Home Administration କୋଠାବାଡି ପ୍ଲାନ ମଞ୍ଜୁରୀ ପାଇଁ ତାଲିମ

କୋଠାବାଡି ପ୍ଲାନ ମଞ୍ଜୁରୀ ପାଇଁ ତାଲିମ

ଭୁବନେଶ୍ୱର : ପୌରସଂସ୍ଥାରେ କାର୍ଯ୍ୟରତ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦେଶ୍ୟରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜିଠାରୁ ଏକ ଦୁଇ ଦିନିଆ ତାଲିମ ତଥା କର୍ମଶାଳାର ଆୟୋଜନ କରାଯାଇଛି । ଏହି କର୍ମଶାଳାରେ କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ନିମନ୍ତେ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗ ଗୁଡିକ ଉପରେ ବିଶେଷ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କର୍ମଶାଳାକୁ ଉଦଘାଟନ କରି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ କହିଥିଲେ ଯେ ସେବା ପ୍ରଦାନ କରିବାରେ ପାରଦର୍ଶିତା ଏବଂ ସ୍ୱଚ୍ଛତା ମାଧ୍ୟମରେ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ସୁନିଶ୍ଚିତ କରିବା ଏବଂ ସରକାରୀ କାର୍ଯ୍ୟ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯଥା ସମ୍ଭବ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।

ଏଥି ସହିତ ସରକାରୀ ସଂସ୍ଥା ମାନଙ୍କ ଉପରେ ସର୍ବସାଧାରଣଙ୍କ ଆସ୍ଥା ବଜାୟ ରଖିବା ନିମନ୍ତେ ଅଧିକାରୀ ମାନଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିତାନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ତାଲିମରେ ଅଂଶଗ୍ରହଣ କରୁଥିବା ଅଧିକାରମାନଙ୍କୁ ମୋ ସରକାର କାର୍ଯ୍ୟକ୍ରମରେ କିଭଳି ନାଗରିକ ମାନଙ୍କର ମତାମତ ସିଧା ସଳଖ ଫୋନରେ ଗ୍ରହଣ କରାଯାଉଛି ସେହି ବିଷୟରେ ଅବଗତ କରାଇଥିଲେ ।

ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ତାଙ୍କର ସ୍ୱାଗତ ଅଭିଭାଷଣରେ, ପୌରସଂସ୍ଥା ମାନଙ୍କୁ ସହରୀ ଯୋଜନା କ୍ଷମତା ପ୍ରଦାନ କରାଯିବା ଏକ ସମୋୟୋଚିତ ଉଦ୍ୟମ ଏବଂ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମହତ ଉଦ୍ଦେଶ୍ୟର ପ୍ରତିଫଳନ ଏବଂ ୫ଟି ମନ୍ତ୍ର ସହ ସମନ୍ୱୟ ରକ୍ଷାକରିବାରେ ସହାୟକ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ସମସ୍ତ ୧୧୫ ଗୋଟି ପୌରସଂସ୍ଥାର ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ଏବଂ ତାଗିଦ କରି କହିଥିଲେ ଯେ କ୍ଷମତା ଅର୍ଥ ଅଧିକ ଦାୟିତ୍ୱ ଏବଂ ସେମାନଙ୍କୁ ଯେଉଁ କାର୍ଯ୍ୟ ଦିଆଯାଇଛି ତାହା ସେମାନେ କିଭଳି ଭାବରେ ର୍ନିବାହ କରିବେ ତା\’ ଉପରେ ସମସ୍ତଙ୍କର ନଜର ରହିବ ।

ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଶାନ୍ତ ମିଶ୍ର, ସହରୀ ଯୋଜନା ସେବାର ବ୍ୟବହାରିକ ଦିଗଗୁଡିକ ଉପରେ ଆଲୋକପାତ କରିଥିଲେ । ସେ ନାଗରିକମାନଙ୍କ ପାଇଁ କିଭଳି ଏକ ସମ୍ପୁର୍ଣ୍ଣ ସ୍ୱୟଂଚାଳିତ ଏବଂ କମ୍ପ୍ୟୁଟରୀକୃତ କୋଠାବାଡି ର୍ନିମାଣ ଯୋଜନା ଅନୁମୋଦନ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି, ତାହା ଜଣାଇଥିଲେ ।

ଏହି ତାଲିମ କର୍ମଶାଳାରେ କିଟ୍ ବିଶ୍ୱବିଦ୍ୟାଳୟର ସ୍ଥପତି ଏବଂ ଯୋଜନା ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟେନ୍ଦୁ. ଏସ୍ . ରାୟ, ଏବଂ ଶ୍ରୀ ଶ୍ରୀ ବିଶ୍‌ବିଦ୍ୟାଳୟର, ସ୍ଥପତି ବିଭାଗ ମୁଖ୍ୟ ରାଜ୍ କୁଅଁର ନାୟକ, ଉପସ୍ଥିତ ଥିଲେ । ତାଲିମ ଗ୍ରହଣ କରୁଥିବା ଏହି ନୋଡାଲ ପୌର ଯନ୍ତ୍ରୀ ମାନେ ନିଜ ନିଜ କାର୍ଯ୍ୟାଳୟରେ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ ଏବଂ ବୈଷୟିକ ସହାୟତା ଯୋଗାଇ ଦେବେ । ପୌରସଂସ୍ଥା ମାନଙ୍କୁ ସହରୀ ଯୋଜନା ନିମନ୍ତେ କ୍ଷମତା ପ୍ରଦାନ କରାଯିବାପାଇଁ ଖୁବ୍‍ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here