Home News in Odia କୋଟିଆରେ ଆନ୍ଧ୍ରର ବାତ୍ୟା ଆକଳନକୁ ରୋକ

କୋଟିଆରେ ଆନ୍ଧ୍ରର ବାତ୍ୟା ଆକଳନକୁ ରୋକ

ଭୁବନେଶ୍ୱର : ବାତ୍ୟା ‘ଗୁଲାବ’ରେ କ୍ଷତିଗ୍ରସ୍ତ କୋଟିଆ ଅଞ୍ଚଳରେ ଏବେ ଆନ୍ଧ୍ର କର୍ତ୍ତୃପକ୍ଷ କ୍ଷୟକ୍ଷତି ଆକଳନ କରୁଛନ୍ତି । ଓଡିଶା ସୀମାରେ ଆନ୍ଧ୍ରର ଏଭଳି ବେଆଇନ୍‍ କାର୍ଯ୍ୟକଳାପକୁ ରୋକିବାପାଇଁ ଦାବି କରିଛନ୍ତି ସମାଜବାଦୀ ପାର୍ଟିର ସଭାପତି ରବି ବେହେରା ।

ଶ୍ରୀ ବେହେରା କହିଛନ୍ତି ଯେ ଆନ୍ଧ୍ର ଓ ଓଡ଼ିଶାରେ କ୍ଷୟକ୍ଷତି ଘଟାଇଛି । ଏହାର ପଭାବରେ କୋଟିଆକୁ ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାପାଣି ଚାଲୁଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା ।

ଏହାର ସୁଯୋଗ ନେଇ ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜର ବିଭିନ୍ନ ଗ୍ରାମରେ ତେଲୁଗୁ ଭାଷାରେ ବୋର୍ଡ଼ ସବୁ ଲଗାଇ ଦେଇଥିଲେ । ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ‘ଗୁଲାବ’ କବଳରୁ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ ଆନ୍ଧ୍ର ଏହାର ସୁଯୋଗ ନେଇ ଓଡ଼ିଶା ସୀମା ଭିତରେ ଚୋରାରେ ଅନୁପ୍ରବେଶ କରି ତେଲୁଗୁ ବୋର୍ଡ଼ ଲଗାଇଥିଲା ।

ଏହା ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଚରମ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ କରାଯାଇ ଏହାର ପ୍ରତିବାଦ କରାଯାଇଛି । ଆଜି ଆନ୍ଧ୍ର ପୋଲିସ୍ ବାତ୍ୟା ‘ଗୁଲାବ’ରେ କୋଟିଆ ଗ୍ରାମପୁଞ୍ଜରେ କ’ଣ ସବୁ କ୍ଷୟକ୍ଷତି ହୋଇଛି ତାହାକୁ ଆକଳନ କରିବା ପାଇଁ ନେରେଡ଼ିଭାଲ୍‌ସା ପ୍ରଭୃତି ଅଞ୍ଚଳ ବୁଲି ବାତ୍ୟାର କ୍ଷୟକ୍ଷତିର ଆକଳନ କରିଛନ୍ତି ।

ଏହାର ତୁରନ୍ତ ପ୍ରତିବାଦ କରାଯିବ ଉଚିତ୍ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍‌୍ ବିଜ୍ଞପ୍ତିରେ ଦାବି କରିଛନ୍ତି ଯେ, ଆନ୍ଧ୍ର ସରକାର ଗୋଟିକ ପରେ ଗୋଟିଏ ଲୋକାଭିମୁଖୀ ପଦକ୍ଷେପ ନେଇ ‘ମା’ଠାରୁ ପୁଅକୁ ଡ଼ାଆଣୀ ଅଧିକ ଭଲ ପାଇବା ନ୍ୟାୟ’ରେ ଲୋକଙ୍କୁ ନିଜର କରିବାକୁ ପଦକ୍ଷେପ ନେଇ ଚାଲିଛନ୍ତି ।

ଓଡ଼ିଶା ସରକାର ଏହାର ଦୃଢ ପ୍ରତିବାଦ ନକଲେ ଆସନ୍ତା କାଲିର ଯେଉଁ ବଡ଼ ଆଇନ୍‌ଗତ ଲଢେଇ ହେବାକୁ ଯାଉଛି ସେଥିରେ ଆନ୍ଧ୍ର ଏହିସବୁ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ନିଜର ଅଧିକାରକୁ ସାବ୍ୟସ୍ତ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

‘ବେଳ ଥାଉଁ ବନ୍ଧ ବନ୍ଧରେ କୁମର’ ନ୍ୟାୟରେ ତୁରନ୍ତ ଓଡ଼ିଶା ସରକାର ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହାର ପ୍ରତିବାଦ କରନ୍ତୁ ଏବଂ ଏ ସମ୍ପର୍କରେ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।