Home General କୋଟିଆରେ ନିର୍ବାଚନ ପାଇଁ ଦୃଢ ପ୍ରତିବାଦ ନାହିଁ

କୋଟିଆରେ ନିର୍ବାଚନ ପାଇଁ ଦୃଢ ପ୍ରତିବାଦ ନାହିଁ

ଭୁବନେଶ୍ୱର : କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ଗାଁରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ ମଧ୍ୟ ଓଡିଶାରେ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇବାକଥା ତାହା ଏପର୍ଯ୍ୟନ୍ତ ଲକ୍ଷ୍ୟ କରାଯାଉନାହିଁ । କେବଳ କିଛି ରାଜନୈତିକ ବିବୃତ୍ତି ମଧ୍ୟରେ ଏହି ପ୍ରସଙ୍ଗ ସୀମିତ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ମାଡ୍ରାସ ପ୍ରେସିଡେନ୍ସିରୁ ଅଲଗା ହୋଇ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଓଡିଶାରେ ମିଶିଥିଲା । ଏହାର ଦୀର୍ଘବର୍ଷ ପରେ ଆନ୍ଧ୍ରପ୍ରଦେଶ ସୃଷ୍ଟି ହୋଇଥିଲା । ଇତି ମଧ୍ୟରେ ଆନ୍ଧ୍ରର ବିଭାଜନ ଘଟି ତେଲେଙ୍ଗାନା ସୃଷ୍ଟି ସରିଲାଣି । କିନ୍ତୁ ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠନ ପରଠାରୁ କୌଣସି କାରଣ ନଥାଇ ଓଡିଶାର ସୀମାନ୍ତବର୍ତ୍ତୀ କେତେକ ଗ୍ରାମ, ଜଙ୍ଗଲ ଓ ନଦୀ ନାଳକୁ ନିଜ କବ୍‍ଜାକୁ ନେବାପାଇଁ ଆନ୍ଧ୍ର ଉଦ୍ୟମ ଚଳାଇଛି ।

ଏ ପରିପ୍ରେକ୍ଷୀରେ ଅତୀତରେ ଓଡିଶାର କିଛି ଗାଁରେ ବି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିଲେ ମଧ୍ୟ ଯେଉଁ ଲୋକମାନେ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରର ଭୋଟର ହୋଇ ଭୋଟ ଦେଉଛନ୍ତି ସେମାନେ ବିଧାନସଭା ଓ ଲୋକସଭା ନିର୍ବାଚନରେ ଓଡିଶାର ଭୋଟର ହୋଇ ଭୋଟ ଦେଉଛନ୍ତି । ଜଣେ ଜଣେ ଲୋକଙ୍କ ଦୁଇ ଦୁଇଟି ଭୋଟର ପରିଚୟପତ୍ର ରହୁଥିବାବେଳେ ଗୋଟିଏ ଲେଖାଁଏ ଆଧାରକାର୍ଡ ରହୁଛି । ଏହି ଆଧାରରେ ସୀମାନ୍ତବର୍ତ୍ତୀ ଇଲାକାର କିଛି ଲୋକ ଉଭୟ ରାଜ୍ୟରୁ ଦାରିଦ୍ର‌୍ୟ ଦୂରୀକରଣ, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ବିକାଶ ଯୋଜନାର ହିତାଧିକାରୀ ସାଜୁଛନ୍ତି ।

କୋରାପୁଟ ଜିଲ୍ଲାର କୁଟିଆ ଓ ବୋରମୁଥା ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ୧୯୬୮ ମସିହାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସୁପ୍ରିମ୍‍କୋର୍ଟରେ ଦୁଇଟି ଆନ୍ତଃରାଜ୍ୟ ସୀମା ବିବାଦ ମାମଲା ରୁଜୁ ହୋଇଥିଲା । ଓଡିଶା ସରକାରଙ୍କ ପକ୍ଷରୁ ଯେଉଁମାନେ ମାମଲା ବୁଝିବା ଦାୟିତ୍ୱରେ ଥିଲେ ସେହି ଅଧିକାରୀମାନଙ୍କ ଶିଥିଳତା ଯୋଗୁଁ ଏହି ଦୁଇଟିଯାକ ମାମଲା ରାଜ୍ୟ ସରକାର ହାରିଛନ୍ତି । ଏହାପରେ ରୁଜୁ ହୋଇଥିବା ରିଭ୍ୟୁ ଓ କ୍ୟୁରେଟିଭ ପିଟିସନଗୁଡିକ ମଧ୍ୟ ଖାରଜ ହୋଇଯାଇଛି ।

ବିଚାରପାଇଁ ମାମଲା ଗ୍ରହଣ କରିବାବେଳେ ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାଲାଗି ସୁପ୍ରିମ୍‍କୋର୍ଟ ଅନ୍ତରୀଣ ଆଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ମୂଳ ମାମଲା ଦୁଇଟି ଖାରଜ ହୋଇଯିବା ପରେ ସୁପ୍ରିମ୍‍କୋର୍ଟ ଏହି ଘଟଣାକୁ ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କ ନିକଟରେ ପେଶ୍‍ କରିବାଲାଗି କହିବା ସହିତ ପୁଣିଥରେ ସ୍ଥିତାବସ୍ଥା ଜାରି କରିଥିଲେ । ଏବେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟରେ ରୁଜୁ କରିଥିବା ଅଦାଲତ ଅବମାନନା ମାମଲାରେ ଆନ୍ଧ୍ର ସରକାରଙ୍କୁ ନୋଟିସ୍‍ ଜାରି କରିଥିଲେ ମଧ୍ୟ ଅଦାଲତ ଅନ୍ତରୀଣ ଆଦେଶ ଦେଇ ନାହାନ୍ତି । ଅନ୍ୟ ପକ୍ଷରେ ଏ ପ୍ରସଙ୍ଗରେ ଓଡିଶା ହାଇକୋର୍ଟରେ ମଧ୍ୟ ଅନ୍ୟଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ ହୋଇଛି ।

ରାଜ୍ୟର ସୀମାନ୍ତ ଅଞ୍ଚଳରେ ଥିବା ବ୍ଲକଗୁଡିକ ପ୍ରାୟତଃ ଅତ୍ୟନ୍ତ ଅନଗ୍ରସର ଅବସ୍ଥାରେ ଥିବାରୁ ଏହାର ଫାଇଦା ନେଇ କେବଳ ଆନ୍ଧ୍ରପ୍ରଦେଶ ନୁହେଁ ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ମଧ୍ୟ ଓଡିଶା ସୀମାରେ ଦାଦାଗିରି ଦେଖାଉଛନ୍ତି । ମୋଟାମୋଟି ଭାବେ ୯୬ଟି ରାଜସ୍ୱ ଗ୍ରାମ ସମେତ ପ୍ରାୟ ୩୦ହଜାର ଏକର ଜମି, ୭ଟି ଜଙ୍ଗଲ ଓ ୬ଟି ନଈକୁ ନେଇ ଏହି ବିବାଦ ଥିବା ସରକାରୀ ଭାବେ ସ୍ୱୀକାର କରାଯାଉଛି । ଏହାଛଡା ପୋଲାଭରମ ଓ ମହାନଦୀ ବିବାଦ ଦୀର୍ଘବର୍ଷ ଧରି ଗଡୁଥିଲେ ବି ଏଯାବତ୍‍ ସେଥିରୁ ଓଡିଶା ବିଶେଷ କିଛି ସୁଫଳ ପାଇନାହିଁ ।

LEAVE A REPLY

Please enter your comment!
Please enter your name here