Home Environment କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଗବେଷଣା ନିମନ୍ତେ ଭୁବନେଶ୍ୱର ସ୍ଥିତ ଲାଇଫ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଣ୍ଟର ଅଫ ଏକ୍ସିଲେନ୍ସ ଅନ ମେରାଇନ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ଭୂପୃଷ୍ଠ ବିଜ୍ଞାନ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ଏକ ହଲମାର୍କ ଭାବରେ ପରିଗଣିତ ହୋଇଛି । ମତ୍ସ୍ୟ ଚାଷ, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଲଜିଷ୍ଟିକ ତଥା ଆନୁଷାଙ୍ଗିକ କାମରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି । ସମୁଦ୍ର ଆଧାରିତ ନୀଳ ଅର୍ଥନୀତି ପାଇଁ ବିଗତ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାର ସୁଦୀର୍ଘ ବେଳାଭୂମି କେନ୍ଦ୍ର ବିନ୍ଦୁରେ ରହିଛି ।

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡିଶାର ପର୍ଯ୍ୟଟନ ତଥା ଏଭଳି କ୍ଷେତ୍ର ପାଇଁ ଏକ ମେରୁଦଣ୍ଡ ଭାବରେ ପରିଗଣିତ ହୋଇଛି । ସେହିପରି ପାରାଦୀପ ବନ୍ଦର, ଆଇଓସିଏଲ ପାରାଦୀପ ବିଶୋଧନାଗାର, ପାରାଦୀପ ସ୍ମାର୍ଟ ବନ୍ଦର ସହର ଭଳି ସମ୍ପ୍ରସାରଣ ଓ ବିକାଶମୂଳକ ପ୍ରକଳ୍ପ, ଧାମରା ଏଲଏନଜି ଟର୍ମିନାଲ, ପ୍ରସ୍ତାବିତ ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେର ବିକାଶ ତଥା ପ୍ରତିଷ୍ଠା ହେବାକୁ ଥିବା ପାରାଦୀପ ଏବଂ ବାଲେଶ୍ୱରରେ ମାଛଧରା ବନ୍ଦର ସମୁଦ୍ର ଆଧାରିତ ଅର୍ଥନୀତିର ସଠିକ୍ ସମ୍ଭାବନାର ସମ୍ଭାର ଖୋଲିବା କରିବା ସହ ଓଡିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଏହିଭଳି ଶିଳ୍ପଭିତ୍ତିକ ଅର୍ଥନୀତିର ବିକାଶ ନିଶ୍ଚିତ ଭାବରେ ପରିବେଶ ସଂରକ୍ଷଣ ସହ ସନ୍ତୁଳନ ରଖାଯିବା ଆବଶ୍ୟକ । ତେଣୁ ବିଶେଷ ଭାବରେ ଯେତେବେଳେ ଆମେ ସାମୁଦ୍ରିକ ବାୟୋ-ଟେକ୍ନୋଲୋଜି ଜରିଆରେ ନୋଭେଲ ଆପ୍ରୋଚେସକୁ ବିକଶିତ କରୁଅଛେ, ସେହି ସମୟରେ ଏହି ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନ ଯଥା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବଂ ଉପକୂଳ ଅଞ୍ଚଳରେ ଥିବା ଗଛ ବିଶେଷ ଭାବରେ ଲୁଣି ହେନ୍ତାଳ ଗଛଗୁଡିକର ସଂରକ୍ଷଣ ପାଇଁ ପୁଞ୍ଜିନିବେଶ କରିଯିବା ଏକାନ୍ତ ଆବଶ୍ୟକ ।

ପରିବେଶ ସଂରକ୍ଷଣ କ୍ଷେତ୍ରଗୁଡିକରେ ଭୁବନେଶ୍ୱର ସ୍ଥିତ ଲାଇଫ ସାଇନ୍ସ ଇନଷ୍ଟିଚ୍ୟୁଟ୍ ବିଭିନ୍ନ ଗବେଷଣା ମାଧ୍ୟମରେ ଆଞ୍ଚଳିକ ଜୈବ ସମ୍ବଳର ପରିଚାଳନା, ଇକୋ ସଂରକ୍ଷଣ ଉଦ୍ୟମ ଏବଂ ସାମୁଦ୍ରିକ ଉତ୍ସର ସଠିକ୍ ବ୍ୟବହାର ସପକ୍ଷରେ ଏକାଧିକ ପ୍ରକାଶନୀ ଓ ପେଟେଣ୍ଟ ଦ୍ୱାରା ପ୍ରମାଣିତ କରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡିଶାର ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନର ସନ୍ତୁଳନ ଏବା ଏହାର ନୀଳ ଅର୍ଥନୀତିର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏହିସବୁ କ୍ଷେତ୍ର ଗୁଡିକରେ ବୈଜ୍ଞାନିକ ଗବେଷଣା ଉପରେ ଅଧିକ ଧ୍ୟାନଦେବା ନେଇ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ରଲେଖି କହିଛନ୍ତି ।