Home Covid କୋଭିଡ ଡାକ୍ତରଖାନାକୁ ଆସିଥିଲେ ୧୪.୬୧%

କୋଭିଡ ଡାକ୍ତରଖାନାକୁ ଆସିଥିଲେ ୧୪.୬୧%

ଭୁବନେଶ୍ୱର : ରାଜ୍ୟ ସରକାର କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ଡାକ୍ତରଖାନାଗୁଡିକୁ ନିର୍ଦ୍ଦେଶ ଦେଇଥିବାବେଳେ ଦ୍ୱିତୀୟ ଲହର ସମୟରେ ଶଯ୍ୟା ସଂଖ୍ୟା ତୁଳନାରେ ମାତ୍ର ୧୪.୬୧ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି । ଡାକ୍ତରଖାନା ଆସିଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଆଇସିୟୁ/ଏଚ୍‍ଡିୟୁ ଏବଂ ଭେଣ୍ଟିଲେଟର ଆବଶ୍ୟକ କରିଛନ୍ତି ।

ପ୍ରଥମ ଲହରର ଭୟାବହତାକୁ ଦେଖି ରାଜ୍ୟ ସରକାର ଦ୍ୱିତୀୟ ଲହର ମୁକାବିଲା ପାଇଁ ୯୬,୦୪୧ ଶଯ୍ୟାର ବ୍ୟବସ୍ଥା କରିଥିଲେ । ଏଥି ମଧ୍ୟରେ ଅସ୍ଥାୟୀ ମେଡିକାଲ ସେଣ୍ଟରରେ ସର୍ବାଧିକ ୫୧,୧୫୦ ଶଯ୍ୟା ଥିବାବେଳେ କୋଭିଡ କେୟାର ସେଣ୍ଟରରେ ୨୮,୬୪୭ ଶଯ୍ୟା ରହିଥିଲା । କୋଭିଡ ରୋଗୀଙ୍କ ପାଇଁ ୧୦,୭୩୬ ସାଧାରଣ ଶଯ୍ୟା ଥିବାବେଳେ ଆଇସିୟୁ/ଏଚ୍‍ଡିୟୁ ଶଯ୍ୟା ସଂଖ୍ୟା ୪୦୭୨ ଏବଂ ୧୨୮୮ ଭେଣ୍ଟିଲେଟର ଶଯ୍ୟା ବ୍ୟବସ୍ଥା ଥିଲା । ସେହିଭଳି ଘରୋଇ ସଂସ୍ଥାରେ ବି ୧୪୩୬ ଶଯ୍ୟାର ବ୍ୟବସ୍ଥା ହୋଇଥିଲା ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଆଇସିୟୁ ଓ ଭେଣ୍ଟିଲେଟରକୁ ବାଦ୍‍ ଦେଲେ ଅନ୍ୟ ଶଯ୍ୟାରେ ଖୁବ କମ୍‍ ସଂଖ୍ୟାରେ ରୋଗୀ ଚିକିତ୍ସିତ ହୋଇଛନ୍ତି । ଆଇସିୟୁ/ଏଚ୍‍ଡିୟୁରେ ୨୯୬୪ ରୋଗୀ ଚିକିତ୍ସିତ ହୋଇଥିଲେ ଯାହାକି ମୋଟ୍‍ ଚିକିତ୍ସାଧିନ ରୋଗୀ ସଂଖ୍ୟାର ୭୨.୭୯ ପ୍ରତିଶତ । ସେହିଭଳି ଭେଣ୍ଟିଲେଟରରେ ୬୫.୯୯ ପ୍ରତିଶତ ଅର୍ଥାତ୍‍ ୮୫୦ଜଣ ରୋଗୀ ଚିକିତ୍ସିତ ହୋଇଥିଲେ ।

ସବୁଠାରୁ କମ୍‍ ସଂଖ୍ୟକ ମାତ୍ର ୨୬୦ ଜଣ ରୋଗୀ ଘରୋଇ ସଂଗରୋଧ କେନ୍ଦ୍ରରେ ରହିଥିଲେ । ପ୍ରଶାସନ ପକ୍ଷରୁ ଏଥିପାଇଁ ବିଭିନ୍ନ ହୋଟେଲ ସହିତ ଚୁକ୍ତି ହୋଇଥିଲେ ମଧ୍ୟ କୋଭିଡ ସଂକ୍ରମିତମାନେ ସେଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ । ସେହିଭଳି ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ରକୁ ବି ମାତ୍ର ୫୫୩୬ ଜଣ ଯାଇଥିଲେ ଯାହା କି ଶଯ୍ୟା ସଂଖ୍ୟାର ମାତ୍ର ୧୦.୮୨ ପ୍ରତିଶତ ।

କୋଭିଡ ମୁକାବିଲା ପାଇଁ ୧୦ହଜାରରୁ ଉର୍ଦ୍ଧ୍ୱ ସାଧାରଣ ଶଯ୍ୟା ଥିବାବେଳେ ଏଠାରେ ୫ହଜାରରୁ କମ୍‍ ଅର୍ଥାତ୍‍ ୪୬.୪୧ ପ୍ରତିଶତ ରୋଗୀ ଚିକିତ୍ସିତ ହୋଇଥିଲେ । ସେହିଭଳି କୋଭିଡ କେୟାର ସେଣ୍ଟରରେ ମାତ୍ର ୬୦୮୧ ଜଣ ଚିକିତ୍ସିତ ହୋଇଥିଲେ ଯାହାଥିଲା ମୋଟ୍‍ ରୋଗୀ ସଂଖ୍ୟାର ମାତ୍ର ୨୧.୨୩ ପ୍ରତିଶତ ।

କୋଭିଡର ଦ୍ୱିତୀୟ ଲହର ସମୟରେ ରାଜ୍ୟ ସରକାର ସାମାନ୍ୟ ସଂକ୍ରମିତ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ ରହି ଚିକିତ୍ସିତ ହେବାକୁ ପ୍ରବର୍ତ୍ତାଇବା ସହିତ ସମସ୍ତ ପ୍ରକାର ଡାକ୍ତରୀ ସହାୟତା ଯୋଗାଇ ଦେଇଥିଲେ । ଔଷଧ ଘରେ ପହଞ୍ଚାଇବା ସହିତ ଆବଶ୍ୟକ ସ୍ଥଳେ ଅକ୍ସିଜେନ୍‍ ବି ଯୋଗାଯାଇଥିଲା । ଏହା ଫଳରେ ବହୁ ସଂଖ୍ୟାରେ ସଂକ୍ରମିତ ନିଜ ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରିଥିଲେ ଓ ଡାକ୍ତରଖାନା ଉପରେ ଚାପ ହ୍ରାସ ପାଇଥିଲା । (ତଥ୍ୟ)