିବାପରେ ରାଜ୍ୟ ଅଗ୍ନିଶମ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇଛି ।

ଏଥିପାଇଁ ରାଜ୍ୟର ୪୮ଟି କୋଭିଡ ଡାକ୍ତରଖାନାରେ ଅଗ୍ନିଶମ ବାହିନୀର ଅଧିକାରୀ ଓ ଜବାନମାନଙ୍କୁ ମୁତୟନ କରାଯାଇଛି । ଏଥି ମଧ୍ୟରେ ରାଜଧାନୀରେ ଥିବା ୬ଟି କୋଭିଡ ଡାକ୍ତରଖାନାରେ ଅଗ୍ନିଶମ ଜବାନ ମୁତୟନ ହୋଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନାରେ ୨୪ଘଣ୍ଟିଆ ଆଗ୍ନିକ ଉପସ୍ଥିତ ରହୁଛନ୍ତି । ପ୍ରତି କୋଭିଡ ହସ୍ପିଟାଲରେ ମୁତୟନ ହୋଇଥିବା ଟିମ୍‍ରେ ୬ଜଣ ଥିବାବେଳେ ଜଣେ ଅଧିକାରୀ ଏମାନଙ୍କ ନେତୃତ୍ୱ ନେଉଛନ୍ତି ।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରତ୍ୟେକ କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି । ତେବେ ଜରୁରୀ ସମୟରେ ଏହାର ଠିକଣା ପରିଚାଳନା ପାଇଁ ଅଗ୍ନିଶମ ବିଭାଗ ତାହାର ଜବାନ ମାନଙ୍କୁ ମୁତୟନ କରିଛି । ମୁତୟନ ହୋଇଥିବା ଜବାନମାନଙ୍କୁ ବି ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି । ତେବେ ଡାକ୍ତରଖାନାରେ ଉପଲବ୍ଧ ଥିବା ସାଜ ସରଞ୍ଜାମ ବାଦ୍‍ ଯଦି ଅଧିକ କିଛି ଆବଶ୍ୟକ ପଡେ ତେବେ ତୁରନ୍ତ ତାହା ଯୋଗାଇ ଦିଆଯିବ ।