Home Finance କୋଭିଡ ପ୍ୟାକେଜରେ ଓଡିଶାକୁ ୮୬୦ କୋଟି

କୋଭିଡ ପ୍ୟାକେଜରେ ଓଡିଶାକୁ ୮୬୦ କୋଟି

ଭୁବନେଶ୍ୱର : ଓଡିଶାକୁ ଇର୍ମଜେନ୍ସି କୋଭିଡ ରେସପନ୍ସ ପ୍ୟାକେଜ (ଇସିଆରପି) ରେ ୮୬୦କୋଟିରୁ ଅଧିକ ଟଙ୍କା ମିଳିବାକୁଥିବାବେଳେ ରାଜ୍ୟ ସରକାର ଏଥିପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶପାଇଁ ୨୩,୧୨୩ କୋଟି ଟଙ୍କାର ଇସିଆରପି ଘୋଷଣା କରିଥିବାବେଳେ ଓଡିଶାକୁ ୮୬୧କୋଟି ୯୬ ଲକ୍ଷ ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶଧନ ୬୦:୪୦ ଅନୁପାତରେ ରହିଛି ।

ରାଜ୍ୟକୁ ମଞ୍ଜୁର ହୋଇଥିବା ୮୬୧.୯୬କୋଟି ଟଙ୍କାରେ କେନ୍ଦ୍ରୀୟ ଅଂଶଧନ ୫୧୭.୧୮କୋଟି ଟଙ୍କା ଥିବାବେଳେ ରାଜ୍ୟର ୩୪୪.୭୮କୋଟି ଟଙ୍କା ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଇସିଆରପି ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଏଥି ମଧ୍ୟରେ ମୁଖ୍ୟତଃ କୋଭିଡ ପରିଚାଳନା ଲାଗି ଭିତ୍ତିଭୂମି ବିକାଶ ଓ ଏହାର ପ୍ରବନ୍ଧନ ପାଇଁ ବ୍ୟବସ୍ଥା ରହିଛି ।

ସୂଚନା ଅନୁଯାୟୀ ଏହି ଯୋଜନାରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ଆରଟି-ପିସିଆର ପରୀକ୍ଷାଗାର ସ୍ଥାପନ କରାଯିବ । ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମେଡିକାଲ ଅକ୍ସିଜେନ ସୁବିଧା ସହିତ ଏହାକୁ ପାଇପ୍‍ ମାଧ୍ୟମରେ ଯୋଗାଯିବାର ବ୍ୟବସ୍ଥା ହେବ । ସେହିଭଳି ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ସୁବିଧା ଥିବା ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ସବଡିଭିଜନାଲ ଓ ବ୍ଲକ ସ୍ତରରେ ଗୋଟିଏ କରି ଏହି ଧରଣର ଆମ୍ବୁଲାନ୍ସ ଉପଲବ୍ଧ ହେବ ।

ବଛା ବଛା ପ୍ରାଥମିକ ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ କେୟାର ସେଣ୍ଟରମାନ ପ୍ରତିଷ୍ଠା କରାଯିବ । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଲି ମେଡିସିନ ହବ୍‍କୁ ଅଧିକ ସୁଦୃଢ କରାଯିବା ସହିତ କୋଭିଡ କେୟାର ସେଣ୍ଟର ଓ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରର ମଧ୍ୟ ଉନ୍ନତି ବିଧାନ ହେବ ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଛା ବଛା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁରୋଗୀଙ୍କ ପାଇଁ ଆଇସିୟୁ ପ୍ରତିଷ୍ଠା ହେବ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦-୩୦ ଶଯ୍ୟା ବିଶିଷ୍ଟ ଅକ୍ସିଜେନ ସୁବିଧା ଥିବା ଶିଶୁ ୱାର୍ଡ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ (ଏମ୍‍ଆଇଏସ୍‍) କାର୍ଯ୍ୟକାରୀ ହେବ । ସିଡାକ୍‍ ପକ୍ଷରୁ ଏମଆଇଏସ୍‍-ଇ ଶୁଶ୍ରୁତକୁ ସହାୟତା ଯୋଗାଇ ଦିଆଯିବ ।

ବର୍ତ୍ତମାନ ଥିବା ଆଇସିୟୁଗୁଡିକରେ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଭାବେ ଅଧିକ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । କୋଭିଡ ପରିଚାଳନା କ୍ଷେତ୍ରରେ ଧାର୍ଯ୍ୟ ସମୟ ମଧ୍ୟରେ ଜରୁରୀ ଔଷଧ ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ସଂଗେ ସଂଗେ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା ଏବଂ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଇସିଆରପି ପାଣ୍ଠିରେ ପ୍ରତିଷ୍ଠା ହେବ । ଏଥି ସହିତ କୋଭିଡ ପରୀକ୍ଷା ପାଇଁ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷା କିଟ୍‍ ଉପଲବ୍ଧ କରାଯିବା ସହ ଦକ୍ଷତା ବିକାଶ କାର୍ଯ୍ୟକୁ ଜୋରଦାର କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here