Home General କୋଭିଡ କଟକଣା ବାହାରେ ପାର୍କ

କୋଭିଡ କଟକଣା ବାହାରେ ପାର୍କ

ଭୁବନେଶ୍ୱର : ଜନଗହଳି ଏଡାଇବାକୁ ରାଜ୍ୟ ସରକାର ଭୋଜି ଭାତ ଉପରେ କଟକଣା ଲଗାଇଥିବାବେଳେ ବିଏମ୍‍ସି କର୍ତ୍ତୃପକ୍ଷ ବି ଦୋକାନ ବଜାରରେ ତାଲା ପକାଇବାରେ ଲାଗିଛନ୍ତି । ହେଲେ ରାଜଧାନୀର ପାର୍କଗୁଡିକ ଖୋଲା ଥିବାରୁ ନୂଆବର୍ଷରେ ଏଠାରେ ନାହିଁ ନଥିବା ଜନଗହଳି ପରିଲକ୍ଷିତ ହେଉଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଡିସେମ୍ବର ୩୧ତାରିଖରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ନୂଆବର୍ଷ ପାଳନ ବିଶେଷକରି ଭୋଜିଭାତ, ଜିରୋନାଇଟ୍‍ ଉପରେ କଡା କଟକଣା ଲଗାଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନଗହଳିକୁ ଏଡାଇବା । ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭକରି ବିଭିନ୍ନ ଦେବାଦେବୀ ମନ୍ଦିର ବି ବନ୍ଦ ରହିଛି । ସରକାରଙ୍କ ଏହି କଟକଣା ଯୋଗୁଁ ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ଖାଁ ଖାଁ ଅବସ୍ଥା ।

ସରକାର କଟକଣା ଜାରି କରିବାପରେ ବିଏମ୍‍ସି କର୍ତ୍ତୃପକ୍ଷ ବି ଜନଗହଳି ରୋକିବାପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀର ପ୍ରତ୍ୟେକ ଟ୍ରାଫିକ ଛକରେ ଜନସଚେତନତା ବାର୍ତ୍ତା ସହିତ ସଂଧ୍ୟାହେଲେ ବିଭିନ୍ନ ଖାଦ୍ୟ ବଜାର ଉପରେ ଚଢଉ କରିବାରେ ଲାଗିଛନ୍ତି । ପୁଲିସ୍‍ କର୍ତ୍ତୃପକ୍ଷ ବି ରାତ୍ରୀକାଳୀନ କର୍ଫ୍ୟୁକୁ କଡାକଡି କରିବାପାଇଁ ନାକାବନ୍ଦୀ ଚଳାଇଛନ୍ତି ।

ହେଲେ ରାଜଧାନୀର ପାର୍କଗୁଡିକ ଖୋଲା ଥିବାରୁ ସେଠାକୁ ନୂଆବର୍ଷରେ ଲୋକଙ୍କ ସୁଅ ଛୁଟିଥିଲା । ରାଜଧାନୀର ଅନ୍ୟତମ ବୃହତ୍ତମ ପାର୍କ ଫରେଷ୍ଟପାର୍କ ଆଖପାଖରେ ଆଜି ଗାଡି ରଖିବାକୁ ସ୍ଥାନ ନଥିଲା । ପାର୍କ ଭିତରେ ଦଳ ଦଳ ହୋଇ ଲୋକେ ଫଟୋ ଉଠା ସହିତ ମସ୍ତି କରୁଥିବାବେଳେ ପାର୍କ ବାହାରେ ବି ଲୋକେ ହାଉଜାଉ । ଲୋକଙ୍କ ଗହଳି ଦେଖି ବିଭିନ୍ନ ଦୋକାନୀ ବି ପସରା ଖୋଲିଥିଲେ । ସେଠାରେ ବି ନାହିଁ ନଥିବା ଗହଳି । ଏତେ ସବୁ ସତ୍ୱେ ବି ବିଏମ୍‍ସି କିମ୍ବା ପୁଲିସ୍‍ କେହି ହେଲେ କୋଭିଡ କଟକଣା ନେଇ ପଦକ୍ଷେପ ଗ୍ରହଣ କରୁନଥିଲେ । କେବଳ ଫରେଷ୍ଟ ପାର୍କ ନୁହେଁ ରାଜଧାନୀର ପ୍ରାୟ ସବୁ ପାର୍କରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା ।

କୋଭିଡ କଟକଣା ସମୟରେ କେବଳ ପାର୍କରେ ଜନଗହଳି ଥିଲା ତାହା ନୁହେଁ, ସରକାରୀ ଦପ୍ତରରେ ନୂଆବର୍ଷ ଶୁଭେଚ୍ଛା ଜଣାଇବା ଉପରେ ସରକାର କଟକଣା ଲଗାଇବା ପରେ ପରେ ଆଜି ସକାଳୁ ସକାଳୁ ମନ୍ତ୍ରୀ, ଅଫିସରଙ୍କ ଘରେ ଜନଗହଳି ଦେଖିବାକୁ ମିଳିଥିଲା । ବିଭିନ୍ନ ମନ୍ତ୍ରୀଙ୍କ ଘର ଆଗରେ ଶହ ଶହ ସମର୍ଥକ ହାତରେ ପୁଲତୋଡା ଧରି ଶୁଭେଚ୍ଛା ଜଣାଇବାକୁ ଆସୁଥିଲେ ବି ମନ୍ତ୍ରୀ କିମ୍ବା ପ୍ରଶାସନ କେହି ସେମାନଙ୍କୁ ବାରଣ କରିନଥିଲେ । ସେହିଭଳି ବଡ ବଡ ଅଫିସରଙ୍କ ଘରକୁ ବି ବାବୁମାନେ ଫୁଲତୋଡା ଧରି ଆସୁଥିବା ଦେଖିବାକୁ ମିଳୁଥିଲା ।

ମୋଟାମୋଟି ଭାବେ ଆଜି ରାଜଧାନୀରେ କରୋନା କଟକଣାକୁ କେହି ହେଲେ ଖାତିର କରିନଥିଲେ । କେବଳ ଧର୍ମକୁ ଆଖିଠାର ମାରିବା ଭଳି ସମସ୍ତେ କଟକଣା କଥା କହି ବୁଲୁଥିଲେ । ଅନ୍ୟ ପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୧୯ଜଣ ଖୋରଧା ଜିଲ୍ଲାରୁ ରହିଛନ୍ତି । ତେବେ କଟକଣା ସମୟରେ କର୍ତ୍ତୃପକ୍ଷ ଯେଭଳି ପାର୍କକୁ ମୁକୁଳା ଛାଡି ଦେଇଛନ୍ତି ତାହା ସଂକ୍ରମଣର ଗତି ବଢାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)